ମୁମ୍ବାଇ ଅଣୁଶକ୍ତି ନଗର ଠାରେ ଶ୍ରୀଗୁଣ୍ଡିଚା ଯାତ୍ରା ଆନନ୍ଦ ଉଦ୍ଦୀପନା ସହ ପାଳିତ

ଅଣୁଶକ୍ତିନଗରଠାରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି ଶ୍ରୀଗୁଣ୍ଡିଚା ଯାତ୍ରା

ମୁମ୍ବାଇ (କେନ୍ୟୁଜ୍‌) : ମୁମ୍ବାଇସ୍ଥିତ କେନ୍ଦ୍ରୀୟ ଆଣବିକ ଶକ୍ତି ବିଭାଗର ଆବାସିକ ପରିସର ଅଣୁଶକ୍ତିନଗରଠାରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି ଶ୍ରୀଗୁଣ୍ଡିଚା ଯାତ୍ରା । ସ୍ଥାନୀୟ ଓଡିଆ ସମିତି ଆନୁକୂଲ୍ୟରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ଶ୍ରୀଜୀଉମାନଙ୍କର ନେତ୍ର ଉତ୍ସବ, ନବଯୌବନ ଦର୍ଶନ ଏବଂ ଗୁଣ୍ଡିଚା ଯାତ୍ରା ଗୋଟିଏ ଦିନରେ ପଡିଥିବାରୁ ପ୍ରାତଃ କାଳରେ ପ୍ରଥମ ଦୁଇ ନୀତି ଅନୁଷ୍ଠିତ ହୋଇଥିଲା। ନେତ୍ରଉତ୍ସବର କର୍ମକାଣ୍ଡ, ହୋମ-ଯଜ୍ଞ ଆଦି ସମ୍ପନ୍ନ ହୋଇ ଆରତି ଅନୁଷ୍ଠିତ ହୋଇଥିଲା। ଏହା ପରେ ଭକ୍ତମାନଙ୍କ ସମାଗମ ମଧ୍ୟରେ ଶ୍ରୀଜୀଉମାନଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ଭକ୍ତମାନଙ୍କ ଦ୍ଵାରା ପ୍ରସ୍ତୁତ ୫୬ ପ୍ରକାରର ପାରମ୍ପରିକ ନୈବେଦ୍ୟ ପ୍ରଭୁଙ୍କୁ ସମର୍ପଣ କରାଯାଇଥିଲା ।

ଦିନ ପ୍ରାୟ ୧୧ଟା ବେଳକୁ ଶ୍ରୀଜୀଉମାନଙ୍କର ଗୁଣ୍ଡିଚା ଯାତ୍ରାର ବିଶେଷ ପୂଜାବିଧିମାନ କରାଯାଇଥିଲା। ରଥ ପୂଜା, ରଥ ଦଉଡ଼ି ପୂଜା ଏବଂ ରଥରେ ସ୍ଥାପିତ ପାର୍ଶ୍ଵ ଦେବାଦେବୀମାନଙ୍କର ପୂଜାବିଧି ସମ୍ପନ୍ନ ହୋଇ ଶ୍ରୀବିଗ୍ରହମାନଙ୍କର ଅନ୍ନ ଭୋଗ, ଆରତୀ ଏବଂ ମଙ୍ଗଳାର୍ପଣ କରାଯାଇଥିଲା। ପରେ ପାରମ୍ପରିକ ବେଶ, ଅଳଙ୍କାର ଏବଂ ସୁଦୃଶ୍ୟ ଟାହିୟାମାନଙ୍କରେ ସୁସଜ୍ଜିତ ଶ୍ରୀବିଗ୍ରହମାନଙ୍କର ରଥ ଉପରକୁ ପହଣ୍ଡି ବିଜେ କରାଯାଇଥିଲା।
ଅଣୁଶକ୍ତିନଗର ଓଡିଆ ସମିତିର ଅଧ୍ୟକ୍ଷ ଡା. ନିଗମନନ୍ଦ ମିଶ୍ର ଶ୍ରୀଜୀଉମାନଙ୍କର ଆଦ୍ୟସେବକ ଭାବେ ସୁବର୍ଣ୍ଣ ସମାର୍ଜନୀରେ ରଥ ଉପରେ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ। ଅପରାହ୍ନ ୨.୩୦ ଠାରୁ ରଥ ଟଣା ଯାଇଥିଲା । ଅଣୁଶକ୍ତିନଗର ପ୍ରାଙ୍ଗଣରେ ରଥପରିକ୍ରମା କରିଥିଲା। ଏଥିରେ ଭାଗ ନେବା ପାଇଁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଘଣ୍ଟ-ଘଣ୍ଟା, ମୃଦଙ୍ଗ, ଝାଞ୍ଜ-କରତାଳର ତାଳେ-ତାଳେ ଭଜନ କୀର୍ତ୍ତନରେ ନିମଗ୍ନ ହୋଇଥିଲେ ଭକ୍ତମାନେ । ଅନେକ ଭକ୍ତ ରଥ ସମ୍ମୁଖରେ ନୃତ୍ୟ ପରିବେଷଣ କରିଥିଲେ। ଏଥିରେ କେବଳ ଓଡ଼ିଆ ନୁହନ୍ତି ସବୁ ସମ୍ପ୍ରଦାୟର ଲୋକେ ଭକ୍ତିଭାବନାର ସହ ଅଂଶଗ୍ରହଣ କରିଥିଲେ ।
ରଥ ପରିକ୍ରମା ଶେଷ ହେବା ପରେ ଶ୍ରୀବିଗ୍ରହମାନଙ୍କର ରଥ ଉପରେ ପୂଜାବିଧି ଆଳତି ଆଦି ସମ୍ପନ୍ନ କରାଯାଇଥିଲା । ପରେ ସାଙ୍କେତିକ ଶ୍ରୀଗୁଣ୍ଡିଚା ମନ୍ଦିରର ଜନ୍ମବେଦିକୁ ପହଣ୍ଡି ବିଜେ କରାଯାଇଥିଲା। ଜନ୍ମବେଦି ଉପରେ ସମସ୍ତ ପୂଜାବିଧି ଧୂପ, ଦୀପ, ନୈବେଦ୍ୟ ସମର୍ପଣ, ଆରତୀ ଏବଂ ଭକ୍ତମାନଙ୍କ ଦ୍ଵାରା ପୁଷ୍ପାଞ୍ଜଳି ଅନୁଷ୍ଠିତ ହୋଇଥିଲା।

