ରାବଣ ମୁଣ୍ଡ ପୋଡ଼ିଲାନି କାହିଁକି, ଜବାବ ଦିଅ ? ସସପେଣ୍ଡ ହେଲେ ଚାରି ଜଣ ଅଧିକାରୀ

ଛତିଶଗଡ଼ର ଧମତରିରେ ରାବଣ ପୋଡ଼ିକୁ ନେଇ ଭିନ୍ନ ଏକ ଘଟଣା ଘଟିଛି । ଏଠି ରାବଣ ପୋଡ଼ି ପାଇଁ ତିଆରି ହୋଇଥିବା ପୁତ୍ତଳିକାଟି ପୂରା ପୋଡ଼ିଲା ନାହିଁ । ଏଥିରେ ନିଆ ଲାଗିଲା ପରେ ଏହାର ଦେହ ସିନା ପୋଡ଼ି ଗଲା ହେଲେ ଦଶଟି ଯାକ ମୁଣ୍ଡ ଅକ୍ଷତ ରହିଗଲା । ଆଉ ଏହାର ପ୍ରଭାବ ପଡ଼ିଲା ଦାୟିତ୍ୱରେ ଥିବା ଚାରି ଜଣ ଅଧିକାରୀଙ୍କ ଉପରେ । ଅବଶ୍ୟ ସେମାନଙ୍କର ସିନା ମୁଣ୍ଡକାଟ ହୋଇନି କିନ୍ତୁ ସେମାନଙ୍କୁ ନିଲମ୍ବିତ କରାଯାଇଛି ଓ କାରଣ ଦର୍ଶାଅ ନୋଟିସ୍‌ ମଧ୍ୟ ଜାରି କରାଯାଇଛି ।
ସୂଚନା ଅନୁସାରେ, ଧମତରିର ରାମଲୀଳା ମଇଦାନରେ ଗତ ୫ ତାରିଖ ଦିନ ରାବଣ ପୋଡ଼ିର ଆୟୋଜନ କରାଯାଇଥିଲା । ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ ପାଳନ ପାଇଁ ସବୁଠି ବେଶ୍‌ ଉତ୍ସାହ ଥିବା ବେଳେ ଏଠାରେ ମଧ୍ୟ ବଡ଼ ଧରଣର ଆୟୋଜନ କରାଯାଇଥିଲା । ଏହି ଆୟୋଜନର ଦାୟିତ୍ୱ ରହିଥିଲା ସ୍ଥାନୀୟ ମହାନଗର ନିଗମ ଉପରେ । ଏହାର ଚାରି ଜଣ ଅଧିକାରୀ ସମସ୍ତ ଆୟୋଜନର ନେତୃତ୍ୱ ନେଇଥିଲେ । ହେଲେ ରାବଣ ଦେହରେ ନିଆଁ ଲାଗିବା ପରେ ଏହାର ପୂରା ଶରୀର ସିନା ଜଳିଗଲା କିନ୍ତୁ ଦଶଟି ଯାକ ମୁଣ୍ଡ ନଜଳି ସେମିତି ରହିଗଲା । ଲାଗୁଥିଲା ଯେମିତି ଆୟୋଜକଙ୍କୁ ରାବଣ ତାତ୍ସଲ୍ୟ କରୁଛି ।

ଏହି ଘଟଣାରେ ସେଠାରେ ଉପସ୍ଥିତ ଥିବା ଅତିଥିମାନଙ୍କ ସମେତ ଦର୍ଶକ ମଧ୍ୟ ମର୍ମାହତ ହୋଇଥିଲେ । କିଛି ଲୋକ ତ ଏହାକୁ ଅଶୁଭ ସଂକେତ ବୋଲି କହିବାକୁ ପଛାଇଲେ ନାହିଁ । ଫଳରେ ମହାନଗର ନିଗମ ପକ୍ଷରୁ ଦାୟିତ୍ୱରେ ଥିବା ଚାରି ଅଧିକାରୀଙ୍କୁ ନିଲମ୍ବିତ କରାଯାଇ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି ।
ଏହି ନୋଟିସ୍‌ରେ ଲେଖା ଯାଇଛିକି ରାବଣ ପୋଡ଼ିରେ ହୋଇଥିବା ଅବ୍ୟବସ୍ଥା ଧମତରି ମହାନଗର ନିଗମର ମର୍ଯ୍ୟାଦାକୁ କ୍ଷୁଣ୍ଣ କରିଛି । କଣ ପାଇଁ ଏଭଳି ଘଟିଲା ଏବଂ କେଉଁଠି ତ୍ରୁଟି ରହିଲା ତାର ଜବାବ ଦେବାକୁ ନୋଟିସ୍‌ରେ ଉଲ୍ଲେଖ କରାଯାଇଛି ।

 

Leave A Reply

Your email address will not be published.