ମୋଦିଙ୍କୁ ଆଲିଙ୍ଗନ କଲେ ରାହୁଲ୍ : ବିତର୍କର ଉଷ୍ମ ମାହୋଲକୁ ହାଲକା କଲା ସଂସଦର ଏହି ବିରଳ ଦୃଶ୍ୟ

ନୂଆଦିଲ୍ଲୀ : ପ୍ରଥମେ ମନଇଛା ବର୍ଷିଲେ । ଉଭୟ କେନ୍ଦ୍ର ସରକାରଙ୍କ ଉପରେ ଓ ମୋଦିଙ୍କ ଉପରେ । ଶାଣିତ ଢଙ୍ଗରେ ଆକ୍ରମଣ କଲେ ରାହୁଲ । କିନ୍ତୁ ଏହା ପରେ ଯାହା କଲେ ଲୋକସଭା ତାଜୁବ ହୋଇଗଲା । ଏହି ଦୃଶ୍ୟ ଅବିଶ୍ୱସନୀୟ ଥିଲା । ରାହୁଲ ସିଧା ଆସିଥିଲେ ମୋଦିଙ୍କ ସିଟ୍ ପାଖକୁ । ତାଙ୍କୁ ସିଟରୁ ଉଠିବାକୁ କହିଥିଲେ । ଏମିତି ଢଙ୍ଗରେ କହିଥିଲେ ଯେ, ମୋଦି କିଛି ବୁଝି ପାରି ନଥିଲେ । ମୋଦି ସିଟରୁ ନଉଠିବାରୁ ରାହୁଲ ନଇଁପଡ଼ି ତାଙ୍କୁ ଆଲିଙ୍ଗନ କରିଥିଲେ । ଆଲିଙ୍ଗନ କରି ଫେରିବାବେଳେ ମୋଦି ତାଙ୍କୁ ପଛରୁ ଡାକିଥିଲେ । ରାହୁଲ ପୁଣି ମୋଦିଙ୍କ ସିଟ୍ ପାଖକୁ ଫେରିଥିଲେ । ଏଥର ମୋଦି ହାତ ମିଳାଇବା ସହ ରାହୁଲଙ୍କ କାନରେ କିଛି କହିଥିଲେ । ପିଠି ବି ଥାପୁଡାଇଥିଲେ । ରାହୁଲ ହସିହସି ତାଙ୍କ ସିଟ୍କୁ ଫେରିଥିଲେ । ବିତର୍କର ଉଷ୍ମ ମାହୋଲକୁ ଏମିତି କିଛି ନିଆରା ଦୃଶ୍ୟ କିଛି ସମୟ ପାଇଁ ହାଲ୍କା କରି ଦେଇଥିଲା ।