ରାମ ରହିମ୍‌ଙ୍କୁ ବଡ଼ ଆଶ୍ୱସ୍ତି, ୨୨ ବର୍ଷ ପୁରୁଣା ହତ୍ୟା ମାମଲାରେ ଦୋଷମୁକ୍ତ କଲେ କୋର୍ଟ

ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ୍‌ ରାମ ରହିମ୍‌ଙ୍କୁ ହାଇକୋର୍ଟରୁ ମିଳିଛି ବଡ଼ ଆଶ୍ୱସ୍ତି । ୨୨ ବର୍ଷ ପୁରୁଣା ଏକ ହତ୍ୟା ମାମଲାରେ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଛନ୍ତି ।

ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ୍‌ ରାମ ରହିମ୍‌ଙ୍କୁ ହାଇକୋର୍ଟରୁ ମିଳିଛି ବଡ଼ ଆଶ୍ୱସ୍ତି । ୨୨ ବର୍ଷ ପୁରୁଣା ଏକ ହତ୍ୟା ମାମଲାରେ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଛନ୍ତି । ୨୦୦୨ରେ ଡେରା ମ୍ୟାନେଜର ରଣଜିତ ସିଂଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ମାମଲାରେ ପଞ୍ଚକୁଲାର ସ୍ୱତନ୍ତ୍ର ସିବିଆଇ କୋର୍ଟ ରାମ ରହିମ୍‌ଙ୍କୁ ୨୦୨୧ ଅକ୍ଟୋବର ୧୮ରେ ଦୋଷୀ ସାବ୍ୟସ୍ତ କରିଥିଲେ । କୋର୍ଟ ରାମ ରହିମ୍‌ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

ବର୍ତ୍ତମାନ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ସିବିଆଇ କୋର୍ଟଙ୍କ ନିଷ୍ପତ୍ତିକୁ ରଦ୍ଦ କରି ଡେରା ମୁଖ୍ୟଙ୍କ ସମେତ ୫ ଜଣ ଦୋଷୀଙ୍କୁ ଦୋଷମୁକ୍ତ କରିଛନ୍ତି ।

ଏହି ଘଟଣା ୨୦୦୨ ଜୁଲାଇ ୧୦ର । ସେହି ସମୟରେ ଡେରା ପରିଚାଳନା କମିଟିର ସଦସ୍ୟ ଥିବା ରଣଜିତ ସିଂଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ମାମଲାରେ ବହୁ ଅନୁସନ୍ଧାନ ଚାଲିଥିଲା । ତେବେ ପୋଲିସର ତଦନ୍ତରେ ସନ୍ତୁଷ୍ଟ ନ ହୋଇ ରଣଜିତ ସିଂଙ୍କ ପୁଅ ଜଗସିର ସିଂ ହାଇକୋର୍ଟରେ ଆବେଦନ କରି ସିବିଆଇ ତଦନ୍ତ ଦାବି କରିଥିଲେ । ୨୦୦୩ରେ ଏହି ଆବେଦନ ଦାଏର କରାଯାଇଥିଲା । ପିଟିସନ ଦାଖଲ ପରେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ପରେ ୨୦୨୧ ଅକ୍ଟୋବରରେ ସିବିଆଇ ରାମ ରହିମ୍‌ଙ୍କ ସମେତ ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା ।

ତେବେ ୨୨ ବର୍ଷ ପୁରୁଣା ଏହି ହତ୍ୟା ମାମଲାରେ ଦୋଷମୁକ୍ତ ହେବା ସତ୍ତ୍ୱେ ରାମ ରହିମ୍‌ ଜେଲରୁ ବାହାରି ପାରିବେ ନାହିଁ । କାରଣ, ଅନ୍ୟାନ୍ୟ ମାମଲାରେ ତାଙ୍କୁ ଜେଲ ଦଣ୍ଡାଦେଶ ହୋଇଛି । ଦୁଇ ସାଧ୍ୱୀଙ୍କୁ ଯୌନ ନିର୍ଯାତନା ମାମଲାରେ ରାମ ରହିମଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡ ମିଳିଛି । ଏହା ବ୍ୟତୀତ ଛତ୍ରପତି ହତ୍ୟାକାଣ୍ଡରେ ମଧ୍ୟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ତେଣୁ ଉଭୟ ମାମଲାରେ ଦଣ୍ଡ ଭୋଗୁଥିବା କାରଣରୁ ରାମ ରହିମଙ୍କୁ ଏବେ ମଧ୍ୟ ଜେଲରେ ରହିବାକୁ ପଡ଼ିବ ।

Leave A Reply

Your email address will not be published.