କୋଲକାତା କାଣ୍ଡ: ୧୭ ଲକ୍ଷ ଟଙ୍କା କ୍ଷତିପୂରଣ ନେବାକୁ ମନା କରିଦେଲେ ପୀଡ଼ିତାଙ୍କ ବାପା, ମାଆ

କୋଲକାତା ଆରଜି କର ହସ୍ପିଟାଲ ମାମଲାରେ ଆଜି ଆସିଥିବା କୋର୍ଟଙ୍କ ରାୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପୀଡ଼ିତାଙ୍କ ବାପା, ମାଆ । ସେମାନେ କୋର୍ଟଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହନ୍ତି ବୋଲି କହିଛନ୍ତି । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସଂଜୟ ରାୟକୁ ଆଜୀବନ ଶୁଣାଇଛନ୍ତି ସିଆଲଦା କୋର୍ଟ । କୋର୍ଟ ୫୦ ହଜାର ଟଙ୍କା ଜରିମାନା ସହିତ ଆଜୀବନ କାରା ଦଣ୍ଡାଦେଶ ଦେଇଛନ୍ତି ।

ତେବେ କୋର୍ଟଙ୍କ ରାୟକୁ ନେଇ ପୀଡ଼ିତାଙ୍କ ବାପା, ମାଆ କହିଛନ୍ତି ଯେ ଏହି ଜଘନ୍ୟ କାଣ୍ଡର ତଦନ୍ତ ଅଧା ଅଧୁରା ମନରେ କରାଯାଇଛି । ଅପରାଧରେ ସମ୍ପୃକ୍ତ ଅନେକ ଦୋଷୀଙ୍କୁ ରକ୍ଷା କରାଯାଇଛି । ସେମାନେ ନ୍ୟାୟ ଦାବିରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ।

ପୀଡ଼ିତାଙ୍କ ମାଆ କହିଛନ୍ତି, ଆମେ ସ୍ତବ୍ଧ । ଏହା ବିରଳରୁ ବିରଳତମ ମାମଲା କେମିତି ନୁହେଁ । ଡ୍ୟୁଟିରେ ଥିବା ଜଣେ ଡାକ୍ତରଙ୍କ ସହ ଦୁଷ୍କର୍ମ କରାଗଲା, ତାଙ୍କୁ ମାରି ଦିଆଗଲା । ଆମେ ନିରାଶ ଅଛୁ । ଏହି ଅପରାଧ ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥିଲା ।

ପୀଡ଼ିତାଙ୍କ ବାପା କହିଛନ୍ତି, ଯେ ପର୍ଯ୍ୟନ୍ତ ଅନ୍ୟ ସମସ୍ତ ଦୋଷୀଙ୍କୁ ଦଣ୍ଡ ନ ମିଳିଛି, ସେ ପର୍ଯ୍ୟନ୍ତ ସେମାନେ ନିଜର ଲଢ଼େଇ ଜାରି ରଖିବେ । ଏହା ସହିତ ପୀଡ଼ିତାଙ୍କ ବାପା, ମାଆ କ୍ଷତିପୂରଣ ନେବାକୁ ମନା କରି ଦେଇଛନ୍ତି । ଆଜି କୋର୍ଟ ନିଜର ନିଷ୍ପତ୍ତି ଶୁଣାଣି ବେଳେ ରାଜ୍ୟ ସରକାରଙ୍କୁ ୧୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହାକୁ ନେବେ ନାହିଁ ବୋଲି ସେମାନେ କହିଛନ୍ତି ।

ଏହି ଦଣ୍ଡ ଘୋଷଣା ସହିତ ୧୬୭ ଦିନ ପରେ ଡାକ୍ତରୀ ଛାତ୍ରୀ ଅଭୟାଙ୍କୁ ନ୍ୟାୟ ମିଳିଛି । ସଂଜୟ ରାୟକୁ ଶନିବାର ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ସଂଜୟକୁ ବିଏନଏସ୍ ସେକ୍ସନ ୬୪, ୬୬ ଏବଂ ୧୦୩(୧) ଅଧୀନରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ସେ ହସ୍ପିଟାଲର ସେମିନାର ରୁମରେ ପଶି ସେଠାରେ ବିଶ୍ରାମ ନେଉଥିବା ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରିଥିଲେ ।

ଆହୁରି ପଢ଼ନ୍ତୁ: କୋଲକାତା ଅଭୟା ମାମଲା, ସଂଜୟ ରାୟକୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଲେ ସିଆଲଦା କୋର୍ଟ

You might also like