ଜନ୍ମଦିନ ପାଳନ କରି ଫେରିବା ସମୟରେ ଦୁର୍ଘଟଣାଗ୍ରସ୍ତ କାର, ପରିବାରର ୬ ମୃତ

ମଙ୍ଗଳବାର ମଧ୍ୟରାତ୍ରୀରେ ମହାରାଷ୍ଟ୍ରର ସାଙ୍ଗଲିର ତାସଗାଓଁ-ମନେରାଜୁରୀ ରାସ୍ତାରେ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ତେବେ ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ଏହି ସଡ଼କ ଦୁର୍ଘଟଣା ରାତି ପ୍ରାୟ ୧.୩୦ରେ ଚିନ୍ଚାନି ଅଞ୍ଚଳର ଚିନ୍ଚାନ ତାସଗାଓଁ-ମନେରାଜୁରୀ ରାସ୍ତାରେ ଘଟିଛି । ଏହି ସମୟରେ ଆଲ୍ଟୋ କାର ସିଧାସଳଖ ତସାରୀ କେନାଲରେ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ତେବେ ଜଳ ଅଭାବରୁ ଏହି କେନାଲ ଶୁଖିଲା ଥିଲା । ଯେଉଁଥିପାଇଁ ଦ୍ରୁତ ଗତିରେ ଆସୁଥିବା ଆଲ୍ଟୋ କାର କେନାଲରେ ପଡ଼ିଗଲା । ଏହି ଧକ୍କା ହେତୁ କାରରେ ଥିବା ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା, ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି ।
ଏହି ଦୁର୍ଘଟଣାରେ ସମ୍ପୃକ୍ତ ସମସ୍ତ ଲୋକ ଗୋଟିଏ ପରିବାରର ବୋଲି କୁହାଯାଉଛି । ଏହି ପରିବାର ତସଗାଓଁର ବାସିନ୍ଦା ଥିଲେ । ଦୁର୍ଘଟଣା ସମୟରେ ମୋଟ ୭ ଜଣ ଲୋକ ଆଲ୍ଟୋ କାରରେ ଯାତ୍ରା କରୁଥିଲେ । ତେବେ ଝିଅର ଜନ୍ମଦିନ ଅବସରରେ ପାଟିଲ-ଭୋସଲେ ପରିବାର ତସଗାଓଁରୁ କବଥେମହଙ୍କାଲର କୋକଲେ ଗ୍ରାମକୁ ଯାଇଥିଲେ । ଏହା ସହ ସେଠାରୁ ଫେରୁଥିବା ସମୟରେ ଏକ ଦୁର୍ଘଟଣା ଘଟିଥିଲା । ସୂଚନା ଅନୁଯାଇ, ଅନୁମାନ କରାଯାଉଛି ଯେ ଡ୍ରାଇଭର ଶୋଇବା କାରଣରୁ ହୁଏତ ଏହି ଦୁର୍ଘଟଣା ହୋଇପାରେ । ଏପରି ଭାବେ କାରଟି ସିଧା କେନାଲକୁ ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥାଇପାରେ । ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ତିନି ଜଣ ଛୋଟ ପିଲା ମଧ୍ୟ ଅଛନ୍ତି ।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ପୋଲିସ ଗ୍ରାମବାସୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲା । ଆହତ ମହିଳାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।
ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକ ହେଉଛନ୍ତି, ରାଜେନ୍ଦ୍ର ଜଗନ୍ନାଥ ପାଟିଲ,ବୟସ ୬୦ ବର୍ଷ, ସୁଜତା ରାଜେନ୍ଦ୍ର ପାଟିଲ ବୟସ ୫୫ ବର୍ଷ, ପ୍ରିୟଙ୍କା ଅବଦୁତ୍ ଖରାଡେ ବୟସ ୩୦ ବର୍ଷ, ଧ୍ରୁବ ବୟସ ୩ ବର୍ଷ, କାର୍ତ୍ତିକୀ ବୟସ ୧ ବର୍ଷ, ରାଜବି ବୟସ ୨ ବର୍ଷ । ତେବେ ଏହି ଦୁର୍ଘଟଣାରେ ଆହତ ହୋଇଥିବା, ସ୍ୱପ୍ନାଲୀ ବିକାଶ ଭୋସଲେ ବୟସ ୩୦ ବର୍ଷ ।