ମହାରାଷ୍ଟ୍ରରେ ଭୟଙ୍କର ସଡ଼କ ଦୁର୍ଘଟଣା, ଦର୍ଶନ ପାଇଁ ଗୁରୁଦ୍ୱାରା ଯାଉଥିବା ୪ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ମହାରାଷ୍ଟ୍ରର ଯବତମାଲରେ ଭୀଷଣ ସଡ଼କ ଦୁର୍ଘଟଣା । ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ମହାରାଷ୍ଟ୍ରର ଯବତମାଲ ଜିଲ୍ଲାର ନାଗପୁର-ତୁଲଜାପୁର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ସ୍ଥାନୀୟ ଚାପରଦା ଗାଁ ନିକଟରେ ଏକ ଟ୍ରକ୍‌ ଓ କାର୍‌ ମଧ୍ୟରେ ଜୋରଦାର୍‌ ଧକ୍କା ହୋଇଛି ।

ସୂଚନା ମୁତାବକ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରେ କିିଛି ଜଣ ଥିଲେ ପଞ୍ଜାବର ବାସିନ୍ଦା । ସମସ୍ତେ ନାନ୍ଦେଡ଼ରେ ଥିବା ଗୁରୁଦ୍ୱାରା ଦର୍ଶନ କରିବାକୁ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଚାପରଦା ଗାଁ ନିକଟରେ ହଠାତ୍‌ କାର୍‌ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ଫଳରେ କାର୍‌ଟି ସାମ୍ନା ପଟୁ ଆସୁଥିବା ଟ୍ରକ୍‌ ସହ ପିଟି ହୋଇଯାଇଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ତେବେ ଏୟାରବ୍ୟାଗ୍‌ ନ ଥିବାରୁ କାର୍‌ ଭିତରେ ଥିବା ଲୋକଙ୍କୁ ଅଧିକ ଆଘାତ ଲାଗିଥିଲା ଏବଂ ଘଟଣାସ୍ଥଳରେ ହିଁ ୪ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ।

ସୂଚନାଥାଉ କି, ଗତ ଜୁନ୍‌ ୨୮ ଶୁକ୍ରବାର ମହାରାଷ୍ଟ୍ରର ଜାଲନାରେ ମୁମ୍ବାଇ-ନାଗପୁର ଏକ୍ସପ୍ରେସ୍‌ୱେରେ ଏହିପରି ଏକ ଦୁର୍ଘଟଣା ଘଟିଥିଲା । ଏଠାରେ ଦୁଇଟି କାର୍‌ ମଧ୍ୟରେ ଧକ୍କାରେ ୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିଲେ । ମୁମ୍ବାଇ-ନାଗପୁର ଏକ୍ସପ୍ରେସ୍‌ୱେକୁ ‘ସମୃଦ୍ଧି ଏକ୍ସପ୍ରେସ୍‌ୱେ’ ନାମରେ ମଧ୍ୟ ଜଣାଯାଇଥାଏ । ବିଳମ୍ବିତ ରାତିରେ କଦଓ୍ଵାଞ୍ଚି ଗାଁରେ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ମୃତକମାନେ ମୁମ୍ବାଇର ମଲାଡ (ପୂର୍ବ) ଏବଂ ବୁଲଢାଣା ଜିଲ୍ଲାର ନିବାସୀ ଥିଲେ ।

ଯେତେବେଳେ ଏକ କାର୍‌ ଇନ୍ଧନ ଭରିବା ପରେ ଭୁଲ୍‌ ପାର୍ଶ୍ୱରୁ ରାଜପଥକୁ ପ୍ରବେଶ କରିଥିଲା, ସେହି ସମୟରେ ନାଗପୁରରୁ ମୁମ୍ବାଇ ଯାଉଥିବା ଅନ୍ୟ ଏକ କାର୍‌ ସହ ଜୋର୍‌ଦାର ଧକ୍କା ହୋଇଥିଲା । ଫଳରେ ମୁମ୍ବାଇ ଯାଉଥିବା କାର୍‌ଟି କିଛି ବାଟ ଉପରକୁ ଉଠି ରାସ୍ତାର ବ୍ୟାରିକେଡ୍‌ ଉପରେ ପଡ଼ିଥିଲା । ଏହି ଭୀଷଣ ଦୁର୍ଘଟଣାରେ କାର୍‌ରେ ଥିବା ୭ ଜଣଙ୍କର ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ିଯାଇଥିଲା ।