BARC-2

ସନ୍ଧ୍ୟାରେ ଭକ୍ତମାନଙ୍କ ଦ୍ଵାରା ଶ୍ରୀଜଗନ୍ନାଥ ଅଷ୍ଟକ ପାଠ ଏବଂ ସାର୍ବଜନୀନ ସଂକୀର୍ତ୍ତନ ସହ ଭଜନ ଓ ନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏହି ଅବସରରେ ଓଡିଆ ସମିତି ଦ୍ଵାରା ପ୍ରସାଦ ସେବନର ମଧ୍ୟ ଆୟୋଜନ କରାଯାଇଥିଲା। ଉତ୍ସବରେ ଅଣୁଶକ୍ତିନଗର ଓଡିଆ ସମିତିର ଶତାଧିକ ସଦସ୍ୟଙ୍କ ଅନ୍ୟ ଭାଷା ଓ ସମ୍ପ୍ରଦାୟର ଜଗନ୍ନାଥ ଅନୁରାଗୀ ଭକ୍ତବୃନ୍ଦ ସପରିବାର ଯୋଗଦାନ କରିଥିଲେ । ଚଳିତ ବର୍ଷ ସମିତି ଦ୍ଵାରା ବିଭାଗର କିଛି ଅବସରପ୍ରାପ୍ତ କର୍ମକର୍ତ୍ତାମାନଙ୍କୁ ଶ୍ରୀଜୀଉମାନଙ୍କର ଦୈନନ୍ଦିନ ଆରତିରେ ସମ୍ମିଳିତ କରିବା ପାଇଁ ଆମନ୍ତ୍ରଣର ନିଷ୍ପତ୍ତି ପୂଜ୍ୟ-ପୂଜା ସଂସ୍କୃତିର ଏକ ବିଶେଷ ନିଦର୍ଶନ ହୋଇ ରହିବ।

ଅଣୁଶକ୍ତିନଗର ଓଡିଆ ସମିତି ଦ୍ଵାରା ପ୍ରତିବର୍ଷ ଶ୍ରୀଜୀଉମାନଙ୍କର ନବଦିନାତ୍ମକ ଘୋଷଯାତ୍ରା ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇ ଆସୁଛି। ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରାର ସଫଳ ଆୟୋଜନ ପାଇଁ ସମିତି ପକ୍ଷରୁ ଅଧ୍ୟକ୍ଷ ଡା: ନିଗମାନନ୍ଦ ମିଶ୍ର, ଉପାଧ୍ୟକ୍ଷ ଜିତେନ୍ଦ୍ର ଶୁକ୍ଲା, ସଚିବ ଅଶୋକ କୁମାର ରଥ, ରଥଯାତ୍ରା କାର୍ଯ୍ୟନିର୍ବାହୀ ସଂଯୋଜକ ଡ: ସୌମିତ୍ର କର, ଏବଂ ସମିତିର ବରିଷ୍ଠ ମାର୍ଗ ଦର୍ଶକ ଏବଂ ସଦସ୍ୟ, କାର୍ଯ୍ୟରତ ଭକ୍ତମାନଙ୍କ ସହଯୋଗରେ ଶୃଙ୍ଖଳିତ ଭାବେ ଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇଛି ।