ଅଳ୍ପକେ ବର୍ତ୍ତିଗଲେ ରେଳ ଯାତ୍ରୀ, ଜୀବନ ବଞ୍ଚାଇଲେ ରେଳବାଇ ପୋଲିସ୍; କେମିତି ଦେଖନ୍ତୁ

ଚେନ୍ନାଇ : ଚେନ୍ନାଇର ଏଗମୋର ରେଳ ଷ୍ଟେସନରେ ଯାତ୍ରୀଙ୍କୁ ବଞ୍ଚାଇଲେ ରେଳବାଇ ପୋଲିସ୍ (ଆରପିଏଫ୍) । ଚଳନ୍ତା ଟ୍ରେନକୁ ଚଢ଼ିବା ପାଇଁ ଚେଷ୍ଟା କରୁଥିବା ବେଳେ ଖସି ପଡ଼ିଥିଲେ । ଏତିକି ବେଳେ ଯାତ୍ରୀ ଜଣକ ରେଳ ଚକା ତଳେ ପଡ଼ିଯିବାର ସମ୍ଭାବନା ଥିଲା । ହେଲେ ସେଠାରେ ସଜାଗ ଥିବା ଆରପିଏଫର ଜଣେ କନେଷ୍ଟବଳ ସୁମନ ତୁରନ୍ତ ତାଙ୍କୁ ଟାଣି ଆଣି ତାଙ୍କ ଜୀବନ ରକ୍ଷା କରିଥିଲେ । ସୌଭାଗ୍ୟକୁ ଯାତ୍ରୀ ଜଣକର କୌଣସି କ୍ଷତି ହୋଇ ନାହିଁ । ଏହି ଭିଜୁଆଲ ଷ୍ଟେସନରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା । ରାମେଶ୍ବରମରୁ ଫଇଜାବାଦ ଯାଉଥିଲା ଶ୍ରଦ୍ଧାସେତୁ ଏକ୍ସପ୍ରେସ ଟ୍ରେନ୍ । ଷ୍ଟେସନରୁ ଛାଡ଼ିବା ପରେ ଏହାର ବେଗ ବଢ଼ିବା ବେଳକୁ ପ୍ରାୟ ୪୦ ବର୍ଷ ବୟସ୍କ ଏହି ଯୁବକ ଏକ ଜେନେରାଲ କମ୍ପାର୍ଟମେଣ୍ଟରେ ଚଢ଼ିବା ପାଇଁ ଚେଷ୍ଟା କରୁଥିଲେ । ତେବେ କମ୍ପାର୍ଟମେଣ୍ଟ ଡୋର ହ୍ୟାଣ୍ଡଲରୁ ତାଙ୍କ ହାତ ଖସିଗଲା ଓ ସେ ତଳେ ପଡ଼ିଗଲେ । ଯଦି ଟିକିଏ ବି ଡେରି ହୋଇଥାନ୍ତା ତେବେ ତାଙ୍କୁ ଟ୍ରେନ୍ ଚକ ତଳେ ପ୍ରାଣ ହରାଇବାକୁ ପଡ଼ିଥାନ୍ତା । କିନ୍ତୁ ପାଖରେ ଠିଆ ହୋଇଥିବା ସୁମନ ତୁରନ୍ତ ଦୌଡ଼ି ଯାଇ ତାଙ୍କୁ ସେଠାରୁ ଟାଣି ଆଣିଥିଲେ । ଲୋକଟିର ପରିଚୟ ଜଣାପଡ଼ି ନାହିଁ । ହେଲେ ସେ ଏତେ ଭୟଭୀତ ହୋଇ ଯାଇଥିଲେ ଯେ କଥା କହି ପାରୁନଥିଲେ । ଧୀରେ ଧୀରେ ଷ୍ଟେସନରୁ ବାହାରି ଚାଲି ଯାଇଥିଲେ ବୋଲି କନେଷ୍ଟବଳ ସୁମନ କହିଛନ୍ତି । ତାଙ୍କର ଏହି ତତ୍ପରତାକୁ ବେଶ୍ ପ୍ରଶଂସା କରିଛନ୍ତି ଆରପିଏଫର ବରିଷ୍ଠ ଅଧିକାରୀମାନେ । ଗତ ୧୨ ତାରିଖ ଦିନ ଏହି ଘଟଣା ଘଟିଥିଲା ।

ଦେଖନ୍ତୁ ଏହାର ସିସିଟିଭି ଭିଡିଓ । କିଭଳି ଥିଲା ସେ ଦୃଶ୍ୟ । 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.