ଥାଇଲାଣ୍ଡରେ ବର୍ଷା ହେଲା କାଳ! ସ୍କୁଲ ଛାତ ଭୁଶୁଡ଼ି ୪ ଛାତ୍ରଙ୍କ ସମେତ ୭ ମୃତ

ଉତ୍ତର ଥାଇଲାଣ୍ଡରେ ଟାଇଫୁନ୍ ଓ ବର୍ଷା ତାଣ୍ଡବ ରଚିଛି। ପ୍ରବଳ ବର୍ଷାରେ ଏକ ସ୍କୁଲର ଛାତ ଭୁଶୁଡ଼ି ପଡ଼ିବାରୁ ଘଟଣାସ୍ଥଳରେ ୪ ଛାତ୍ରଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଛି।

ଉତ୍ତର ଥାଇଲାଣ୍ଡରେ ଟାଇଫୁନ୍ ଓ ବର୍ଷା ତାଣ୍ଡବ ରଚିଛି। ପ୍ରବଳ ବର୍ଷାରେ ଏକ ସ୍କୁଲର ଛାତ ଭୁଶୁଡ଼ି ପଡ଼ିବାରୁ ଘଟଣାସ୍ଥଳରେ ୪ ଛାତ୍ରଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଛି। ଅଧିକାରୀଙ୍କ ସୂଚନା ମୁତାବକ, ସୋମବାର ଘଟିଥିବା ଏହି ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି।

ବ୍ୟାଙ୍କକ୍‌ଠାରୁ ୩୦୦ କିଲୋମିଟର ଉତ୍ତରରେ ଥିବା ଫିଚିତ୍‌ ପ୍ରଦେଶର ଜନସମ୍ପର୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ଯେ ୱାଟ ନେର୍ନ ପୋର ପ୍ରାଥମିକ ବିଦ୍ୟାଳୟରେ ଏହି ଅଘଟଣ ଘଟିଛି। ସୋମବାର ବିଳମ୍ବିତ ରାତିରେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ୬ ବର୍ଷ ବାଳକର ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି।

ସୂଚନା ମୁତାବକ, ପ୍ରବଳ ବର୍ଷାରୁ ରକ୍ଷା ପାଇବା ପାଇଁ କିଛି ଛାତ୍ର ଏବଂ ଅଭିଭାବକ ସ୍କୁଲ ପରିସରସ୍ଥ ଆକ୍ଟିଭିଟି ସେଣ୍ଟରରେ ଆଶ୍ରୟ ନେଇଥିଲେ। ସେହି ସମୟରେ ହଠାତ୍‌ ଛାତଟି ଭୁଶୁଡ଼ି ପଡ଼ିଥିଲା। ଛାତ ଭୁଶୁଡ଼ିବା ମାତ୍ରେ ସେଠାରେ ଛାତ୍ରମାନେ ଚିତ୍କାର କରିବାକୁ ଲାଗିଥିଲେ। କାନ୍ଦ ବୋବାଳିରେ ସ୍ଥାନଟି ଫାଟି ପଡ଼ିଥିଲା। ଏଥିରେ ଅନେକ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଧିକାରୀ ସୂତ୍ରରୁ ଜଣାପଡ଼ିଛି ଯେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରେ ୪ ଛାତ୍ର, ୨ ଅଭିଭାବକ ଏବଂ ବିଦ୍ୟାଳୟର ଜଣେ ସଫେଇ କର୍ମୀ ଅଛନ୍ତି। ସେପଟେ ପାଣିପାଗ ବିଭାଗ ଏକ ସପ୍ତାହ ପର୍ଯ୍ୟନ୍ତ ଉତ୍ତର ଥାଇଲାଣ୍ଡରେ ପ୍ରବଳ ବର୍ଷାର ଚେତାବନୀ ଜାରି କରିଛି।

You might also like