ଗୁଜରାଟ: ଲୋଥାଲ ପ୍ରତ୍ନତାତ୍ତ୍ୱିକ ସ୍ଥଳରେ ଭୁଶୁଡ଼ିଲା ମାଟି, ଗବେଷକ ଛାତ୍ରୀଙ୍କ ମୃତ୍ୟୁ, ୩ ଆହତ
ଗୁଜରାଟର ଲୋଥାଲ ପ୍ରତ୍ନତାତ୍ତ୍ୱିକ ସ୍ଥଳରେ ମାଟି ଭୁଶୁଡ଼ି ଜଣେ ଗବେଷକ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି । ମୃତ ଛାତ୍ରୀ ଜଣକ ଆଇଆଇଟି ଦିଲ୍ଲୀର ସୁରଭି ବର୍ମା ବୋଲି ଜଣାପଡିଛି ।
ମିଳିଥିବା ସୂଚନା ମୁତାବକ, ଏହି ଅନୁସନ୍ଧାନକାରୀ ଟିମ୍ ଗତ ତିନି ଦିନ ଧରି ଲୋଥାଲରେ ଭୂ ନମୁନା ସଂଗ୍ରହ କରୁଥିଲେ । ସେମାନେ ଏକ ପ୍ରୋଜେକ୍ଟ ଅଧୀନରେ ଆଜି ସକାଳେ ଲୋଥାଲ ନିକଟ ସରଗୱାଡ଼ା ନିକଟରେ ଗବେଷଣା କାର୍ଯ୍ୟ କରୁଥିଲେ । ଏଠାରେ ୧୨ରୁ ୧୫ ଫୁଟ ଗର୍ତ୍ତକୁ ଓହ୍ଲାଇ ଛାତ୍ରଛାତ୍ରୀ ନମୁନା ସଂଗ୍ରହ କରୁଥିଲେ । ଏହି ସମୟରେ ହଠାତ୍ ମାଟି ଭୁଶୁଡ଼ି ପଡ଼ିବାରୁ ସୁରଭି ଏହା ତଳେ ପୋତି ହୋଇ ପଡ଼ିଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ୩ ଜଣ ଏଥିରେ ଆହତ ହୋଇଥିଲେ ।
ମୃତା ସୁରଭି ବର୍ମା ଉତ୍ତରପ୍ରଦେଶ ସୀତାପୁରର ବାସିନ୍ଦା ଥିଲେ । ଗତ ବର୍ଷ ସେ ଆଇଆଇଟି ଦିଲ୍ଲୀରେ ଆଡମିଶନ ନେଇଥିଲେ । ଏକ ଗବେଷଣା ପ୍ରୋଜେକ୍ଟ ଅଧୀନରେ ସେ ସାଥୀ ଗବେଷକମାନଙ୍କ ସହ ଭୂ ନମୁନା ସଂଗ୍ରହ କରିବାକୁ ଲୋଥାଲ ଆସିଥିଲେ ।
ଏହି ଘଟଣା ସମ୍ପର୍କରେ ସୂଚନା ପାଇ ୧୦୮, ଅଗ୍ନିଶମ ଏବଂ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଉଦ୍ଧାରକାରୀ ଟିମ୍ ସମସ୍ତଙ୍କୁ ଘଟଣାସ୍ଥଳରୁ ବାହାର କରିଥିଲେ । ଆହତମାନଙ୍କୁ ଭଦୋଦରା ସ୍ଥାନାନ୍ତର କରାଯାଇଥିବା ବେଳେ ସୁରଭି ବର୍ମାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।