ଯାହାକୁ ମୃତ ଭାବି ପରିବାର ଲୋକେ କରିଦେଇଥିଲେ ଅନ୍ତିମ ସଂସ୍କାର ଓ ହୋଇଥିଲେ ଲଣ୍ଡା, ୧୦ ଦିନ ପରେ ଫେରିଲେ ସେ

ରାଜସ୍ଥାନର ରାଜସମନ୍ଦରୁ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ୧୦ ଦିନ ତଳେ ମରିସାରିଥିବା ଲୋକ ପୁଣି ଜୀବିତ ହୋଇଛି। ସବୁଠୁ ବଡ଼ କଥା ହେଉଛି ଉକ୍ତ ବ୍ୟକ୍ତିଙ୍କ ପାଇଁ ତାଙ୍କ ପରିବାର ଲୋକ ଲଣ୍ଡା ବି ହୋଇସାରିଥିଲେ। କିନ୍ତୁ ଏବେ ହଠାତ ସେ ବଞ୍ଚିଥିବା ଜଣାଯାଇଛି। ମୃତ ବ୍ୟକ୍ତିଙ୍କୁ ଜୀବିତ ଦେଖି ପରିବାର ଲୋକ ବି ସ୍ତବ୍ଧ ହୋଇଯାଇଛନ୍ତି। ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାର ଲୋକ ତାଙ୍କ ଅନ୍ତିମ ସଂସ୍କାର କରି ଗତ ୯ ଦିନ ହେଲା ଶୋକରେ ଥିଲେ।

ତେବେ ପରିବାର ଲୋକ ଯାହାକୁ ମୃତ ଭାବି ଅନ୍ତିମ ସଂସ୍କାର କରିଥିଲେ ସେ ଏବେ ବଞ୍ଚିଲେ କେମିତି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି। ଯଦି ଘର ଲୋକ ବଞ୍ଚିଛନ୍ତି, ତେବେ ଯାହାର ଅନ୍ତିମ ସଂସ୍କାର କରାଗଲା ସେ କିଏ? ଶବର ପୋଷ୍ଟମର୍ଟମ କରାଯାଇନଥିଲା କି ଭିସେରା ଟେଷ୍ଟ ବି ହୋଇନଥିଲା। କାଙ୍କରୋଲା ପୋଲିସ ଓ ଆରକେ ହସ୍ପିଟାଲର ଏଭଳି ଏକ ଚରମ ଅବହେଳା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି।

ରିପୋର୍ଟ ମୁତାବକ, ମେ ୧୧ ତାରିଖରେ ମୋହି ରୋଡରେ ଏକ ଅପରିଚିତ ବ୍ୟକ୍ତିଙ୍କ ଶବ ମିଳିଥିଲା। ପରେ ତାକୁ ଆମ୍ବୁଲାନ୍ସରର ମେଡିକାଲ ନିଆଯାଇଥିଲା। ସେଠାରେ ପୋଲିସ ଉକ୍ତ ଶବ ଚିହ୍ନଟ କରିବାକୁ ବିଭିନ୍ନ ଥାନାରେ ସୂଚନା ଦେଇଥିଲେ। ପରେ ୧୫ ତାରିଖରେ ହେଡ କନେଷ୍ଟବଳ ମୋହନଲାଲ ହସ୍ପିଟାଲରେ ପହଞ୍ଚି ମୃତ ଯୁବକ ନାନାଲାଲଙ୍କ ଭାଇ ଓଁକାରଲାଲ ବୋଲି ଚିହ୍ନଟ କରିଥିଲେ। ପରିବାର ଲୋକ ମଧ୍ୟ ହାତର ଦାଗ ଦେଖି ମୃତକ ତାଙ୍କ ପରିଜନ ବୋଲି କହିଥିଲେ ଓ ଅନ୍ତିମ ସଂସ୍କାର କରିଥିଲେ।

କିନ୍ତୁ ୧୦ ଦିନ ପରେ ଓଁକାର ଘରକୁ ଫେରିଥିଲେ। ଏହା ଦେଖିବା ପରେ ଘରେ ଖୁସିର ମାହୋଲ ଥିବା ବେଳେ ପୋଲିସ ଓ ଡାକ୍ତରଙ୍କ ଅବହେଳାକୁ ନିନ୍ଦା କରିଛନ୍ତି। ଏହି ମାମଲାର ତଦନ୍ତ ପାଇଁ ମଧ୍ୟ ପରିବାର ଲୋକେ ଦାବି କରିଛନ୍ତି।

You might also like