୬୯ ବର୍ଷ ବୟସରେ F-16 ଫାଲକନ୍ ଯୁଦ୍ଧ ବିମାନ ଉଡାଇଥିଲେ ରତନ ଟାଟା, ମଝି ଆକାଶରେ ବିତାଇଥିଲେ ୪୦ ମିନିଟ୍

୮୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଭାରତର ବିଶିଷ୍ଟ ଶିଳ୍ପପତି ରତନ ଟାଟା । ରତନ ଟାଟା କେବଳ ଜଣ ଉଦ୍ୟୋଗପତି ହେବାର ଇଚ୍ଛା ରଖିନଥିଲେ ବରଂ ଫାଇଟର ବିମାନ ଉଡାଇବାରେ ମାହିର ଥିଲେ । ସେ ଜଣେ ଲାଇସେନ୍ସ ପ୍ରାପ୍ତ ପାଇଲଟ ଥିଲେ । ଯେପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟ ଭଲ ଥିଲା, ସେ ପର୍ଯ୍ୟନ୍ତ ପାଇଲଟ୍ ଭାବରେ ଉଡ଼ାଣ ଜାରି ରଖିଥିଲେ।
ରତନ ଟାଟା ହେଉଛନ୍ତି F-16 ଫାଲକନ୍ ଯୁଦ୍ଧ ବିମାନ ଉଡ଼ାଇଥିବା ପ୍ରଥମ ଭାରତୀୟ ନାଗରିକ । ୨୦୦୭ରେ ୬୯ ବର୍ଷ ବୟସରେ ସେ F-16 ଫାଲକନ୍ ଯୁଦ୍ଧ ବିମାନ ଉଡ଼ାଇ ସମସ୍ତଙ୍କୁ ଚକିତ କରିଦେଇଥିଲେ । ବେଙ୍ଗାଲୁରୁର ଏକ ଏୟାର ଶୋ’ରେ ରତନ ଟାଟା F-16 ର ସହ-ପାଇଲଟ୍ ଭାବରେ କାର୍ଯ୍ୟ କରିଥିଲେ ।
ରତନ ନାନଟା ଯେଉଁ F-16 ବ୍ଲକ ୫୦ ଯୁଦ୍ଧ ବିମାନ ଉଡ଼ାଇଥିଲେ ତା’ର ମୂଲ୍ୟ ୪୦୦ କୋଟିରୁ ଅଧିକ । ଏହି ଜେଟ୍ ଘଣ୍ଟା ପ୍ରତି ୨୦୦୦ କିଲୋମିଟରରୁ ଅଧିକ ବେଗରେ ଉଡ଼ିପାରେ । ଏହି ଯୁଦ୍ଧ ବିମାନ ସହ ରତନ ଟାଟା ପ୍ରାୟ ୪୦ ମିନିଟ୍ ଆକାଶରେ ବିତାଇ ଥିଲେ ଏବଂ ମଝିରେ ଉଡ଼ାଣକୁ ନିୟନ୍ତ୍ରଣ ମଧ୍ୟ କରିଥିଲେ । ଅବତରଣ ସମୟରେ ସେ ଅଳ୍ପ ଥକି ଯାଇଥିଲେ । ଲ୍ୟାଣ୍ଡ କରିବା ପରେ ସେ ଏହି ବିମାନ ବିଷୟରେ କହିଥିଲେ- It Was Graeat ଅର୍ଥ ଏହା ବହୁତ ଭଲ ଥିଲା ।
ରତନ ଟାଟା ବିମାନ ଉଡାଇବା ସହିତ ସ୍କୁବା ଡାଇଭିଂର ଇଚ୍ଛା ରଖିଥିଲେ । କେବେ ବି ନିଶାଦ୍ରବ୍ୟକୁ ହାତ ଲଗାଇନଥିବା ରତନ ଟାଟା ଜାଣିଶୁଣି ଅବିବାହିତ ରହିଥିଲେ । ପୋଷା କୁକୁରକୁ ବହୁତ ଭଲ ପାଉଥିଲେ ।
୮୬ ବର୍ଷ ବୟସରେ ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ହସ୍ପିଟାଲରୁ ରତନ ଟାଟାଙ୍କ ପ୍ରାର୍ଥିବ ଶରୀର କୋଲାବାସ୍ଥିତ ତାଙ୍କ ବାସଭବନକୁ ନିଆଯାଇଛି । ରତନ ଟାଟାଙ୍କ ପାର୍ଥିବ ଶରୀର ସକାଳ ୧୦ଟାରୁ ୩ଟା ୩୦ ମଧ୍ୟରେ ଦର୍ଶନ ପାଇଁ ଏନସିପିଏରେ ରଖାଯାଇଛି । ଅପରାହ୍ନ ୩.୩୦ରେ ଆଜି ରାଜକୀୟ ଢଙ୍ଗରେ ମୁମ୍ବାଇର ୱର୍ଲି ଶ୍ମଶାନଘାଟରେ ତାଙ୍କର ଶେଷକୃତ୍ୟ କରାଯିବ ।