ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅସୁସ୍ଥ, ଛାତିରେ ଯନ୍ତ୍ରଣା ଯୋଗୁଁ ହସପିଟାଲରେ ଭର୍ତ୍ତି

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ତଥା ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ଚେନ୍ନାଇର ଆପୋଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ହସପିଟାଲରେ ଡାକ୍ତରଙ୍କ ତତ୍ତ୍ବାବଧାନରେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ରହିଛି ।

ଆରବିଆଇ ପ୍ରବକ୍ତାଙ୍କ ସୂଚନା ମୁତାବକ, ଗତକାଲି ରାତିରେ ଶକ୍ତିକାନ୍ତ ଦାସ ଛାତିରେ ଜଳାପୋଡା ସାଙ୍ଗକୁ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତରମାନେ ତାଙ୍କ ଚିକିତ୍ସା କରିଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ।  ଚିନ୍ତା କରିବାର କୌଣସି କାରଣ ନାହିଁ । ଆଉ ୨ରୁ ୩ ଘଣ୍ଟା ଭିତରେ ଡିସଚାର୍ଜ କରାଯିବ ।

୧୯୮୦ମସିହାରେ ଶକ୍ତିକାନ୍ତ ତାମିଲନାଡୁ କ୍ୟାଡ଼ରରୁ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ୨୦୧୪ରୁ ୨୦୧୫ କେନ୍ଦ୍ର ରାଜସ୍ୱ ବିଭାଗ ସଚିବ ଏବଂ ୨୦୧୬ରୁ ୨୦୧୭ ପର୍ଯ୍ୟନ୍ତ ଅର୍ଥନୀତି ବ୍ୟାପାର ସଚିବ ଥିଲେ । ତାମିଲନାଡୁ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ସଚିବ ଭାବରେ କାର୍ଯ୍ୟ କରି ସେ ୨୦୧୭ ମେ ୨୮ତାରିଖରେ ସେବାନିବୃତ ହୋଇଥିଲେ । ଅବସରପରେ, ଭାରତ ସରକାର ତାଙ୍କୁ ପଞ୍ଚଦଶ ଅର୍ଥ ଆୟୋଗର ସଚିବ ଭାବରେ ନିଯୁକ୍ତି ଦେଇଥିଲେ । ସେ ସେଣ୍ଟ୍‌ ଷ୍ଟିଫେନ୍‌ କଲେଜ୍‌, ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରି ହାସଲ କରିଛନ୍ତି ।

 

You might also like