ଭାରତରେ ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନ୍‌ର ଘୋଷଣା କଲେ ରେଳମନ୍ତ୍ରୀ; ଚଳିତବର୍ଷ ଶେଷ ସୁଦ୍ଧା ଏହି ରୁଟ୍‌ରେ ଦୌଡ଼ିବ

ଦେଶରେ ଚଳିତବର୍ଷ ଶେଷ ସୁଦ୍ଧା ପ୍ରଥମ ଥର ଦୌଡ଼ିବ ହାଇଡ୍ରୋଜେନ ଟ୍ରେନ୍‌। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର କହିଛନ୍ତି ଯେ ହାଇଡ୍ରୋଜେନ ଟ୍ରେନ୍‌ଗୁଡ଼ିକୁ ଭାରତରେ ହିଁ ଡିଜାଇନ୍‌ ସହ ମାନୁଫାକ୍ଚର କରାଯିବ, ଯାହାକି ୨୦୨୩ ଡିସେମ୍ବର ସୁଦ୍ଧା ପ୍ରସ୍ତୁତ ହୋଇଯିବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଗ୍ରୀନ୍‌ ଗ୍ରୋଥ୍‌ ପଦକ୍ଷେପ ଅଧୀନରେ ହାଇଡ୍ରୋଜେନ ଟ୍ରେନ୍‌କୁ ପ୍ରସ୍ତୁତ କରାଯିବ। ଏହାକୁ ହେରିଟେଜ୍‌ ସର୍କିଟ୍‌ରେ ଚଲାଯିବ। ହେରିଟେଜ୍‌ ସର୍କିଟ୍‌ରେ କାଲ୍‌କା-ଶିମ୍‌ଲା ଭଳି ରୁଟ୍‌ ସାମିଲ ରହିଛି। ପରେ ଅନ୍ୟ ଜାଗାଗୁଡ଼ିକରେ ଏହି ଟ୍ରେନ୍‌କୁ ବିସ୍ତାର କରାଯିବ। ବିଦ୍ୟୁତ୍‌ ପାଇଁ ଅଲ୍‌ଟ୍ରା ମେଗା ସୋଲାର ପ୍ଲାଣ୍ଟ ସ୍ଥାପନ କରାଯିବ।

ଏ ନେଇ କେନ୍ଦ୍ରମନ୍ତ୍ରୀ ଟ୍ଵିଟ୍‌ କରି ଲେଖିଛନ୍ତି, ‘#AatmanirbharBharatର ଆଉ ଏକ ଉଦାହରଣ ହାଇଡ୍ରୋଜେନ ଟ୍ରେନ୍‌। ଏହି ଟ୍ରେନ୍‌ ଡିସେମ୍ବର ୨୦୨୩ ସୁଦ୍ଧା ପ୍ରସ୍ତୁତ ହୋଇଯିବ’। ରେଳମନ୍ତ୍ରୀ ବୈଷ୍ଣବ କହିଛନ୍ତି କି, ରେଲେଓ୍ଵ ପାଇଁ ୨.୪୧ ଲକ୍ଷ କୋଟି ଟଙ୍କା ଆବଣ୍ଟିତ କରାଯାଇଛି, ଯାହାକି ଏକ ବଡ଼ ପରିବର୍ତ୍ତନ ଏବଂ ଏହା ଯାତ୍ରୀମାନଙ୍କ ଆକାଂକ୍ଷାକୁ ପୂରା କରିବ। ଯଦିଓ ହାଇଡ୍ରୋଜେନ ସଞ୍ଚାଳିତ ଟ୍ରେନ୍‌ର ଟେକ୍ନିକ୍‌ ଏବେ ବି କେବଳ କିଛି ହିଁ ଦେଶରେ ସୀମିତ ରହିଛି। ଭବିଷ୍ୟତରେ ହାଇଡ୍ରୋଜେନ୍‌ ଟ୍ରେନ୍‌ ଭାରତରେ ବନ୍ଦେ ମେଟ୍ରୋ ନାମରେ ଜଣାଯିବ।

ଅଶ୍ୱିନୀ ବୈଷ୍ଣବ ମିଡିଆ ସହ କଥାବାର୍ତ୍ତାରେ ଆହୁରି କହିଥିଲେ ଯେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ୧୨୭୫ ଷ୍ଟେସନର ପୁନର୍ବିକାସ କରାଯିବ। ଆମେ ଗ୍ରୀନ୍‌ ଗ୍ରୋଥ, ଟୁରିଜମ୍‌, ଓ୍ଵାର୍ଲ୍ଡ କ୍ଲାସ୍‌ ସୁବିଧା ଉପରେ ଧ୍ୟାନ ରଖିବୁ।

ହାଇଡ୍ରୋଜେନ୍‌ ଟ୍ରେନ୍‌ କ’ଣ?

ହାଇଡ୍ରୋଜେନ୍‌ ଟ୍ରେନ୍‌ ପାରମ୍ପରିକ ଡିଜେଲ୍‌ ଇଞ୍ଜିନ୍‌ ବଦଳରେ ହାଇଡ୍ରୋଜେନ୍‌ ଇନ୍ଧନ ସେଲ୍ସ ଉପଯୋଗ କରିଥାଏ। ହାଇଡ୍ରୋଜେନ୍‌ ଇନ୍ଧନ ସେଲ୍‌ ହାଇଡ୍ରୋଜେନ୍‌ ଏବଂ ଅକ୍ସିଜେନ୍‌କୁ ପରିବର୍ତ୍ତିତ କରି ବିଦ୍ୟୁତ୍‌ ଉତ୍ପାଦନ କରିଥାଏ, ଯାହାର ଉପଯୋଗ ଟ୍ରେନ୍‌ର ମୋଟର ଚଲାଇବାରେ କରାଯାଇଥାଏ।