ତେଜିଲା ହାଥରସ ରାଜନୀତି, ମୃତକଙ୍କ ପରିବାରକୁ ଭେଟି ଆଶ୍ବାସନା ଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ତେଜିଲା ହାଥରସ ରାଜନୀତି। ହାଥରସରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ମୃତକଙ୍କ ପରିବାରକୁ ଭେଟିଛନ୍ତି ରାହୁଲ। ଘଟଣା କେମିତି ଘଟିଲା ପଚାରି ବୁଝିଛନ୍ତି। ଦଳାଚକଟାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ମଧ୍ୟ ଭେଟିଛନ୍ତି। ସଂପର୍କୀୟଙ୍କୁ ହରାଇ ଭାଙ୍ଗି ପଡ଼ିଥିବା ଲୋକଙ୍କୁ ଆଶ୍ବାସନା ଦେବା ସହ ସମସ୍ତ ପ୍ରକାର ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ଭରସା ଦେଇଛନ୍ତି।

ଜୁଲାଇ ୨ରେ ହୋଇଥିବା ହାଥରସ ଦଳାଚକଟାରେ ୧୨୧ ଜଣଙ୍କ ଜୀବନ ଯାଇଛି। ସତସଙ୍ଗରେ ପ୍ରାୟ ଅଢ଼େଇ ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ବାବାଙ୍କ ପଦ ରଜ ନେବାକୁ ଆରମ୍ଭ ହୋଇଯାଇଥିଲା ଠେଲାପେଲା। ଏହା ଦଳଚକଟାର ରୂପ ନେଇଥିଲା । ଏହା ପରେ ଉତ୍ତରପ୍ରଦେଶ ସରକାର ହାଥରସ ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବୁଧବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହସ୍ପିଟାଲରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ।

ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ଭୋଲେ ବାବା ଏବେ ଫେରାର ରହିଛନ୍ତି । ତାଙ୍କ ଆଶ୍ରମ ବାହାରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଭୋଲେ ବାବାଙ୍କ ଅପରାଧିକ ଇତିହାସ ସମ୍ପର୍କରେ ଖୋଳତାଡ଼ ଚାଲିଛି। ଉତ୍ତରପ୍ରଦେଶର ହାଥରସ ଦଳାଚକଟା ଘଟଣାରେ ୬ ସେବାଦାର ଗିରଫ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି। ସତସଙ୍ଗରେ ଦଳଚକଟା ହୋଇଥିବା ବେଳେ ଏହି ୬ ସେବାଦାର ପରିସ୍ଥିତି ନିୟନ୍ତ୍ରଣ ନକରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସତସଙ୍ଗ ଆୟୋଜନ କରିଥିବା ମୁଖ୍ୟ ଅଭିଯୁକ୍ତ ପ୍ରକାଶ ମଧୁକରକୁ ଧରାଇ ଦେବା ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି।