ରେଖା ଗୁପ୍ତା ସରକାର ନେଲେ ୫ ବଡ଼ ନିଷ୍ପତ୍ତି, ପ୍ରଶାସନରେ ଅଦଳବଦଳ, ମାଗଣା ଯାତ୍ରାକୁ ସବୁଜ ସଙ୍କେତ

ଦିଲ୍ଲୀର ରେଖା ଗୁପ୍ତା ସରକାର ଶପଥ ନେବା ପରେ ଆକ୍ସନ ମୋଡରେ ଅଛନ୍ତି । ମୁଖ୍ୟମନ୍ତ୍ରୀ ଶୁକ୍ରବାର ଏକ ବଡ଼ ପ୍ରଶାସନିକ ଅଦଳବଦଳ କରିଛନ୍ତି । ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସେମାନଙ୍କର ମୂଳ ବିଭାଗରେ ରିପୋର୍ଟ କରିବାକୁ କୁହାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କ ବ୍ୟକ୍ତିଗତ ଷ୍ଟାଫ୍‌ଙ୍କ ସେବା ମଧ୍ୟ ସମାପ୍ତ କରାଯାଇଛି । ଏମିତିରେ ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ ସରକାର ପାଞ୍ଚଟି ବଡ଼ ନିଷ୍ପତ୍ତି ନେଇଛନ୍ତି ।

ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବହନ ମନ୍ତ୍ରୀ ଡା. ପଙ୍କଜ ସିଂ କହିଛନ୍ତି ଯେ ଆଜି ସେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଅବସ୍ଥା ବହୁତ ଖରାପ । ସେ କହିଛନ୍ତି, ମୋହଲ୍ଲା କ୍ଲିନିକଗୁଡ଼ିକର ଯାଞ୍ଚ କରାଯିବ । ଔଷଧ ଅଭାବଠାରୁ ଆରମ୍ଭ କରି ଡାକ୍ତରଙ୍କ ପ୍ରେସକ୍ରିପସନ୍‌ ପର୍ଯ୍ୟନ୍ତ ସବୁକିଛିର ତଦନ୍ତ କରାଯିବ । ଯଦି କୌଣସି ଅନିୟମିତତା ମିଳେ, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏହିପରି ଡିଟିସି ବସଗୁଡ଼ିକର ସମ୍ପୂର୍ଣ୍ଣ ମୂଲ୍ୟାଙ୍କନ କରାଯିବ । କୁହାଯାଇଛି ଯେ ୪୦ ପ୍ରତିଶତ ବସ୍ ଡିପୋରେ ଅଛି । ନୂତନ ବସ୍ କିଣାଯାଇ ନାହିଁ । ଏ ସବୁର ତଦନ୍ତ ହେବ । ଏହା ବ୍ୟତୀତ ରେଖା ଗୁପ୍ତା ସରକାର କହିଛନ୍ତି ଯେ ଦିଲ୍ଲୀ ବସରେ ମହିଳାଙ୍କ ପାଇଁ ମାଗଣା ଯାତ୍ରା ଜାରି ରହିବ । ଏଥିରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଉ ନାହିଁ ।

ଦିଲ୍ଲୀର ପୂର୍ବ ସରକାର ଯେଉଁ ଅଧିକାରୀ ଏବଂ କର୍ମଚାରୀଙ୍କୁ ଅନ୍ୟ ସ୍ଥାନରେ ନିଯୁକ୍ତ କରିଥିଲେ, ସେମାନଙ୍କୁ ତୁରନ୍ତ ସେମାନଙ୍କ ମୂଳ ବିଭାଗରେ ରିପୋର୍ଟ କରିବାକୁ କୁହାଯାଇଛି । ଏହା ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କ ବ୍ୟକ୍ତିଗତ କର୍ମଚାରୀଙ୍କ ସେବା ମଧ୍ୟ ସମାପ୍ତ କରାଯାଇଛି ।

ଆହୁରି ପଢ଼ନ୍ତୁ: ଆଜିଠୁ ଦିଲ୍ଲୀରେ ବିଜେପି ସରକାର : ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା, ଉପମୁଖ୍ୟମନ୍ତ୍ରୀ ହେଲେ ପରବେଶ ବର୍ମା