ଆରଜି କର୍ କଲେଜ୍ ଦୁଷ୍କର୍ମ ଓ ହତ୍ୟା ମାମଲା: କୋର୍ଟଙ୍କ ରାୟରେ ଅସନ୍ତୁଷ୍ଟ ମମତା ବାନାର୍ଜୀ

ପଶ୍ଚିମବଙ୍ଗ: ବହୁଚର୍ଚ୍ଚିତ କୋଲକାତା ଆରଜି କର୍ ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୋମବାର ସିଆଲଦା କୋର୍ଟ ତାଙ୍କର ରାୟ ଶୁଣାଇଛନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା ସଞ୍ଜୟ ରାୟଙ୍କୁ ସିଆଲଦା କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଥିବାବେଳେ କୋର୍ଟର ଏହି ରାୟକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଏହି ଦଣ୍ଡାଦେଶ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମମତା କହିଛନ୍ତି ଯେ, ଘଟଣାର ପ୍ରଥମ ଦିନରୁ ହିଁ ଦୋଷୀକୁ ଫାଶି ଦିଆଯାଉ ବୋଲି ମୁଁ ଚାହୁଁଥିଲି । କୋର୍ଟଙ୍କ ଏହି ରାୟ ପାଇଁ ମମତା ସିବିଆଇ ତଦନ୍ତକୁ ଦାୟୀ କରି କହିଛନ୍ତି, ସିବିଆଇ ଠିକ ଭାବେ ତଦନ୍ତ କରି ନ ଥିବାରୁ ଅଦାଲତ ଦୋଷୀକୁ ଏପରି ଦଣ୍ଡ ଶୁଣାଇଛନ୍ତି । ଯଦି ଏହି ମାମଲାର ତଦନ୍ତ କୋଲକାତା ପୋଲିସ କରିଥାନ୍ତା ତେବେ ଦୋଷୀକୁ ନିଶ୍ଚିତ ରୂପେ ଫାଶୀ ଦଣ୍ଡ ମିଳିଥାନ୍ତା ।
ସୂଚନା ଅନୁସାରେ, ଆରଜି କର୍ ମେଡିକାଲ କଲେଜ ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଗତକାଲି କୋଲକାତା ସିଆଲଦା କୋଟ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ଏହା ସହିତ ଭାରତୀୟ ନ୍ୟାୟ ସଂହିତାର ୩ଟି ଧାରା ଅନୁଯାୟୀ ୫୦ ହଜାର ଟଙ୍କା ଜରିମାନା ମଧ୍ୟ ଲାଗୁ କରିବା ସହ ପୀଡିତାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଏନେଇ ପୀଡ଼ିତାଙ୍କ ପରିବାର ଲୋକେ ଆଥିର୍କ ସହାୟତା ବଦଳରେ ନ୍ୟାୟ ପାଇଁ ଦାବି କରିଛନ୍ତି। ଗୋଟେପଟେ କୋର୍ଟର ନ୍ୟାୟ ଠିକ୍ ହୋଇନାହିଁ ବୋଲି ପୀଡ଼ିତାଙ୍କ ପରିବାର ଲୋକେ କହିଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସମାନ ଦାବି କରିଛନ୍ତି ।