ଦିଲ୍ଲୀର ପୋଶ୍ ଅଞ୍ଚଳରେ ଏକ ବଡ଼ ଲୁଟ୍ ଘଟଣା ଘଟିଛି । ଏଠାରେ ୨ ଲୁଟେରା ନିଜକୁ ‘କୋରିଅର ବୟ’ ବୋଲି କହି ଜଣେ ଅବସରପ୍ରାପ୍ତ ବୈଜ୍ଞାନିକଙ୍କ ଘରେ ପଶିଥିଲେ । ଏହାପରେ ବନ୍ଧୁକ ମୁନରେ ଘରେ ଥିବା ନଗଦ ଟଙ୍କା ଏବଂ ସୁନା ଅଳଙ୍କାର ଲୁଟି ନେଇଥିଲେ । ଗତ ଶୁକ୍ରବାର ଦିନ ଦ୍ୱିପ୍ରହରରେ ରୋହିଣୀର ପ୍ରଶାନ୍ତ ବିହାର ଅଞ୍ଚଳରେ ଏହି ଘଟଣା ଘଟିିଛି ।
ଲୁଟେରାମାନେ କୋରିଅର ବୟ ବୋଲି କହି ଘର ଭିତରେ ପଶିଥିଲେ । ସେମାନେ ଅବସରପ୍ରାପ୍ତ ବୈଜ୍ଞାନିକ ଓ ତାଙ୍କ ପତ୍ନୀଙ୍କୁ ବନ୍ଧୁକ ମୁନରେ ବନ୍ଧକ ରଖି ପାଖାପାଖି ୨ କୋଟି ଟଙ୍କା ଲୁଟି ନେଇଥିଲେ ।
ପୋଲିସ ସୂଚନା ମୁତାବକ, ଏଠାରେ ପ୍ରଶାନ୍ତ ବିହାରସ୍ଥିତ ଘରେ ଶିବୁ ସିଂ ପତ୍ନୀ ନିର୍ମଳାଙ୍କ ସହ ରୁହନ୍ତି । ଶୁକ୍ରବାର ଦ୍ୱିପ୍ରହରରେ ବୃଦ୍ଧ ଦମ୍ପତି ଘରେ ଥିଲେ । ଏହି ସମୟରେ ୨ ଜଣ ଲୁଟେରା ନିଜକୁ କୋରିଅର ବୟ ବୋଲି କହି ଘର ଭିତରେ ପ୍ରବେଶ କରିଥିଲେ । ଘରେ ପଶିବା କ୍ଷଣି ସେମାନେ ଶିବୁ ଓ ତାଙ୍କ ପତ୍ନୀଙ୍କୁ ବନ୍ଧୁକ ମୁନରେ ବନ୍ଧକ ରଖିଥିଲେ । ଏହାକୁ ବିରୋଧ କରିବାରୁ ଲୁଟେରାମାନେ ଅବସରପ୍ରାପ୍ତ ବୈଜ୍ଞାନିକଙ୍କୁ ଆକ୍ରମଣ କରିଥିଲେ ।
ଏହି ଘଟଣା ସମ୍ପର୍କରେ ବୃଦ୍ଧ ଦମ୍ପତି ନିଜ ପୁଅକୁ ଜଣାଇଥିଲେ । ଦିଲ୍ଲୀରେ ଅଲଗା ରହୁଥିବା ପୁଅ ଏ ନେଇ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦମ୍ପତିଙ୍କୁ ମେଡିକାଲ ଯାଞ୍ଚ ପାଇଁ ପଠାଇଛି । ଲୁଟେରା ଦ୍ୱୟଙ୍କୁ ଧରିବା ପାଇଁ ୬ଟି ପୋଲିସ ଟିମ୍ ଗଠନ କରାଯାଇଛି ।