ସର୍ବସାଧାରଣଙ୍କ ପାଇଁ ଫେବୃଆରୀ ୨ରେ ଖୋଲିବ ରାଷ୍ଟ୍ରପତି ଭବନସ୍ଥିତ ‘ଅମୃତ ଉଦ୍ୟାନ’

ନୂଆ ଦିଲ୍ଲୀ : ଆସନ୍ତା ଫେବୃଆରୀ ୨ ତାରିଖରୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲିବ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନର ‘ଅମୃତ ଉଦ୍ୟାନ’ । ଏହା ମାର୍ଚ୍ଚ ୩୦ ତାରିଖ ଯାଏଁ ଖୋଲା ରହିବ । ଏନେଇ ମଙ୍ଗଳବାର ରାଷ୍ଟ୍ରପତି ଭବନରୁ ଏକ ବିବୃତ୍ତି ପ୍ରକାଶ ପାଇଛି ।
ବିବୃତ୍ତି ଅନୁଯାୟୀ, ସପ୍ତାହର ୬ ଦିନ ଅମୃତ ଉଦ୍ୟାନ ଖୋଲା ରହିବାବେଳେ କେବଳ ସୋମବାର ଦିନ ଏହି ସୌନ୍ଦର୍ଯ୍ୟଭରା ଉଦ୍ୟାନ ବନ୍ଦ ରହିବ । ପର୍ଯ୍ୟଟକମାନେ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅମୃତ ଉଦ୍ୟାନ ପରିଦର୍ଶନ କରିପାରିବେ । ଉତ୍ତର ଆଭେନ୍ୟୁ ରୋଡ୍ ନିକଟରେ ଥିବା ରାଷ୍ଟ୍ରପତି ଭବନର ଗେଟ୍ ନମ୍ବର ୩୫ ରୁ ପର୍ଯ୍ୟଟକମାନେ ଉଦ୍ୟାନରେ ପ୍ରବେଶ କରିବେ। ଏହା ସହ ସମସ୍ତ ପର୍ଯ୍ୟଟକଙ୍କ ପାଇଁ କେନ୍ଦ୍ରୀୟ ସଚିବାଳୟ ମେଟ୍ରୋ ଷ୍ଟେସନରୁ ବସ୍ ସେବା ମଧ୍ୟ କରାଯାଇଛି । ଏହି ବସ୍ ଗୁଡ଼ିକ ସକାଳ ୯.୩୦ରୁ ଆରମ୍ଭ କରି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରତି ୩୦ ମିନିଟ ସମୟ ବ୍ୟବଧାନରେ ଚଳାଚଳ କରିବ ।
ସେପଟେ, ଫେବୃଆରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ମତଦାନ ହେତୁ ଉଦ୍ୟାନ ବନ୍ଦ ରହିବ । ଏଥିସହ ଫେବୃଆରୀ ୨୦ ଏବଂ ୨୧ ରେ ରାଷ୍ଟ୍ରପତି ଭବନରେ ସମ୍ମିଳନୀ ଏବଂ ମାର୍ଚ୍ଚ ୧୪ ରେ ହୋଲି ପାଇଁ ଅମୃତ ଉଦ୍ୟାନ ବନ୍ଦ ରଖାଯିବା ନେଇ ବିବୃତ୍ତିରେ ଉଲ୍ଲେଖ କରାଯାଇଛି ।
ସେହିପରି କିଛି ବିଶେଷବ୍ୟକ୍ତିଙ୍କ ପାଇଁ ମଧ୍ୟ କେତେକ ସ୍ୱତନ୍ତ୍ର ଦିନରେ ପରିଦର୍ଶନ କରିବା ବ୍ୟବସ୍ଥା କରାଯାଇଛି । ମାର୍ଚ୍ଚ ୨୬ରେ ସ୍ୱତନ୍ତ୍ର ଭାବେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଉଦ୍ୟାନ ଖୋଲା ରହିବାବେଳେ ମାର୍ଚ୍ଚ ୨୭ରେ ପ୍ରତିରକ୍ଷା, ପାରାମିଲିଟାରୀ ଏବଂ ପୋଲିସ୍ ଫୋର୍ସ କର୍ମଚାରୀମାନେ ଉଦ୍ୟାନ ବୁଲିବାର ସୁଯୋଗ ପାଇବେ । ସେହିପରି ମାର୍ଚ୍ଚ ୨୮ରେ ଏସଏଚଜି ମହିଳା ଏବଂ ଆଦିବାସୀ ମହିଳାଙ୍କ ପାଇଁ ଉଦ୍ୟାନ ଖୋଲା ରହିବ । ଏହା ବ୍ୟତୀତ ମାର୍ଚ୍ଚ ୨୯ରେ କେବଳ ବରିଷ୍ଠ ନାଗରିକମାନେ ଉଦ୍ୟାନ ପରିଦର୍ଶନ କରିବାର ସୁବିଧା ପାଇବେ ।
ଅମୃତ ଉଦ୍ୟାନକୁ ପ୍ରବେଶ କରିବା ପାଇଁ, ଆପଣ visit.rashtrapatibhavan.gov.in ରେ ଯାଇ ଅନଲାଇନରେ ଟିକେଟ ବୁକ୍ କରିପାରିବେ କିମ୍ବା ସେଠାରେ ଥିବା କାଉଣ୍ଟରରୁ ମଧ୍ୟ ଟିକେଟ୍ ନେଇପାରିବେ ।