ଭାରତୀୟ ବଂଶୋଦ୍ଭବ ରିଷି ସୁନକ୍ ହେବେ ବ୍ରିଟେନ ପ୍ରଧାନମନ୍ତ୍ରୀ! ଶହେରୁ ଅଧିକ ସାଂସଦଙ୍କ ସମର୍ଥନ

ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ରିଷି ସୁନକ୍ । ଭାରତୀୟ ବଂଶୋଦ୍ଭବ ରିଷି ସୁନକ୍ ହେବେ ବ୍ରିଟେନ ପ୍ରଧାନମନ୍ତ୍ରୀ। ଇନଫୋସିସ୍ ପ୍ରତିଷ୍ଠାତା ଏନ ଆର ନାରାୟଣମୂର୍ତ୍ତିଙ୍କ ଜ୍ୱାଇଁ ରିଷି ସୁନକ । ରିଷି ସୁନକ୍ ପୂର୍ବରୁ ବ୍ରିଟେନ ଅର୍ଥମନ୍ତ୍ରୀ ଥିଲେ । ପ୍ରଧାନମନ୍ତ୍ରୀ ପାଇଁ ଶହେରୁ ଅଧିକ ସାଂସଦଙ୍କ ସମର୍ଥନ ଆବଶ୍ୟକ । ରିଷି ସୁନକଙ୍କ ପାଖରେ ବର୍ତ୍ତମାନ ୧୪୨ ସାଂସଦଙ୍କ ସମର୍ଥନ ରହିଛି । ତେଣୁ ସେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି ।
ଆଜି ନାମାଙ୍କନ ଦାଖଲର ଶେଷ ଦିନ । ବୋରିସ୍ ଜନସନ୍ ପ୍ରଧାନମନ୍ତ୍ରୀ ରେସରୁ ଓହରିବା ପରେ ରିଷି ସୁନକଙ୍କ ରାସ୍ତା ପରିଷ୍କାର ହୋଇଛି । ସୁନକଙ୍କ ପ୍ରତିନ୍ଦ୍ୱନ୍ଦୀ ଅଛନ୍ତି ମୋରଡେଣ୍ଟ । ସୁନକ୍ ବିଜୟୀ ହେଲେ ସେ ହେବେ ବ୍ରିଟେନ୍ର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ । ଲିଜ ଟ୍ରସ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବ୍ରିଟେନରେ ପୁଣି ରାଜନୈତିକ ସଂକଟ ଦେଖାଦେଇଛି । ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବାର ମାତ୍ର ୪୪ ଦିନ ପରେ ପଦରୁ ଇସ୍ତଫା ଦେଇଥିଲେ ଲିଜ ଟ୍ରସ । ଦେଶରେ ଅର୍ଥନୈତିକ ଅସ୍ଥିରତା ମଧ୍ୟରେ ସେ ଶାସନ ଭାର ସମ୍ଭାଳିଥିଲେ ।
ସୂଚନାଥାଉ କି, ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଲିଜ୍ ଟ୍ରସ୍ ଇସ୍ତଫା ଦେଇଛନ୍ତି। ତାଙ୍କ କାର୍ଯ୍ୟକାଳ ମାତ୍ର ୪୪ ଦିନର ରହିଛି। ଅନେକ ଦିନରୁ ଅନୁମାନ କରାଯାଉଥିଲା କି, ସେ ଇସ୍ତଫା ଦେଇ ପାରନ୍ତି। ଆଉ ଏବେ ସେ ନିଷ୍ପତ୍ତି ନେଇ ସାରିଛନ୍ତି। ଇସ୍ତଫା ପରେ ଲିଜ୍ ଟ୍ରସ୍ ନିଜ ତରଫରୁ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ସେ କହିଛନ୍ତି କି, ‘ବର୍ତ୍ତମାନ ସ୍ଥିତିକୁ ନଜରରେ ରଖି ମୋତେ ଲାଗୁଛି ଯେ ମୁଁ ସେହି ପ୍ରତିଶ୍ରୁତି ଗୁଡ଼ିକୁ ପୂରଣ କରି ପାରିଲି ନାହିଁ, ଯାହାଙ୍କ ପାଇଁ ମୁଁ ଲଢ଼ିଥିଲି। ମୁଁ ସୂଚନା ଦେଉଛି କି, ଏବେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି’।
ନିଜର ଇସ୍ତଫା ଭାଷଣରେ ଲିଜ୍ ଟ୍ରସ୍ କହିଛନ୍ତି, ଦେଶରେ ଅର୍ଥନୈତିକ ଅସ୍ଥିରତା ମଧ୍ୟରେ ସେ ଶାସନ ଭାର ସମ୍ଭାଳି ଥିଲେ। ପରିବାର ଓ ବ୍ୟବସାୟରେ ବିଲ ପଇଠ ନେଇ ଚିନ୍ତା ବଢିଥିଲା। ୟୁକ୍ରେନ ଯୁଦ୍ଧ ମଧ୍ୟରେ ଦେଶରେ ସୁରକ୍ଷା ନେଇ ବିପଦ ସୃଷ୍ଟି ହୋଇଥିଲା। ଅର୍ଥନୈତିକ ସଙ୍କଟ ସୁଧାରିବାକୁ ଦୁଇଟି ନିୟମ ପରିବର୍ତ୍ତନ କରିବାକୁ ପ୍ରତିଶ୍ରୁତି ଦେଇଥିଲି। ସର୍ବାଧିକ ଭୋଟ ସହ ମୁଁ କଞ୍ଜର୍ଭେଟିଭ ପାର୍ଟିର ନେତା ଭାବେ ନିର୍ବାଚିତ ହୋଇଥିଲି। ବିଜୁଳି ବିଲ ହ୍ରାସ ଏବଂ ଜାତୀୟ ବୀମା ଅର୍ଥକୁ କମାଇଥିଲୁ। କମ୍ ଟିକସ ଓ ଉଚ୍ଚ ଅର୍ଥନୀତି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲୁ। ଏହାସହ ବ୍ରେକ୍ସିଟର ସୁବିଧା ମଧ୍ୟ ନେଇଥିଲୁ। କିନ୍ତୁ ମୁଁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ପ୍ରଦର୍ଶନ କରିପାରିନି। ଆଜି ସକାଳେ ୧୯୨୦ କମିଟିର ଚେୟାରମ୍ୟାନଙ୍କୁ ସାକ୍ଷାତ କରିଥିଲି। ଆସନ୍ତା ସପ୍ତାହକ ମଧ୍ୟରେ କଞ୍ଜର୍ଭେଟିଭ ପାର୍ଟିର ନୂଆ ନେତା ଚୟନ ପାଇଁ ଆଲୋଚନା ହୋଇଥିଲା। ଦେଶର ଅର୍ଥନୈତିକ ସ୍ଥିରତା ଓ ସୁରକ୍ଷା ନେଇ କଞ୍ଜର୍ଭେଟିଭ ପାର୍ଟି ପ୍ରତିଶ୍ରୁତିବଦ୍ଧ ରହିଛି। ପରବର୍ତ୍ତୀ ନେତା ଚୟନ ହେବା ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହିବେ ବୋଲି ଲିଜ୍ ଟ୍ରସ୍ କହିଥିଲେ।