ଚେନ୍ନାଇ: ରାଜ୍ୟସଭା ସାଂସଦଙ୍କ ଝିଅ ଫୁଟପାଥରେ ଶୋଇଥିବା ବ୍ୟକ୍ତି ଉପରେ ଚଢାଇଲା BMW, ଗିରଫ ପରେ ସଙ୍ଗେ ସଙ୍ଗେ ମିଳିଗଲା ଜାମିନ

ପୁଣେ ପୋର୍ସେ କାଣ୍ଡ ପରେ ପୁଣି ଏକ ହାଇ ପ୍ରୋଫାଇଲ୍ ହିଟ୍ ଆଣ୍ଡ ରନ୍ ମାମଲା ଚେନ୍ନାଇରେ ଦେଖିବାକୁ ମିଳିଛି । ତାମିଲନାଡୁ ରାଜଧାନୀ ଚେନ୍ନାଇରେ ଜଣେ ରାଜ୍ୟ ସଭା ସାଂସଦଙ୍କ ଝିଅ ରାସ୍ତାରେ ଶୋଇଥିବା ଜଣେ ଯୁବକଙ୍କ ଉପରେ ନିଜ BMW କାର ଚଢ଼ାଇ ଦେଇଛନ୍ତି । ଏହି ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ହୋଇଛି । ସାଂସଦଙ୍କ ଝିଅଙ୍କୁ ପୋଲିସ ଗିରଫ କରି ସଙ୍ଗେ ସଙ୍ଗେ ଜାମିନରେ ଛାଡ଼ି ଦେଇଛି ।
ଖବର ମୁତାବକ, YSR କଂଗ୍ରେସ ପାର୍ଟିର ରାଜ୍ୟସଭା ସାଂସଦ ବିଡ଼ା ମସ୍ତାନ ରାଓଙ୍କ ଝିଅ ମାଧୁରୀ ଏହି ଘଟଣା ଘଟାଇଛନ୍ତି । ଚେନ୍ନାଇର ବସନ୍ତ ନଗର ଅଞ୍ଚଳରେ ରାସ୍ତା କଡ ଫୁଟପାଥରେ ଜଣେ ଯୁବକ ଶୋଇଥିଲେ । ମାଧୁରୀ ନିଜେ BMW କଳାର୍ ଡ୍ରାଇଭ କରି ଆସୁଥିବା ବେଳେ ତାଙ୍କ ସହ ଜଣେ ବାନ୍ଧବୀ ବି ଥିଲେ । ହଠାତ୍ ଭାରସାମ୍ୟ ହରାଇ ମାଧୁରୀ ଯୁବକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ ।
ଘଟଣାସ୍ଥଳରେ ଲୋକେ ଏକାଠି ହୋଇ ପାଟିତୁଣ୍ଡ କରିବା ପରେ ମାଧୁରୀ ଆମ୍ବୁଲାନ୍ସକୁ ଫୋନ୍ କରି ଘଟଣାସ୍ଥଳରୁ ଗାଡ଼ି ସହ ଚାଲି ଯାଇଥିଲେ । ଗୁରୁତର ଅବସ୍ଥାରେ ବ୍ୟକ୍ତିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣକ ୨୪ ବର୍ଷୀୟ ସୂର୍ଯ୍ୟ ବୋଲି ଜଣାଯାଇଛି । ସୂର୍ଯ୍ୟ ଜଣେ ପେଣ୍ଟର ଭାବେ କାମ କରୁଥିବା ଜଣାଯାଇଛି।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତ ସୂର୍ଯ୍ୟଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ପୋଲିସ ମାଧୁରୀଙ୍କୁ ଗିରଫ କରିଥିବା ବେଳେ ତୁରନ୍ତ ଜାମିନରେ ଛାଡ଼ି ଦେଇଥିଲା ।
ସୂଚନାଯୋଗ୍ୟ, ପୁଣେରେ ଜଣେ ବ୍ୟବସାୟୀଙ୍କ ପୁଅ ପୋର୍ସେ କାର ଚଢାଇ ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ପୁଣେ କଲ୍ୟାଣୀ ନଗର ଅଞ୍ଚଳରେ ମେ ୧୯ ତାରିଖ ରାତିରେରେ ମଦ ନିଶାରେ ନାବାଳକ ଅଭିଯୁକ୍ତ ଜଣକ ପୋର୍ସେ କାର୍ ଚଳାଇ ଏକ ବାଇକ୍କୁ ଧକ୍କା ଦେଇଥିଲେ । ଏଥିରେ ଦୁଇଜଣ ଆଇଟି ଇଂଜିନୟର୍ଙ୍କ ମୃତ୍ୟୁ ହୋଇଥିଲା । ଏହିଏହି ମାମଲାରେ ଏପର୍ଯ୍ୟନ୍ତ ୧୧ ଜଣ ଗିରଫ ହୋଇଛନ୍ତି । ଘଟଣାରେ ନାବାଳକର ବାପା ଏବଂ ଜେଜେଙ୍କୁ ଗିରଫ କରିସାରିଛି ପୋଲିସ ।