ନେପାଳ ବିମାନ ଦୁର୍ଘଟଣା: ଏବେ ବି ମୃତଦେହକୁ ଅପେକ୍ଷା କରିଛନ୍ତି ପରିଜନ, କେବଳ ଆସିଛି ଜଣେ ଭାରତୀୟଙ୍କ ମୃତଦେହ
ନେପାଳ ବିମାନ ଦୁର୍ଘଟଣାରେ ଜୀବନ ହାରିଥିବା ୫ ଭାରତୀୟଙ୍କ ମଧ୍ୟରୁ ୪ ଭାରତୀୟଙ୍କ ପରିବାର ଏବେଯାଏଁ ମୃତଦେହକୁ ଅପେକ୍ଷା କରି ରହିଛନ୍ତି। ଦୁର୍ଘଟଣା ହେବାର ୮ ଦିନ ବିତିଗଲାଣି। ତଥାପି ଭାରତୀୟଙ୍କ ମୃତଦେହକୁ ଏପର୍ଯ୍ୟନ୍ତ ପରିବାରକୁ ହସ୍ତାନ୍ତର କରାଯାଇନାହିଁ ।
ମଙ୍ଗଳବାର ଠାରୁ ନେପାଳୀ ଅଧିକାରୀ ନିଜ ପରିଜନଙ୍କୁ ମୃତଦେହ ହସ୍ତାନ୍ତର କଲାଣି । ହେଲେ ଭାରତୀୟଙ୍କ ମଧ୍ୟରୁ କେବଳ ସଞ୍ଜୟ ଜୟସଓ୍ଵାଲଙ୍କ ମୃତଦେହକୁ ୨୦ ଜାନୁଆରୀ ଦି ନ ପରିବାରକୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ଅନ୍ୟ ୪ ଜଣଙ୍କ ମୃତଦେହକୁ ଏପର୍ଯ୍ୟନ୍ତ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇନାହିଁ ।
ରିପୋର୍ଟ ମୁତାବକ, ହସପିଟାଲରେ ୪୯ ମୃତଦେହର ବ୍ୟବଚ୍ଛେଦ କରାଯାଇଛି । ୨୨ ନେପାଳୀଙ୍କ ମୃତଦେହକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ମୃତଦେହ ଚିହ୍ନଟ ପାଇଁ ଯେଉଁ ଚିହ୍ନ ବିଷୟରେ କୁହାଯାଇଛି, ତାହା ପର୍ଯ୍ୟାପ୍ତ ନୁହେଁ ବୋଲି ଡାକ୍ତରୀ ଟିମ୍ କହିଛି। ତେଣୁ ମୃତଦେହକୁ ଚିହ୍ନିବାରେ ସମୟ ଲାଗୁଛି ।
ଜାନୁଆରୀ ୧୫ ତାରିଖରେ ନେପାଳର ପୋଖରାରେ ୟେତି ଏୟାରଲାଇନ୍ସର ବିମାନ ଦୁର୍ଘଟଣା ହୋଇଥିଲା । ଏଥିରେ ୭୨ ଜଣ ଲୋକଙ୍କ ଜୀବନ ଚାଲିଯାଇଥିଲା। ବିମାନ ଦୁର୍ଘଟଣାରେ ୫୩ ନେପାଳୀ, ୫ ଭାରତୀୟ, ୧୫ ବିଦେଶୀ ନାଗରିକ ଏବଂ କ୍ର୍ୟୁ ମେମ୍ବର ରହିଥିଲେ ।
ସୂଚନାଯୋଗ୍ୟ, ୭୨ ସିଟ୍ ବିଶିଷ୍ଟ ୟେତି ATR- ୭୨ ବିମାନରେ ୬୮ ଯାତ୍ରୀ ଓ ୪ କ୍ର୍ୟୁ ମେମ୍ବର ଥିଲେ। ବିମାନଟି ସଂପୂର୍ଣ୍ଣ ଜଳି ସାରିଥିବାରୁ ଏହା ମଧ୍ୟରେ ଥିବା ସମସ୍ତ ଲୋକଙ୍କ ମୃତ୍ୟୁ ହୋଇଛି । କିନ୍ତୁ ଉଦ୍ଧାରକାରୀ ଦଳ ଏବେ ବି ମୃତଦେହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ବିମାନରେ ୫୩ଜଣ ନେପାଳୀ, ୫ଜଣ ଭାରତୀୟ, ୪ଜଣ ରୁଷୀୟ, ୨ଜଣ କୋରିଆନ୍, ଜଣେ ଆର୍ଜେଣ୍ଟିନା ଓ ଜଣେ ଫ୍ରାନ୍ସ ଯାତ୍ରୀ ରହିଥିଲେ । ବିମାନଟି ରବିବାର ଦିନ ୧୦.୩୩ରେ କାଠମାଣ୍ଡୁରୁ ଉଡ଼ାଣ ଆରମ୍ଭ କରିଥିଲା। ତେବେ ଉଡ଼ାଣ ଆରମ୍ଭ ହେବାର ୨୦ ମିନିଟ୍ ପରେ ବିମାନଟି ପୁରୁଣା ଏୟାରପୋର୍ଟ ଓ ନୂଆ ଏୟାରପୋର୍ଟ ମଧ୍ୟରେ ଥିବା ସେତି ନଦୀ କୂଳରେ ଖସି ପଡ଼ିଥିଲା। ତେବେ ହଠାତ୍ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଗୋଟିଏ ପଟକୁ ଦାବି ହୋଇ ଶେଷରେ ଦୁର୍ଘଟଣା ହୋଇଛି ବୋଲି ଏୟାରଲାଇନ୍ସ କହିଛି।