‘ମୁଁ ବହୁତ ଦୁଃଖୀ…’, ବିରୋଧୀଙ୍କ ହୋ ହଲ୍ଲା ଭିତରେ ଚୌକି ଛାଡ଼ି ଉଠି ପଳାଇଲେ ରାଜ୍ୟସଭା ଅଧ୍ୟକ୍ଷ

ପ୍ୟାରିସ୍‌ ଅଲିମ୍ପିକ୍ସରୁ ଭିନେଶ ଫୋଗାଟଙ୍କୁ ଝଟ୍‌କା ପ୍ରସଙ୍ଗକୁ ନେଇ ଆଜି ରାଜ୍ୟସଭାରେ ପ୍ରବଳ ହଙ୍ଗାମା ହୋଇଛି । ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏହି ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କଲାବେଳେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ତାଙ୍କୁ ଅନୁମତି ଦେଇ ନ ଥିଲେ । ଧନଖଡ଼ କହିିଥିଲେ ଯେ ଯଦି ଏହାର ପୁନରାବୃତ୍ତି ହୁଏ, ତେବେ ତାଙ୍କୁ ଗୃହରୁ ବାହାର କରାଯିବ ।

ପରେ ଟିଏମ୍‌ସି ସାଂସଦ ଡେରେକ୍‌ ଓବ୍ରାଇନ୍‌ ଜୋର୍‌ରେ ପାଟି କରିବା ଆରମ୍ଭ କରିବାରୁ ଧନଖଡ଼ ବହୁତ ରାଗିଯାଇଥିଲେ ।

ରାଜ୍ୟସଭା ଅଧ୍ୟକ୍ଷ କହିଥିଲେ କି, ‘ପୂରା ଦେଶ ଭିନେଶଙ୍କ ପାଇଁ ଦୁଃଖୀ । ଏହାକୁ ରାଜନୀତିକରଣ କରନ୍ତୁ ନାହିଁ । ଆମେ ତାଙ୍କୁ ସବୁକିଛି ଦେବୁ, ଯାହା ପଦକ ବିଜେତାଙ୍କୁ ମିଳିବା ଦରକାର । ଆମେ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେବୁ । କିନ୍ତୁ ଆପଣ ସମସ୍ତଙ୍କୁ ଅନୁରୋଧ ଯେ ଏହାକୁ ରାଜନୀତିକରଣ କରନ୍ତୁ ନାହିଁ’ । ପରେ ବିରୋଧୀ କଂଗ୍ରେସ-ଟିଏମ୍‌ସି ଏବଂ ଅନ୍ୟମାନେ କକ୍ଷ ତ୍ୟାଗ କରି ଚାଲିଯାଇଥିଲେ ।

ଧନଖଡ଼ କହିଥିଲେ ଯେ ‘ଗୃହରେ ଅଧ୍ୟକ୍ଷଙ୍କୁ ଚ୍ୟାଲେଞ୍ଜ ଦିଆଯାଇଛି ଏବଂ ମୋ ସହିତ ଠିକ୍‌ ବ୍ୟବହାର କରାଯାଇ ନାହିଁ’ । ସେ ରାଗିକି କହିଥିଲେ, ‘ଏହି ପବିତ୍ର ଗୃହକୁ ଅରାଜକତାର କେନ୍ଦ୍ର କରିବା, ଭାରତୀୟ ଗଣତନ୍ତ୍ର ଉପରେ କୁଠାରାଘାତ କରିବା, ଅଧ୍ୟକ୍ଷଙ୍କ ଗାରିମାକୁ କ୍ଷୁର୍ଣ୍ଣ କରିବା, ଶାରୀରିକ ରୂପେ ଚ୍ୟାଲେଞ୍ଜପୂର୍ଣ୍ଣ ପରିବେଶ ସୃଷ୍ଟି କରିବା, ଏହା କେବଳ ଅଶୋଭନୀୟ ଆଚରଣ ନୁହେଁ, ବରଂ ସମସ୍ତ ସୀମାକୁ ଉଲ୍ଲଂଘନ କଲା ଭଳି ଆଚରଣ’ ।

‘ମୁଁ କିଛି ସମୟ ପାଇଁ ଏଠାରେ ବସିବାକୁ ନିଜକୁ ସକ୍ଷମ ମନେ କରୁନାହିଁ’, ଏହା କହି ଉପରାଷ୍ଟ୍ରପତି ନିଜ ଚୌକି ଛାଡ଼ି ଉଠି ପଳାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.