ରାଷ୍ଟ୍ରପତି ଭବନର ‘ଦରବାର ହଲ୍‌’ ଓ ‘ଅଶୋକ ହଲ୍‌’ର ନାମ ବଦଳିଲା, ବିଜ୍ଞପ୍ତି ଜାରି

ବଦଳିଲା ରାଷ୍ଟ୍ରପତି ଭବନର ‘ଦରବାର ହଲ୍’ ଓ ‘ଅଶୋକ ହଲ୍‌’ର ନାମ । ଏ ନେଇ ରାଷ୍ଟ୍ରପତି ଭବନ ଦ୍ୱାରା ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇଛି । ଏହା ଅନୁସାରେ, ଦରବାର ହଲ୍‌ର ନାମ ପରିବର୍ତ୍ତନ ହୋଇ ବର୍ତ୍ତମାନ ‘ଗଣତନ୍ତ୍ର ମଣ୍ଡପ’ ହେବ ଏବଂ ଅଶୋକ ହଲ୍‌ର ନାମ ବଦଳି ‘ଅଶୋକ ମଣ୍ଡପ’ ହେବ ।

ଦରବାର ହଲ୍‌ରେ ଜାତୀୟ ପୁରସ୍କାର ପ୍ରଦାନ କରାଯାଉଥିବା ବେଳେ ଅଶୋକ ହଲ୍ ମୂଳତଃ ଏକ ବଲ୍ ରୁମ୍ । ଏକ ଅଫିସିଆଲ୍‌ ବୟାନରେ ସରକାର କହିଛନ୍ତି, ‘ଦରବାର୍‌’ ଭାରତୀୟ ଶାସକ ଏବଂ ଇଂରେଜମାନଙ୍କ ଅଦାଲତ ଓ ସଭାଗୁଡ଼ିକୁ ସୂଚୀତ କରୁଛି । ଭାରତରେ ଗଣତନ୍ତ୍ର ପ୍ରତିଷ୍ଠା ପରେ ଏହା ପ୍ରାସଙ୍ଗିକତା ହରାଇଛି ।

କୁହାଯାଇଛି ଯେ ପ୍ରାଚୀନ କାଳରୁ ହିଁ ଭାରତୀୟ ସମାଜରେ ଗଣତନ୍ତ୍ରର ଧାରଣା ଗଭୀର ଭାବରେ ଜଡିତ ରହିଛି । ତେଣୁ ‘ଗଣତନ୍ତ୍ର ମଣ୍ଡପ’ ଏହି ଜାଗା ପାଇଁ ଉପଯୁକ୍ତ ନାମ ।

ଅଶୋକ ହଲ୍‌ର ନାମ ପରିବର୍ତ୍ତନର ନିଷ୍ପତ୍ତି ଉପରେ ସରକାର କହିଛନ୍ତି, ‘ଅଶୋକ ମଣ୍ଡପ’ର ନାମ ଭାଷାରେ ସମାନତା ଆଣୁଛି ଏବଂ ଇଂରେଜିକରଣର ଚିହ୍ନକୁ ହଟାଇ ଦେଉଛି । ଏଥିସହିତ ‘ଅଶୋକ’ ଶବ୍ଦ ସହ ଜଡିତ ମୂଳ ମୂଲ୍ୟବୋଧକୁ ମଧ୍ୟ ବଜାୟ ରଖୁଛି ।

ରାଷ୍ଟ୍ରପତି ଭବନ ସଚିବାଳୟ ପକ୍ଷରୁ କୁହାଯାଇଛି ଯେ ରାଷ୍ଟ୍ରପତି ଭବନର ପରିବେଶକୁ ‘ଭାରତୀୟ ସାଂସ୍କୃତିକ ମୂଲ୍ୟବୋଧ ଏବଂ ନୈତିକତାର ପ୍ରତିବିମ୍ବ’ କରିବା ନାମ ପରିବର୍ତ୍ତନର ଉଦ୍ଦେଶ୍ୟ ।

ସେପଟେ ରାଷ୍ଟ୍ରପତି ଭବନର ଦୁଇଟି ହଲ୍‌ର ନାମ ପରିବର୍ତ୍ତନ ଉପରେ କଂଗ୍ରେସର ବରିଷ୍ଠ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କେନ୍ଦ୍ରର ଏନ୍‌ଡିଏ ସରକାରଙ୍କୁ ଘେରିଛନ୍ତି । ସେ କହିଛନ୍ତି ଯେ ‘ଦରବାର’ର କୌଣସି ଧାରଣା ନାହିଁ, କିନ୍ତୁ ‘ଶେହନ୍‌ଶାହ’ର ଧାରଣା ଅଛି ।