ପୁଣି ଦେବଦୂତ ସାଜିଲେ ଆରପିଏଫ୍‌ ଯବାନ, ଟ୍ରେନ୍‌ ଚକା ତଳୁ ବଞ୍ଚାଇଲେ ମହିଳାଙ୍କ ଜୀବନ; ଭାଇରାଲ ହେଉଛି ଛାତିଥରା ଭିଡିଓ

ଉତ୍ତର ପ୍ରଦେଶ: ଯାହାର ଆୟୁଷ ଅଛି, ଭଗବାନ ତାକୁ କୌଣସି ନା କୌଣସି ଉପାୟରେ ବଞ୍ଚାଇ ହିଁ ଦିଅନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ନିକଟରେ ଉତ୍ତର ପ୍ରଦେଶର ଏକ ରେଳ ଷ୍ଟେସନ୍‌ରେ ଦେଖିବାକୁ ମିଳିଛି। ଏଠାରେ ଜଣେ ମହିଳାଙ୍କୁ ମରଣ ମୁହଁରୁ ଟାଣି ଆଣିଛନ୍ତି ଆରପିଏଫ୍‌ ଯବାନ। ଯବାନଙ୍କ ଉପସ୍ଥିତ ବୁଦ୍ଧି ଓ ଉଦ୍ୟମ ଯୋଗୁ ମହିଳା ଟ୍ରେନ୍‌ ଚକା ତଳକୁ ଆସୁ ଆସୁ ବଞ୍ଚିଯାଇଛନ୍ତି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଭିଡିଓରେ ଦେଖାଯାଇଛି ଯେ ଜଣେ ମହିଳା ରେଳ ଧାରଣା ପାରି ହେବାକୁ ଟ୍ରାକ୍‌ ଉପରେ ଯିବାକୁ ଚେଷ୍ଟା କରୁଛନ୍ତି। ମହିଳାଙ୍କ ଧ୍ୟାନ ନାହିଁ ଯେ ସାମ୍ନାକୁ ଏକ ଟ୍ରେନ୍‌ ଦ୍ରୁତ ବେଗରେ ଆସୁଛି। କିନ୍ତୁ ଏହି ସମୟରେ ସୌଭାଗ୍ୟବଶତଃ ଆରପିଏଫ୍‌ ଯବାନଙ୍କ ନଜର ମହିଳାଙ୍କ ଉପରେ ପଡ଼ୁଛି। ଯବାନ ତୁରନ୍ତ ଧାଇଁ ଆସି ଟ୍ରେନ୍‌ ଧାରଣାରୁ ମହିଳାଙ୍କୁ ପ୍ଲାଟଫର୍ମକୁ ଘୋଷାଡ଼ି ଆଣୁଛନ୍ତି। ମହିଳା ପ୍ଲାଟଫର୍ମ ଉପରକୁ ଉଠି ଆସିବା ପରେ ଟ୍ରେନ୍‌ ବେଶ୍‌ କ୍ଷୀପ୍ର ବେଗରେ ଯାଉଛି, ଯାହା ଦେଖିଲେ ଛାତି ଥରି ଉଠୁଛି।

ଦେଖନ୍ତୁ ଭିଡିଓ:

ମହିଳାଙ୍କ ଜୀବନ ବଞ୍ଚାଇବାର ଏହି ପ୍ରକ୍ରିୟା ମାତ୍ର ୫ ସେକେଣ୍ଡରେ ହିଁ ହୋଇଯାଉଛନ୍ତି। ଯଦି ଗୋଟେ ସେକେଣ୍ଡ ବି ଡେରି ହୋଇଥାନ୍ତା, ତେବେ ବୋଧେ ମହିଳା ଟ୍ରେନ୍‌ ଚକା ତଳକୁ ଚାଲି ଯାଇଥାନ୍ତେ। ଏହି ପୂରା ଘଟଣା ଷ୍ଟେସନ୍‌ରେ ଲାଗିଥିବା ସିସିଟିଭିରେ ରେକର୍ଡ ହୋଇଛି ଓ ଆର୍‌ପିଏଫ୍‌ ତରଫରୁ ଏହାକୁ ଟ୍ଵିଟ୍‌ କରାଯାଇଛି। ଆର୍‌ପିଏଫ୍‌ ଟ୍ଵିଟ୍‌ କରି ଲେଖିଛନ୍ତି- ହେଡ୍‌ କନେଷ୍ଟବଳ କମଳେଶ କୁମାର ଦୁବେ ନିଜ ଜୀବନକୁ ବାଜିରେ ଲଗାଇ ବୃଦ୍ଧା ମହିଳାଙ୍କୁ ଟ୍ରେନ୍‌ ଚାପାରୁ ରକ୍ଷା କରିଛନ୍ତି। ଏହା ଏକ ସାହସିକ ପଦକ୍ଷେପ। ତେବେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ସମ୍ପୃକ୍ତ ଯବାନଙ୍କୁ ଚାରି ଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି।

Also Read: ଭୟଙ୍କର ସଡ଼କ ଦୁର୍ଘଟଣା, ଗର୍ଭବତୀ ମହିଳାଙ୍କ ସମେତ ଚାଲିଗଲା ପୂରା ପରିବାରର ଜୀବନ

Leave A Reply

Your email address will not be published.