ରତନ ଟାଟାଙ୍କ ୱିଲ୍: ୧୦,୦୦୦ କୋଟି ଟଙ୍କାର ସମ୍ପତ୍ତିରେ ରହିଛି ପୋଷା କୁକୁର ‘ଟିଟୋ’, ଶାନ୍ତନୁ ନାଇଡୁଙ୍କ ସହ ଏମାନଙ୍କ ନାମ

ଶିଳ୍ପପତି ରତନ ଟାଟାଙ୍କ ନିଧନ ପରଠାରୁ ତାଙ୍କ ସମ୍ପତ୍ତି ଏବଂ ୱିଲକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିଲା । ଲୋକଙ୍କ ମନରେ ପ୍ରଶ୍ନ ଥିଲା ଯେ ପ୍ରକୃତରେ ତାଙ୍କ ସମ୍ପତ୍ତିର ମାଲିକ କିଏ ହେବ ? ଏବେ ତାଙ୍କ ୧୦ ହଜାର କୋଟି ଟଙ୍କାର ୱିଲ୍ ସାମ୍ନାକୁ ଆସିଛି । ଏଥିରେ ସବୁଠାରୁ ଖାସ୍ କଥା ହେଉଛି, ରତନ ଟାଟା ନିଜ ପୋଷା କୁକୁର ‘ଟିଟୋ’ (ଜର୍ମାନ ଶେଫର୍ଡ) ର ଆଜୀବନ ଦେଖାଶୁଣା କଥା ଲେଖିଛନ୍ତି । ଏଥିପାଇଁ ସେ ଇଂରାଜୀରେ ‘ଅନଲିମିଟେଡ୍ କେୟାର’ ଶବ୍ଦ ବ୍ୟବହାର କରିଛନ୍ତି ।

ଦିବଂଗତ ରତନ ଟାଟାଙ୍କ ମୋଟ ସମ୍ପତ୍ତି ୧୦ ହଜାର କୋଟି ଟଙ୍କା କୁହାଯାଇଛି । ୱିଲ୍ ମୁତାବକ, ଏହି ସମ୍ପତ୍ତି ଅନେକ ଲୋକଙ୍କ ମଧ୍ୟରେ ଆବଣ୍ଟନ ହେବ । ସେମାନଙ୍କ ମଧ୍ୟରେ ଅଛନ୍ତି ତାଙ୍କର ଅତି ଘନିଷ୍ଠ ଶାନ୍ତନୁ ନାଇଡୁଙ୍କ ସହ ଘରୋଇ ଷ୍ଟାଫ । ଭାଇ ଜିମି ଟାଟା, ସାବତ ଭଉଣୀ ଶିରିନ୍, ଡିଆନା ଜିଜିଭୟଙ୍କ ନାଁ ମଧ୍ୟ ୱିଲରେ ଉଲ୍ଲେଖ ରହିଛି ।

ଏକ ଇଂରାଜୀ ଗଣମାଧ୍ୟମର ରିପୋର୍ଟ ମୁତାବକ, ରତନ ଟାଟା ‘ଟିଟୋ’କୁ ପ୍ରାୟ ୫-୬ ବର୍ଷ ପୂର୍ବେ କୋଳେଇ ନେଇଥିଲେ । ଦୀର୍ଘ ଦିନରୁ ରତନ ଟାଟାଙ୍କ କୁକ୍ ଭାବେ ରହି ଆସିଥିବା ରାଜନ ଶ’ ବର୍ତ୍ତମାନ ଟିଟୋର ଦେଖାଶୁଣା କରିବେ । ତିନି ଦଶନ୍ଧିରୁ ରତନ ଟାଟାଙ୍କ ସହ ରହିଥିବା ତାଙ୍କ ରୋଷେୟା ବଟଲର ସୁବୟାଙ୍କ ନାମ ମଧ୍ୟ ୱିଲରେ ଅନ୍ତର୍ଭୁକ୍ତ ରହିଛି । ରିପୋର୍ଟରେ କୁହାଯାଇଛି ଯେ ରତନ ଟାଟା ବିଦେଶ ଯାତ୍ରା ସମୟରେ ଏମାନଙ୍କ ପାଇଁ ଡିଜାଇନର ପୋଷାକ ଆଣୁଥିଲେ ।

ରତନ ଟାଟାଙ୍କ ଅତି ଘନିଷ୍ଠ ତଥା ଟାଟା ଟ୍ରଷ୍ଟର ସର୍ବକନିଷ୍ଠ ଜେନେରାଲ୍ ମ୍ୟାନେଜର ଶାନ୍ତନୁ ନାଇଡୁଙ୍କ ନାମ ମଧ୍ୟ ୱିଲରେ ରହିଛି । ନାଇଡୁଙ୍କ କମ୍ପାନୀ ‘ଗୁଡଫେଲୋଜ୍’ରେ ରତନ ଟାଟା ନିଜର ଅଂଶ ଛାଡ଼ିଛନ୍ତି । ଏହା ସହିତ ବିଦେଶରେ ଅଧ୍ୟୟନ ସମୟରେ ନାଇଡୁ ନେଇଥିବା ଋଣକୁ ଛାଡ୍ କରାଯାଇଛି ।

ରିପୋର୍ଟ ଅନୁସାରେ, ରତନ ଟାଟାଙ୍କ ୱିଲର ସମସ୍ତ କଥା ବର୍ତ୍ତମାନ ସାର୍ବଜନୀନ କରାଯାଇ ନାହିଁ । କିନ୍ତୁ ତାଙ୍କ ସମ୍ପତ୍ତିର ଏକ ବଡ଼ ଭାଗ ରତନ ଟାଟା ଏଣ୍ଡୋମେଣ୍ଟ ଫାଉଣ୍ଡେସନ (RTEF) କୁ ଯିବ । ଟାଟା ସନ୍ସର ଚେୟାରମ୍ୟାନ ଏନ୍ ଚନ୍ଦ୍ରଶେଖରନ୍ ଫାଉଣ୍ଡେସନର ନେତୃତ୍ୱ ନେବେ ଏବଂ ସେ ସାମାଜିକ କଲ୍ୟାଣ ତଥା ସେବା ପାଇଁ ଟାଟାର ଦୃଷ୍ଟିକୋଣ ଜାରି ରଖିବେ ।

ତେବେ ରତନଙ୍କ କୋଲାବା ନିବାସ ଏବଂ ତାଜ ୱେଲିଙ୍ଗଟନ ମୁଜରେ ରଖାଯାଇଥିବା ୨୦ ରୁ ୩୦ଟି ବିଳାସପୂର୍ଣ୍ଣ କାର୍ ଏ ପର୍ଯ୍ୟନ୍ତ ଆବଣ୍ଟନ କରାଯାଇ ନାହିଁ । ଏହା ସହିତ ତାଙ୍କ ଫେମସ୍ ଅଲିବାଗ ବିଚ୍ ବଙ୍ଗଳା ଏବଂ ଜୁହୁ ତାରା ରୋଡସ୍ଥିତ ମୁମ୍ବାଇ ନିବାସ ମଧ୍ୟ ସମ୍ପତ୍ତିରେ ଅନ୍ତର୍ଭୁକ୍ତ ରହିଛି । ଏହା ଉପରେ ବି ଏ ଯାଏ ନିଷ୍ପତ୍ତି ନିଆଯାଇ ନାହିଁ ।

You might also like