‘ପୀଡ଼ିତଙ୍କ ଯନ୍ତ୍ରଣା ଦେଖି ମୁଁ ସ୍ତବ୍ଧ…’, ହାଥରସ୍ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଚିଠି ଲେଖିଲେ ରାହୁଲ ଗାନ୍ଧୀ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଛନ୍ତି ରାହୁଲ ଗାନ୍ଧୀ । କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ହାଥରସ୍ ଦୁର୍ଘଟଣାର ପୀଡ଼ିତଙ୍କ ପରିବାରକୁ ଭେଟିବା ପରେ ସିଏମ୍ ଯୋଗୀଙ୍କୁ ଚିଠି ଲେଖିଛନ୍ତି । ସେ ଏହି ଚିଠି ମାଧ୍ୟମରେ ପୀଡ଼ିତଙ୍କ ପରିବାରକୁ ସହାୟତା ରାଶି ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି ।
ରାହୁଲ ଗାନ୍ଧୀ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ ‘ହାଥରସ୍ରେ ଘଟିଥିବା ଦଳାଚକଟାରେ ପୀଡିତଙ୍କ ପରିବାରବର୍ଗଙ୍କୁ ଭେଟିଲି । ସେମାନଙ୍କ ଦୁଃଖ ଅନୁଭବ କଲି ଏବଂ ସମସ୍ୟା ବିଷୟରେ ଜାଣିଲି । ଏହାପରେ ମୁଁ ଉତ୍ତର ପ୍ରଦେଶର ମାନନୀୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଚିଠି ମାଧ୍ୟମରେ ଅବଗତ କରାଇଛି । କ୍ଷତିପୂରଣ ରାଶି ବୃଦ୍ଧି କରି ଶୋକସନ୍ତପ୍ତ ପରିବାରକୁ ଯଥାଶୀଘ୍ର ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି’।
ଏହି ଦୁଃଖଦ ସମୟରେ ସେମାନଙ୍କୁ ଆମର ସାମୂହିକ ସମବେଦନା ଏବଂ ସହାୟତା ଆବଶ୍ୟକ ବୋଲି ରାହୁଲ କହିଛନ୍ତି ।
ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ‘ଏହି ସମଗ୍ର ଦୁର୍ଘଟଣା ପାଇଁ ସ୍ଥାନୀୟ ପ୍ରଶାସନର ଅବହେଳା ଏବଂ ସମ୍ବେଦନଶୀଳତା ଦାୟୀ ବୋଲି ପୀଡ଼ିତ ପରିବାର ମୋତେ କହିଛନ୍ତି । ଘଟଣାର ସଠିକ ତଦନ୍ତ କେବଳ ଆଗାମୀ ଭବିଷ୍ୟତରେ ଏପରି ଦୁର୍ଘଟଣାକୁ ରୋକିବାରେ ସହାୟକ ହେବନାହିଁ, ବରଂ ପୀଡିତଙ୍କ ମନରେ ନ୍ୟାୟ ବ୍ୟବସ୍ଥା ପ୍ରତି ଥିବା ବିଶ୍ୱାସ ମଧ୍ୟ ପୁନଃସ୍ଥାପିତ ହୋଇପାରିବ’ ।
କହି ରଖୁଛୁ, ଗତ ୨ ତାରିଖ ସନ୍ଧ୍ୟାରେ ହାଥରସରେ ଏକ ସତ୍ସଙ୍ଗ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଦଳାଚକଟା ପରିସ୍ଥିତି ଉପୁଜିଥିଲା । ଏଥିରେ ୧୨୧ ଜଣ ପ୍ରାଣ ହରାଇଥିଲେ ।