ରତନ ଟାଟା ଅସୁସ୍ଥ, ମୁମ୍ବାଇ ହସ୍ପିଟାଲର ICUରେ ଭର୍ତ୍ତି

ପ୍ରତିଷ୍ଠିତ ବିଜନେସ୍ମ୍ୟାନ ତଥା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ ରତନ ଟାଟା ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେ ହସ୍ପିଟାଲର ଆଇସିୟୁ ଓ୍ୱାର୍ଡରେ ଅଛନ୍ତି । ରତନ ଟାଟାଙ୍କୁ ୮୬ ବର୍ଷ ବୟସ । ସୋମବାର ସକାଳେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଇବାକୁ ପଡ଼ିଛି ।
ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି ଯେ ରତନ ଟାଟାଙ୍କୁ ଗୁରୁତର ଅବସ୍ଥାରେ ରାତି ପ୍ରାୟ ୧୨ଟା ୩୦ରୁ ୧ଟା ମଧ୍ୟରେ ହସ୍ପିଟାଲ ଅଣାଯାଇଥିଲା । ତାଙ୍କର ରକ୍ତଚାପ ବହୁତ କମିଯାଇଥିଲା । ତାଙ୍କୁ ତୁରନ୍ତ ଆଇସିୟୁକୁ ନିଆଯାଇଥିଲା । ଏଠାରେ ଜଣାଶୁଣା ହୃଦ୍ରୋଗ ବିଶେଷଜ୍ଞ ଡା. ଶାହରୁଖ ଅସ୍ପି ଗୋଲ ଓ୍ୱାଲାଙ୍କ ତତ୍ତ୍ୱାବଧାନରେ ଇଣ୍ଟେନସିଭ କେୟାର ସ୍ପେଶାଲିଷ୍ଟଙ୍କର ଏକ ଟିମ୍ ତାଙ୍କ ସ୍ଥିତି ଉପରେ ନଜର ରଖିଛନ୍ତି ।
ସେପଟେ ରତନ ଟାଟା ଏକ ବୟାନ ଜାରି କରି ସେ ଠିକ୍ ଥିବା କଥା କହିଛନ୍ତି । ବୟାନରେ ରତନ ଟାଟା କହିଛନ୍ତି ଯେ ‘ମୋ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସମ୍ପ୍ରତି ପ୍ରଚାରିତ ଗୁଜବ ବିଷୟରେ ମୁଁ ଜାଣିଛି । ମୁଁ ସମସ୍ତଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଏହି ଦାବି ଭିତ୍ତିହୀନ । ମୁଁ ବର୍ତ୍ତମାନ ନିଜର ବୟସ ଏବଂ ସମ୍ବନ୍ଧିତ ଚିକିତ୍ସା ସ୍ଥିିତି ଯୋଗୁ ମେଡିକାଲ ଚେକ୍ଅପ କରାଉଛି । ଚିନ୍ତା କରିବାର କୌଣସି କାରଣ ନାହିଁ । ମୁଁ ଭଲ ମୁଡ୍ରେ ଅଛି ଏବଂ ଲୋକଙ୍କୁ ଅନୁରୋଧ କରୁଛି ଯେ ଭୁଲ୍ ସୂଚନା ବିସ୍ତାରଠାରୁ ଦୂରେଇ ରୁହନ୍ତୁ’ ।
Thank you for thinking of me 🤍 pic.twitter.com/MICi6zVH99
— Ratan N. Tata (@RNTata2000) October 7, 2024