ହିମାଚଳ କୁଲ୍ଲୁରେ ବାଦଲ ଫଟା ବର୍ଷା! ଭୟଙ୍କର ବନ୍ୟାରେ ଭାସି ଜଣେ ମୃତ; ୬ ନିଖୋଜ….ଭୂସ୍ଖଳନ ନେଇଗଲା ୪ ଜଣଙ୍କ ଜୀବନ

ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାରେ ବୁଧବାର ବାଦଲ ଫଟା ବର୍ଷା ଯୋଗୁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ବନ୍ୟା ଜଳରେ ଭାସିଯାଇ ୬ ଜଣ ଲୋକ ନିଖୋଜ ହୋଇ ଯାଇଛନ୍ତି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଘଟଣାସ୍ଥଳକୁ ଉଦ୍ଧାରକାରୀ ଦଳଙ୍କୁ ପଠାଯାଇଛି। କିନ୍ତୁ ସେମାନେ ଭୂସ୍ଖଳନ ଯୋଗୁ ଅଧା ରାସ୍ତାରେ ଫସି ରହିଛନ୍ତି।

ମିଳିଥିବା ସୂଚନା ମୁତାବକ, ସକାଳ ପ୍ରାୟ ୬ଟା ବେଳେ ବାଦଲ ଫଟା ବର୍ଷା ହୋଇଥିଲା। ଏଥିଯୋଗୁ ଜିଲ୍ଲାରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି। କୁଲ୍ଲୁର ମଲାଣା ପାଓ୍ଵାର ପ୍ରୋଜେକ୍ଟ-୨ର ଡ୍ୟାମ୍‌ ସାଇଟ୍‌ ପ୍ରୋଜେକ୍ଟ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ପରେ ବିଲ୍ଡିଂରୁ ପାଖାପାଖି ୨୫ରୁ ଅଧିକ ଲୋକଙ୍କୁ ଉଦ୍ଧାରକାରୀ ଟିମ୍‌ ସୁରକ୍ଷିତ ଭାବେ ବାହାର କରିଛନ୍ତି।

ସେପଟେ ହିମାଚଳ ରାଜଧାନୀ ଶିମ୍‌ଲାରେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ଢଲିରେ ଭୂସ୍ଖଳନ ହୋଇଛି। ଏଥିରେ ଦୁଇଟି ଗାଡ଼ି ଫସି ରହିଥିବା ବେଳେ ରାସ୍ତାପାର୍ଶ୍ୱରେ ଶୋଇଥିବା ୩ ଯୁବତୀ ଏବଂ ଜଣେ ୧୪ ବର୍ଷର ନାବାଳିକାଙ୍କ ମୃତ୍ୟୁ ଘଟିଛି। ଏହି ଭୂସ୍ଖଳନ ଯୋଗୁ ୨ ଜଣ ଲୋକ ଗମ୍ଭୀର ରୂପେ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ IGMC ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କହି ରଖୁଛୁ, ସକାଳ ପ୍ରାୟ ୫ଟାରେ ଏହି ଭୂସ୍ଖଳନ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.