ପାର୍ସୀ ହେବା ସତ୍ତ୍ୱେ ହିନ୍ଦୁ ରୀତିନୀତିରେ ହେବ ରତନ ଟାଟାଙ୍କ ଅନ୍ତିମ ସଂସ୍କାର, ଜାଣନ୍ତୁ କାହିଁକି

ଦେଶର ବିଶିଷ୍ଟ ଶିଳ୍ପତି ରତନ ଟାଟାଙ୍କ ପରଲୋକ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ୮୬ ବର୍ଷ ବୟସରେ ମୁମ୍ବାଇର ଏକ ହସପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆଜି ତାଙ୍କ ଅନ୍ତିମ ସଂସ୍କାର ଅପରାହ୍ନ ୪ଟାରେ ରାଜକୀୟ ସମ୍ମାନ ସହିତ ସମ୍ପନ୍ନ ହେବ । ଏହାପୂର୍ବରୁ ତାଙ୍କ ପାର୍ଥିବ ଶରୀରକୁ ନରୀମନ ପଏଣ୍ଟର NCPA ଲନରେ ଶେଷ ଦର୍ଶନ ପାଇଁ ରଖଯାଇଛି । ରତନ ଟାଟା ପାର୍ସୀ ସଂପ୍ରଦାୟର ହୋଇଥିବା ବେଳେ ଅନ୍ତିମ ସଂସ୍କାର ହିନ୍ଦୁ ପରମ୍ପରା ଅନୁସାରେ ହେବ । ୪୫ ମିନିଟ ପାଇଁ ପ୍ରାର୍ଥନା କରାଯିବ । ଏହାପରେ ଅନ୍ତିମ ସଂସ୍କାର ପ୍ରକ୍ରିୟା ସମାପ୍ତ ହେବ ।

ରତନ ଟାଟା ପାର୍ସୀ ସଂପ୍ରଦାୟର ହୋଇଥିବା ବେଳେ ହିନ୍ଦୁ ପରମ୍ପରା ଅନୁଯାୟୀ ହେବ ଅନ୍ତିମ ସଂସ୍କାର । ପାର୍ସୀ ସମୁଦାୟର ଅନ୍ତିମ ସଂସ୍କାରର ନିୟମ ଅଲଗା ରହିଛି । ପାର୍ସୀ ସମୁଦାୟଙ୍କ ଅନ୍ତିମ ସଂସ୍କାର ପରମ୍ପରା ୩ ହଜାର ବର୍ଷ ପୁରୁଣା । ହଜାରେ ବର୍ଷ ପୂର୍ବ ପାର୍ସୀ(ଇରାନ)ରୁ ଭାରତ ଆସିଥିବା ପାର୍ସୀ ସମୁଦାୟର ଶବକୁ ଦାହ କରାଯାଏନି କି ପୋତା ଯାଏନି । ପାର୍ସୀ ସଂପ୍ରଦାୟ ଲୋକଙ୍କ ମୃତ୍ୟୁ ପରେ ଶବକୁ ପାରମ୍ପରିକ କବରସ୍ଥାନରେ ଖୋଲାରେ ରଖାଯାଏ । ଶବକୁ ଶାଗୁଣା ଖାଇ ଖାଇ ନଷ୍ଟ କରନ୍ତି । ଏହା ପାର୍ସୀ ସମୁଦାୟର ପରମ୍ପରା ।

କିନ୍ତୁ ରତନ ଟାଟାଙ୍କ ଅନ୍ତିମ ସଂସ୍କାର ହିନ୍ଦୁ ରୀତିନୀତି ଅନୁଯାୟୀ ହେବ । ଏହାପୂର୍ବରୁ ୨୦୨୨ରେ ଟାଟା ସନ୍ସର ପୂର୍ବ ଚେୟାରମ୍ୟାନ ସାଇରସ ମିସ୍ତ୍ରୀଙ୍କ ଅନ୍ତିମ ସଂସ୍କାର ହିନ୍ଦୁ ରୀତିନୀତି ଅନୁଯାୟୀ ହେବ । କରୋନା ପରେ ପାର୍ସୀର ଏଭଳି ପରମ୍ପରାକୁ ପରିବର୍ତ୍ତନ କରାଯାଇଛି । ପାର୍ସୀ ସମୁଦାୟର ବ୍ୟକ୍ତିଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ରୀତିନୀତି ଉପରେ ରୋକ୍‌ ଲଗାଯାଇଛି ।

ପାର୍ସୀ ସଂପ୍ରଦାୟର ଲୋକ ଏବେ ବହୁତ କମ୍‌ ରହିଛନ୍ତି । ୨୦୨୧ରେ ହୋଇଥିବା ସର୍ଭେ ଅନୁଯାୟୀ, ସମଗ୍ର ବିଶ୍ୱରେ  ମାତ୍ର ୨ ଲକ୍ଷରୁ କମ୍‌ ପାର୍ସୀ ରହିଛନ୍ତି । ତେଣୁ ଅନ୍ତିମ ସଂସ୍କାର ଏଭଳି ପରମ୍ପରା ଅନୁଯାୟୀ କରିବା ବହୁତ ମୁସ୍କିଲ ହୋଇପଡିଛି । ଏହାଛଡା ଚିଲ ଏବଂ ଶାଗୁଣା ଭଳି ପକ୍ଷୀ ସଂଖ୍ୟା ମଧ୍ୟ କମି କମି ଗଲାଣି । ତେଣୁ ଗତ କିଛିବର୍ଷ ମଧ୍ୟରେ ପାର୍ସୀ ସଂପ୍ରଦାୟର ଲୋକ ଅନ୍ତିମ ସଂସ୍କାର ପରମ୍ପରାରେ ପରିବର୍ତ୍ତନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like