‘ଫାଶୀ ଦଉଡ଼ି’ ଉପରେ ବି ପଡ଼ିଲା ଦରଦାମ୍‌ ବୃଦ୍ଧିର ପ୍ରଭାବ, ଜେଲରେ ରଖିବାକୁ ପଡ଼ୁଛି ଏକାଧିକ ଷ୍ଟକ୍‌

ଦରଦାମ୍‌ ବୃଦ୍ଧିର ପ୍ରଭାବ କେବଳ ପେଟ୍ରୋଲ ଓ ଡିଜେଲ ଉପରେ ନୁହେଁ, ବରଂ ଫାଶୀ ଦଉଡ଼ି ଉପରେ ମଧ୍ୟ ପଡ଼ିଛି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଫାଶୀ ଦଉଡ଼ିର ଆଜିର ଦର ଦଶ ବର୍ଷ ତଳର ଦାମ୍‌ ତୁଳନାରେ ବହୁତ ବଢ଼ିଯାଇଛି। କପାର ଦରଦାମ୍‌ ବୃଦ୍ଧି ପାଇବାରୁ ଦଉଡ଼ିର ମୂଲ୍ୟ ବଢ଼ିଛି। ଏହା ବ୍ୟତୀତ ସୂତାର ଦର ବୃଦ୍ଧି ମଧ୍ୟ ଏହାର ଆଉ ଏକ କାରଣ। ପ୍ରକାଶ ଯେ, ଫାଶୀ ଦଉଡ଼ି କପା ଓ ସୂତାରେ ତିଆରି ହେଉଥିବାରୁ ଏହାର ମୂଲ୍ୟ ବଢ଼ିବା ସହ ଦଉଡ଼ିର ଦାମ୍‌ ମଧ୍ୟ ବଢ଼ୁଛି।

ଜେଲ ବିଭାଗ ତରଫରୁ ମିଳିଥିବା ସୂଚନାନୁଯାୟୀ, କିଛି ବର୍ଷ ଭିତରେ ଫାଶୀ ଦଉଡ଼ିର ଦାମ୍‌ ବଢ଼ିଛି। ୨୦୧୩ରେ ଯେତେବେଳେ ଅଫଜଲ ଗୁରୁକୁ ଫାଶୀ ଦିଆଯାଇଥିଲା, ସେତେବେଳେ ଦିଲ୍ଲୀର ତିହାର ଜେଲରେ ୧୦୦ ମିଟର ରଶିରେ ୫ଟି ଫାଶୀ ଦଉଡ଼ି ହେଉଥିଲା। ଏଥିପାଇଁ ଜେଲ ପ୍ରଶାସନକୁ ସେତେବେଳେ ୨୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ଅର୍ଥାତ୍‌ ଗୋଟେ ଦଉଡ଼ିକୁ ୫୦୦ ଟଙ୍କା ପଡ଼ିଥିଲା।

୨୦୧୫ରେ ୟାକୁବ୍‌ ମେନନ୍‌କୁ ଫାଶୀ ଦେବା ବେଳେ ଏହାର ଦାମ୍‌ ୧୭୨୫ ଟଙ୍କା ଥିଲା। ପରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ବେଳେ ଗୋଟିଏ ଦଉଡ଼ିର ଦାମ୍‌ ପାଖାପାଖି ୨୧୭୦ ଟଙ୍କା ଥିଲା। ଏବେ ସବନମ୍‌କୁ ଫାଶୀ ଦେବା ବେଳେ ବି ଏହାର ଦାମ୍‌ ବଢ଼ିବା ନେଇ ଆଶଙ୍କା କରାଯାଉଛି। ତେବେ କେବଳ ଫାଶୀ ଦଉଡ଼ି ନୁହେଁ, ବରଂ ଏଥିରେ ଲାଗୁଥିବା ପିତ୍ତଳର ବୁଶ୍‌ର ଦାମ୍‌ ବି ଗତ କିଛି ବର୍ଷ ମଧ୍ୟରେ ବଢ଼ିଛି। ଏହି କାରଣରୁ ପୂର୍ବ ତୁଳନାରେ ଏବେ ଫାଶୀ ଦଉଡ଼ିର ଦାମ୍‌ ବୃଦ୍ଧି ପାଇଛି। ଏଣୁ ଜେଲରେ ଏକାଧିକ ଦଉଡ଼ି ଷ୍ଟକ୍‌ ରଖିବାକୁ ପଡ଼ୁଛି ବୋଲି ଜେଲ ପ୍ରଶାସନ ତରଫରୁ କୁହାଯାଇଛି।

You might also like