କୁକୁର ବେକରେ ରଶି ବାନ୍ଧି କାର୍‌ରେ ଘୋଷାଡ଼ି ଘୋଷାଡ଼ି ନେଲେ ଡାକ୍ତର! ଦେଖନ୍ତୁ କେତେ ହୃଦୟବିଦାରକ ଦୃଶ୍ୟ…

ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ମଣିଷ ମାନବତାର ସବୁ ସୀମା ପାର୍‌ କରି ଦେଇଥିବା ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ଜଣେ କାର୍‌ ଚାଳକ ଏକ କୁକୁର ବେକରେ ରଶି ବାନ୍ଧି ତାହାକୁ ଚଳନ୍ତା କାର୍‌ରେ ଘୋଷାଡ଼ି ଘୋଷାଡ଼ି ନେଉଥିବାର ଦେଖାଯାଉଛି। ଭିଡିଓଟି ରାଜସ୍ଥାନ ଯୋଧପୁରର ବୋଲି କୁହାଯାଉଛି। ମିଳିଥିବା ସୂଚନା ମୁତାବକ, କାର୍‌ ଚାଳକ ଜଣେ ଡାକ୍ତର। ସେ କୁକୁର ବେକରେ ରଶି ବାନ୍ଧି ତାହାକୁ ଚଳନ୍ତା କାର୍‌ରେ ଘୋଷାଡ଼ି ଘୋଷାଡ଼ି ନେଇଥିଲେ। ମାନବିକତାର ସବୁ ସୀମା ଡେଇଁ ଯାଇଥିଲେ ଏହି ଡାକ୍ତର ଜଣକ।

ଘଟଣାଟି ଏକ ବ୍ୟସ୍ତବହୁଳ ରାସ୍ତା ଉପରେ ହୋଇଥିଲା, ଯେଉଁଠି ଅନ୍ୟ ଗାଡ଼ିଗୁଡ଼ିକ ମଧ୍ୟ ଯାତାୟାତ କରୁଥିଲା। ଭିଡିଓରେ ଅଭିଯୁକ୍ତ ଡାକ୍ତର ଲମ୍ବା ରଶି ସାହାଯ୍ୟରେ କୁକୁରକୁ ଗାଡ଼ିର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ବିପଜ୍ଜନକ ଭାବେ ବୁଲାଇ ବୁଲାଇ ନେଉଥିଲେ। କାର୍‌ଟି ଦ୍ରୁତ ଗତିରେ ଚାଲୁଥିଲା। ଭିଡିଓ ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ଏହି ଭିଡିଓକୁ କାର୍‌ ପଛରେ ଆସୁଥିବା ଜଣେ ବାଇକ୍‌ ଚାଳକ ଶୁଟ୍‌ କରିଥିଲେ। ଏଥି ସହିତ ବ୍ୟକ୍ତି ଜଣକ କାର୍‌କୁ ଅଟକାଇ କୁକୁରକୁ ଯଥାସମ୍ଭବ ସାହାଯ୍ୟ କରିଥିଲେ। ଅନ୍ୟପଟେ ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ କାର୍‌କୁ ଚାରିଆଡ଼ୁ ଘେରି ଯାଇଥିଲେ ଏବଂ କୁକୁର ବେକରୁ ରଶି ବାହାର କରିଥିଲେ। ଏତିକି ନୁହେଁ, ଏ ନେଇ ଲୋକମାନେ ତୁରନ୍ତ ଏନ୍‌ଜିଓକୁ ସୂଚନା ଦେଇଥିଲେ। ଏହାପରେ କୁକୁରକୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା।

ଏ ନେଇ ‘ଡଗ୍‌ ହୋମ୍‌ ଫାଉଣ୍ଡେସନ’ ନାମକ ଏନ୍‌ଜିଓ ଦ୍ୱାରା ଏକ ଟ୍ଵିଟ୍‌ ପୋଷ୍ଟ କରାଯାଇଛି। ଏହା ଅନୁସାରେ, ଡାକ୍ତରଙ୍କ ନାମ ରଜନୀଶ ଗଲଓ୍ଵା। ସେ ଘୋଷାଡ଼ି ଘୋଷାଡ଼ି ନେଉଥିବା କୁକୁରଟି ଏକ ବୁଲା କୁକୁର ଥିଲା। କୁକୁରଟି ତାଙ୍କ ଘର ପାଖରେ ରହୁଥିଲା ଏବଂ ସେ ତାହାକୁ କୌଣସି ମତେ ହଟାଇବାକୁ ଚେଷ୍ଟା କରୁଥିଲେ। ଏନ୍‌ଜିଓ ଟ୍ଵିଟ୍‌ କରି ଲେଖିଛି କି, ‘ଯେଉଁ ବ୍ୟକ୍ତି ଏମିତି କରିଛନ୍ତି, ସେ ହେଲେ ଡା. ରଜନୀଶ ଗଲଓ୍ଵା। କୁକୁର ଗୋଡ଼ରେ ମଲ୍ଟିପଲ ଫ୍ରାକ୍ଚର ହୋଇଛି ଏବଂ ଏହି ଘଟଣା ଶାସ୍ତ୍ରୀ ନଗର ଯୋଧପୁରର ବୋଲି ଜଣାଡ଼ିଛି। ଦୟାକରି ଏହି ଭିଡିଓକୁ ଯେତେ ସମ୍ଭବ ଭାଇରାଲ କରନ୍ତୁ, ଯେପରି ଯୋଧପୁର ସିପି ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବେ। ଏହାର ଲାଇସେନ୍ସ ରଦ୍ଦ କରି ଦିଅନ୍ତୁ’। ଏନ୍‌ଜିଓ ପଶୁ କ୍ରୁରତା ଅଧିନିୟମ ଅଧୀନରେ ପୋଲିସ ଦ୍ୱାରା ଏକ ମାମଲା ରୁଜୁ କରାଯାଇଛି। ଏହି ଏତଲା କପିର ଫଟୋ ମଧ୍ୟ ଏନ୍‌ଜିଓ ଟ୍ଵିଟରରେ ପୋଷ୍ଟ କରିଛି।

ଏହିଭଳି କିଛି ଦିନ ତଳେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ଟ୍ରେନ୍ ଝରକାରୁ ଝଟାପଟ୍ ଚୋରି କରୁଥିବା ଜଣେ ଚୋରକୁ ଲୋକମାନେ ଟ୍ରେନ୍ ଭିତରୁ ହିଁ କାବୁ କରି ନେଇଥିବା ଦେଖିବାକୁ ମିଳିଥିଲା। ଚୋରି କରିବା ସମୟରେ ହଠାତ୍‌ ଟ୍ରେନର ଗତି ବଢ଼ିଯିବା ଫଳରେ ଚୋର ଅସହାୟ ହୋଇପଡ଼ିଥିଲା, ଯାହାର ସୁଯୋଗରେ ଲୋକମାନେ ତାକୁ ଧରି ପକାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.