ନୂଆ ଜୀବନ ପାଇଲା ବୋରୱେଲରେ ଫସିଥିବା ଶିଶୁ ରାହୁଲ, ୧୦୦ ଘଣ୍ଟାରୁ ଅଧିକ ସମୟ ପରେ ଉଦ୍ଧାର କଲେ ଉଦ୍ଧାରକାରୀ ଦଳ

କେନ୍ୟୁଜ୍(ବ୍ୟୁରୋ): ୧୦୦ ଘଣ୍ଟାରୁ ଅଧିକ ସମୟ ପରେ ଉଦ୍ଧାର ହେଲା ରାହୁଲ। ବହୁ ବାଧା ବିଘ୍ନ ପରେ ରହୁଲଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ। ୧୦୦ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ସବୁଠୁ ବଡ଼ ରେସ୍‌କ୍ୟୁ ଅପରେସନ । ଏବେ ଉଦ୍ଧାର କରାଯାଇ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଗ୍ରିନ୍ କରିଡରରେ ବିଳାସପୁରର ଆପୋଲୋ ହସ୍ପିଟାଲକୁ ନିଆ ଯାଉଛି।

ଛତିଶଗଡ଼ ଜାଞ୍ଜଗିରି-ଚମ୍ପା ଜିଲ୍ଲାର ପିହରିଡ୍‌ ଗାଁରେ ୮୦ ଫୁଟ ତଳେ ବୋରୱେଲରେ ଫସିରହିଥିଲା ୧୦ ବର୍ଷୀୟ ରାହୁଲ ସାହୁ । ଖବର ମିଳିବା ପରେ ଦେଶର  ବଡ ବଡ଼ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ।

୨ ଦିନ ଧରି  ରାତିରେ ଲାଇଟ ଲଗାଇ ଅପରେସନ କାର୍ଯ୍ୟ ଜାରି ରହିଥିଲା । ଅପରେସନ୍‌ରେ ସାମିଲ ହୋଇଥିଲା  ରେସ୍କ୍ୟୁ ରୋବୋଟ୍‌ । ବୋରୱେଲ ପାଖରେ ପୋକଲିନ, ଜେସିବି ଓ ଡ୍ରିଲ ମେସିନ ମାଧ୍ୟମରେ ଖୋଳା ଯାଇଥିଲା । ଦୁଇ ଦିନ ପୂର୍ବରୁ ରାତିରୁ ବୋରୱେଲ ପାଖରେ ଗାତ ଖୋଳାଯାଉଥିଲା । ଖନନ ଦ୍ୱାରା ରାହୁଲକୁ ଯେପରି କୌଣସି କ୍ଷତି ନପହଞ୍ଚେ ତାକୁ ଧ୍ୟାନ ରଖାଯାଇଥିଲା। ଉଦ୍ଧାର ସ୍ଥଳରେ ଜିଲ୍ଲା ପ୍ରଶାସନ, ପୋଲିସ ସହ ଏନଡିଆରଏଫ ଓ ଏସଡିଆରଏଫ ଉପସ୍ଥିତ ଥିଲେ । ବୋରୱେଲ ଭିତରକୁ ଖାଦ୍ୟ ଓ ପାନୀୟ ପଠାଯାଇ ରାହୁଲକୁ ଦିଆଯାଉଥିଲା।  ବର୍ତ୍ତମାନ ରାହୁଲକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି  ପ୍ରଶାସନ । ସୁରକ୍ଷିତ ଉଦ୍ଧାର କାର୍ଯ୍ୟ ଉପରେ ସ୍ୱତନ୍ତ୍ର ନଜର ରଖିଥିଲେ  ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.