ଆଉ ଦୁର୍ଘଟଣା କ୍ଲେମ୍ ପାଇଁ କରିବାକୁ ପଡିବନି ଅପେକ୍ଷା, ଏପ୍ରିଲ୍ -୧ରୁ ସଡକ ପରିବହନ-ମନ୍ତ୍ରଣାଳୟ ଲାଗୁ କରିବେ ଏହି ନୂଆ ନିୟମ

ନୂଆଦିଲ୍ଲୀ : ଭାରତରେ ଏକ ସଡ଼କ ଦୁର୍ଘଟଣା ପରେ ବୀମା କ୍ଲେମ୍ ପାଇଁ ପ୍ରାୟତଃ ବିଳମ୍ବ ହୋଇଥାଏ । ଏହି ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରି କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରି ମୋଟର ହ୍ୱିଲ ଆକ୍ଟ ଆଇନରେ ସଂଶୋଧନ କରିଛନ୍ତି । ଏହା ପରେ ଦାବି କରିବା ପାଇଁ ସହଜ ହୋଇପାରିବ ବୋଲି କୁହାଯାଇଛି । ସଡ଼କ ଦୁର୍ଘଟଣା ଦାବିରେ ବିଳମ୍ବ ହେତୁ ସରକାର ଏହି ନିୟମକୁ ପରିବର୍ତ୍ତନ କରିଛନ୍ତି। ଏପ୍ରିଲ୍ ୨, ୨୦୨୨ ରୁ ସାରା ଦେଶରେ ଏହି ନୂତନ ନିୟମ ଲାଗୁ ହେବ।

ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ମୋଟର ଦୁର୍ଘଟଣା ଦାବି ଟ୍ରିବ୍ୟୁନାଲ (MACT) ର ଶୀଘ୍ର ସମାଧାନ ପାଇଁ ନୂତନ ନିୟମ ଜାରି କରିଛନ୍ତି । ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର କୁହାଯାଇଛି, ନୂତନ ନିୟମରେ, ସଡକ ଦୁର୍ଘଟଣାର ବ୍ୟାପକ ଅନୁସନ୍ଧାନ ପ୍ରକ୍ରିୟା, ବ୍ୟାପକ ଦୁର୍ଘଟଣା ରିପୋର୍ଟ (DAR) ଏବଂ ଏହାର ସୂଚନା ପ୍ରକିୟାକୁ ଧାର୍ଯ୍ୟ କରାଯାଇଛି।ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁସାରେ, ନୂଆ ନିୟମକୁ ନେଇ ବିଜ୍ଞପ୍ତି ଜାରି କରିଦିଆଯାଇଛି। ଏହାକୁ ବାଧ୍ୟତାମୂଳକ କରାଯାଇଛି। ଏହା ବ୍ୟତୀତ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ମଧ୍ୟ ଏକ ବୈଧ ମୋବାଇଲ୍ ନମ୍ବର ବୀମା ପ୍ରମାଣପତ୍ରରେ ଅନ୍ତର୍ଭୁକ୍ତ କରିବା ବାଧ୍ୟତାମୂଳକ କରିଛି।

ପ୍ରଥମ ପାର୍ଟୀ ବୀମାରେ କିଛି ଅବଧି ଏବଂ ସର୍ତ୍ତ ରହିଛି। ଯେଉଁଥିରେ ବୀମା କମ୍ପାନୀ ଆପଣଙ୍କ କାର ଦୁର୍ଘଟଣାରେ ୫୦ ପ୍ରତିଶତ କ୍ଷତିପୂରଣ ଦେଇଥାଏ ଏବଂ ୫୦ ପ୍ରତିଶତ ଗାଡି ମାଲିକଙ୍କ ଦ୍ୱାରା କ୍ଷତିପୂରଣ ଦେବାକୁ ପଡିଥାଏ। ତେବେ ବାଧ୍ୟତାମୂଳକ ବୀମା ଗାଡିର ମାଲିକ ଏବଂ ଡ୍ରାଇଭର ପାଇଁ ହେବେ। Comprehensive Insurance ଗ୍ରହଣ କରି ସଡକ ଦୁର୍ଘଟଣା କଭରକୁ ୧୫ ଲକ୍ଷରୁ ଅଧିକ ଟଙ୍କାକୁ ବୃଦ୍ଧି କରାଯାଇପାରିବ। ଯେତେବେଳେ କି ତୃତୀୟ ପକ୍ଷ ବୀମା କ୍ଷେତ୍ରରେ ବାଧ୍ୟତାମୂଳକ ଦୁର୍ଘଟଣା ବୀମା ମାତ୍ର ୧୫ ଲକ୍ଷ ପର୍ଯ୍ୟନ୍ତ ଉପଲବ୍ଧ ରହିଛି ।

ପ୍ରଥମ ପାର୍ଟି ବୀମାର ସବୁକିଛି କଭର ହୋଇଥିବା ଦରକାର। ଯେପରିକି ଆପଣଙ୍କ ଗାଡିର କ୍ଷତି , ଶାରୀରିକ କ୍ଷତି, ଏପରିକି ଆପଣଙ୍କ ସାମ୍ନାରେ ଥିବା ବ୍ୟକ୍ତିଙ୍କ ଗାଡିର କ୍ଷତି ଠାରୁ ଆରମ୍ଭ କରି ଆଘାତ ପର୍ଯ୍ୟନ୍ତ,ଆପଣ ଏହି ବୀମା ପଲିସିରେ କମ୍ପାନୀ ଠାରୁ ସବୁକିଛି ପାଇବେ। ଏପରିକି ଏହି ବୀମା ଅଧୀନରେ, ଗାଡି ଚୋରି କିମ୍ବା ଖରାପ ବା ନଷ୍ଟ ହେଲେ ଆପଣ କମ୍ପାନୀଠାରୁ ଏକ ଦାବି ପାଇବେ। ଏଥିରେ, ଆପଣ ବର୍ଷକୁ ଦୁଇଥର ଦାବି କରିପାରିବେ। ସୂଚନା ଅନୁସାରେ – ନୂତନ ନିୟମ ଅନୁଯାୟୀ, ବୀମା ବିନା ଗାଡି ଚଳାଇବା ପାଇଁ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ୩ ମାସ ପର୍ଯ୍ୟନ୍ତ ଜେଲ ହୋଇପାରେ ।

ଉଲ୍ଲେଖନୀୟ ଯେ, ବାହାନ ମାଲିକଙ୍କୁ ଏବେ ବାହାନର ଫିଟସେନ୍ ପ୍ରମାଣ ପତ୍ର ଓ ମୋଟର ବାହାନର ପଞ୍ଜିକରଣ ଚିହ୍ନ ନିର୍ଦ୍ଧାରିତ ପ୍ରଣାଳିରେ ଦେଖାଇବା ଜରୁରୀ ହେବ। ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନ ଅନୁସାରେ,ମଧ୍ୟମ ମାଲ ବାହାନ, ଯାତ୍ରୀ ବାହନ, ଭାରି ମାଲ ବାହାନ, ଯାତ୍ରୀ ବାହାନ ଓ ହାଲକା ମୋଟର ବାହାନ ମାମଲାରେ ଫିଟନେସ୍ ପ୍ରମାଣ ପତ୍ର ଓ ରେଜିଷ୍ଟେ୍ରସନ୍ ମାର୍କକୁ ‘ଓ୍ବିଣ୍ଡ ସ୍କ୍ରିନ୍’ର ବାମ ପଟୁ ଉପର ସାଇଡ୍‌ରେ ଦେଖାଇବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.