୫୦୦ରୁ ଅଧିକ ସ୍ଵତନ୍ତ୍ର ଟ୍ରେନ୍ ଚଲାଇବ ଭାରତୀୟ ରେଲୱେ । ଛଟ୍ ପୂଜା ଶେଷ ହେବା ପରେ ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରେଲୱେ ଏହି ନିଷ୍ପତ୍ତି ନେଇଛି । ରେଲୱେ ବୋର୍ଡ ମୁତାବକ, ଛଟ୍ ପରେ ନଭେମ୍ବର ୮ରୁ ନିଜ ସହରକୁ ଫେରୁଥିବା ହଜାର ହଜାର ଯାତ୍ରୀଙ୍କ ପାଇଁ ସ୍ଵତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ଭିଡ଼କୁ ସମ୍ଭାଳିବା ପାଇଁ ୫୦୦ରୁ ଅଧିକ ରେଳଗାଡ଼ି ଚାଲିବ ।
ସ୍ଥାନୀୟ ଲୋକଙ୍କ ଦାବି ପୂରଣ ପାଇଁ ବିହାରର ସମସ୍ତିପୁର, ଦାନାପୁର ଏବଂ ଅନ୍ୟାନ୍ୟ ମଣ୍ଡଳରୁ ଅତିରିକ୍ତ ଟ୍ରେନ୍ ଚଲାଇବାକୁ ଯୋଜନା ହୋଇଛି । ନଭେମ୍ବର ୮ରେ ସୂର୍ଯ୍ୟୋଦୟ ପରଠାରୁ ଭିଡ଼ ବଢ଼ିବ ଏବଂ ଏହି ଦିନ ଅଧିକ ଭିଡ଼କୁ ନଜରରେ ରଖି ୧୬୪ଟି ସ୍ଵତନ୍ତ୍ର ରେଳଗାଡ଼ିର ବ୍ୟବସ୍ଥା କରାଯାଇଛି ।
ନଭେମ୍ବର ୯ରେ ୧୬୦ ସ୍ଵତନ୍ତ୍ର ଟ୍ରେନ, ନଭେମ୍ବର ୧୦ରେ ୧୬୧ ଏବଂ ୧୧ରେ ୧୫୫ଟି ଟ୍ରେନ ଚଲାଇବ ଭାରତୀୟ ରେଲୱେ, ଯଦ୍ଦ୍ଵାରା, ଉତ୍ସବ ବେଳେ ଯାତ୍ରୀଙ୍କ ଭିଡ଼କୁ ପରିଚାଳନା ପାଇଁ ପର୍ଯ୍ୟାପ୍ତ କ୍ଷମତା ସୁନିଶ୍ଚିତ କରାଯାଇ ପାରିବ ।
ବୋର୍ଡର ସୂଚନା ଅନୁସାରେ, ନଭେମ୍ବର ୪ରେ ଭାରତୀୟ ରେଲୱେ ଗୋଟିଏ ଦିନରେ ରେକର୍ଡ ୧୨୦.୭୨ ଲକ୍ଷ ଯାତ୍ରୀଙ୍କୁ ପରିବହନ କରାଇଛି । ଏଥିରେ ୧୯.୪୩ ଲକ୍ଷ ସଂରକ୍ଷିତ ଯାତ୍ରୀ ଥିବାବେଳେ ୧୦୧.୨୯ ଲକ୍ଷ ରହିଥିଲେ ଅଣସଂରକ୍ଷିତ ଯାତ୍ରୀ । ରେଲୱେ ଗତ ୩୬ ଦିନରେ ୧,୫୨୧ ସ୍ଵତନ୍ତ୍ର ରେଳଗାଡ଼ିରେ ୬୫ ଲକ୍ଷ ଯାତ୍ରୀଙ୍କୁ ପରିବହନ କରାଇ ଏକ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିବାର ମଧ୍ୟ ଦାବି କରିଛି ।