ମୁମ୍ବାଇ ଓ ପୁଣେରେ ବର୍ଷା ତାଣ୍ଡବ : କରେଣ୍ଟ ଲାଗି ୩ ମୃତ, ସ୍କୁଲ ଓ କଲେଜ ବନ୍ଦ

ମହାରାଷ୍ଟ୍ରରେ ପ୍ରବଳ ବର୍ଷା । ପାଣି ଘେରରେ ମୁମ୍ବାଇ ଏବଂ ପୁଣେ ସହର । ତଳିଆ ଅଞ୍ଚଳରେ ରାସ୍ତାଘାଟ, ଘରଦ୍ୱାର ବୁଡ଼ିଛି । ରାସ୍ତାରେ ଲହଡି ଭାଙ୍ଗୁଛି ବନ୍ୟା ପାଣି । ରାତିସାରା ପ୍ରବଳ ବର୍ଷା ହେବା ଯୋଗୁଁ ଅନେକ ଅଞ୍ଚଳ ବୁଡି ରହିଛି । ଲୋକମାନେ ଘରେ ଫଶିଛନ୍ତି । ପ୍ରବଳ ବର୍ଷା ଯୋଗୁ ଏଠାକାର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି ।
ରାତି ତମାମ ବର୍ଷା ଯୋଗୁଁ ଟ୍ରାଫିକ ଜାମ ହୋଇଛି। ଫଳରେ ରାଜ୍ୟର ଅନେକ ସ୍ଥାନ ଜଳମଗ୍ନ ହୋଇ ଅନେକ ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୁନେର ପ୍ରାୟ ୧୫ ହାଉସିଂ ସୋସାଇଟିରେ ବର୍ଷା ପାଣି ପଶିଯାଇଛି । ସେପଟେ ବର୍ଷା ଯୋଗୁ କରେଣ୍ଟ ଲାଗିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।
ସକାଳୁ ନଭି ମୁମ୍ବାଇ, ଅନ୍ଦେରୀ, ଥାନେ, ପାଲଘରରେ ପ୍ରବଳ ବର୍ଷା ହେତୁ ସାଧାରଣ ଜୀବନ ବ୍ୟାହତ ହୋଇଛି । କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାଣ୍ଣିଂ ଜାରି ପରେ ସ୍କୁଲ ଏବଂ କଲେଜରେ ଛୁଟି ଘୋଷଣା କରାଯାଇଛି । ମୁମ୍ବାଇ ବିଶ୍ୱବିଦ୍ୟାଳୟରେ ଆଜି ହେବାକୁ ଥିବା ସମସ୍ତ ପରୀକ୍ଷା ସ୍ଥଗିତ ହୋଇଛି ।
ପାଣିପାଗ ବିଭାଗ ଅନୁସାରେ ଆଜି ବି ମୁମ୍ବାଇ, ଥାନେ, ପାଲଘର ଓ ରାୟଗଡ଼ରେ ପ୍ରବଳ ବର୍ଷା ହେବା ସମ୍ଭାବନା ରିହଛି । ମୁମ୍ବାଇକୁ ୟେଲୋ ଆଲର୍ଟ, ପାଲଘର ଓ ରାୟଗଡ଼ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।