ରାଜପଥର ନାଁ ବଦଳି ହେବ କର୍ତ୍ତବ୍ଯ ପଥ, ବ୍ରିଟିଶ ଶାସନ ଚିହ୍ନ ହଟାଇବାକୁ ମୋଦି ସରକାରଙ୍କ ଆଉ ଏକ ଉଦ୍ୟମ

ନୂଆଦିଲ୍ଲୀ : ନୂଆଦିଲ୍ଲୀର କେନ୍ଦ୍ର ସ୍ଥଳରେ ଥିବା ରାଜପଥ ଏବଂ ଖୁବଶୀଘ୍ର ଉଦଘାଟିତ ହେବାକୁ ଯାଉଥିବା ସେଣ୍ଟ୍ରାଲ୍ ଭିଷ୍ଟା ଲନ୍ ନୂଆ ନାଁରେ ନାମିତ ହେବାକୁ ଯାଉଛି। ବ୍ରିଟିଶ ଶାସନ ସମୟର ନାଁ ଓ ଚିହ୍ନ ହଟାଇବା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜପଥର ନାଁକୁ କର୍ତ୍ତବ୍ଯ ପଥ( ପାଥ୍ ଅଫ୍ ଡ୍ୟୁଟି) ଭାବେ ନାମିତ କରିବାକୁ ଯୋଜନା ରଖିଛନ୍ତି। ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରୁ ରାଷ୍ଟ୍ରୀୟ ଭବନ ପର୍ଯ୍ଯନ୍ତ ସମଗ୍ର ଅଞ୍ଚଳ କର୍ତ୍ତବ୍ଯ ପଥ ଭାବରେ ପରିଚିତ ହେବ।

ସ୍ୱାଧୀନତା ଦିବସରେ ଲାଲ୍ଲକିଲ୍ଲାରୁ ଉଦବୋଧନ ଦେବା ସମୟରେ ପ୍ରଧାନମନ୍ତ୍ରୀ ଉପନିବେଶୀୟ ଚିହ୍ନ ଓ ମନୋଭାବ ଉପରେ ଗୁରୁତ୍ୱ ଦେଇଥିଲେ। ସେହି ଅନୁଯାୟୀ ନିକଟରେ ନୌସେନାର ପତାକାକୁ ବଦଳାଯାଇଛି। ଆଗରୁ ପ୍ରଧାନମନ୍ତ୍ରୀ ବାସଭବନ ଠିକଣା ରେସ୍କୋର୍ସ ରୋଡ଼୍ରୁ ଲୋକ କଲ୍ଯାଣ ମାର୍ଗରେ ପରିଣତ ହୋଇଛି।

ଅନ୍ୟପଟେ ରାଜପଥର ନାଁକୁ ପରିବର୍ତ୍ତନ କରିବାରେ ତୃଣମୂଳ କଂଗ୍ରେସ ନେତା ତଥା ସାଂସଦ ମହୁଆ ମେଇତ୍ରା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀଙ୍କ ବାସଭବନର ନାମକୁ କିଂ କର୍ତ୍ତବ୍ଯମଂ ମୁଢ଼ଂ ରଖିବା ଆବଶ୍ୟକ ବୋଲି ମହୁଆ କଟାକ୍ଷ କରିଛନ୍ତି। ତାଙ୍କ କହିବାନୁସାରେ, ବ୍ରିଟିଶ ଶାସନ କାଳରେ ରାଜପଥ କିଙ୍ଗସ ୱେ ନାମରେ ଜଣାଶୁଣା ଥିଲା। ସ୍ବାଧୀନତା ପରେ ଏହାର ନାମ ରାଜପଥ ରଖାଯାଇଛି। ଏଣୁ ଏହାକୁ ବ୍ରିଟିଶ୍ ଶାସନ ସମୟର ନାମ କିପରି ହେଲା ବୋଲି ସାଂସଦ ମହୁଆ ମେଇତ୍ରା ପ୍ରଶ୍ନ କରିଛନ୍ତି।

Also Read: ବ୍ୟାଙ୍କରେ ପଡ଼ିଛି ୧୪ ହଜାର ୯୭୦ କୋଟି ଟଙ୍କା, ନେବାକୁ ନାହାନ୍ତି କେହି ଦାବିଦାର

Leave A Reply

Your email address will not be published.