ଟ୍ରେନରେ ଦୁଇ ଦିନ ହେବ ଭୋକିଲା ଥିଲା ୩ ମାସର ଶିଶୁ, ଚଳନ୍ତା ଟ୍ରେନ ସହିତ ଦୌଡ଼ି ଦୌଡ଼ି ଖାଦ୍ୟ ଯୋଗାଇଲେ ପୋଲିସ କର୍ମଚାରୀ

ଜଣେ ରେଳ ପୋଲିସ କର୍ମୀଙ୍କ ମାନବିକତାକୁ ନେଇ ଦେଶ ବ୍ୟାପୀ ଚର୍ଚ୍ଚା ଜୋର ଧରିଛି । ଆରପିଏଫ ଜଣଙ୍କ ବଦାନ୍ୟତା ଏବେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି । ଶ୍ରମିକ ସ୍ପେଶାଲ ଟ୍ରେନରେ ଯାଉଥିବା ଏକ ଭୋକିଲା ଶିଶୁ ମୁହଁରେ କ୍ଷୀର ଟିକେ ଦେବା ପାଇଁ ଚଳନ୍ତା ଟ୍ରେନ ସହ ଦୌଡ଼ିବାକୁ ବି ପଛେଇ ନାହାନ୍ତି ଏହି ପୋଲିସ କର୍ମଚାରୀ । ତାଙ୍କର ଏହି ମହାନତାକୁ ନେଇ ଦେଶର ବିଭିନ୍ନ ପ୍ରାନ୍ତରୁ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଏମିତିକି ଖୋଦ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲ ବି ଟ୍ୱିଟ ଜରିଆରେ ଏହି ଭିଡିଓ ଟିକୁ ସେୟାର କରି ଆରପିଏଫ ଇଣ୍ଡର ଯାଦବଙ୍କ ତୁଳନା ଉଜେନ ବୋଲ୍ଟଙ୍କ ସହ କରିଛନ୍ତି ।

rpf new

ପ୍ରକୃତରେ ଏହି ଘଟଣା ଟି ଘଟିଛି ଭୋପାଳ ରେଳ ଷ୍ଟେସନରେ । କର୍ଣ୍ଣାଟକରୁ ଗୋରଖପୁର ଅଭିମୁଖେ ଯାଉଥିବା ଏକ ଶ୍ରମିକ ସ୍ପେଶାଲ ଟ୍ରେନରେ ଯାତ୍ରା କରୁଥିଲେ ସାଫିୟା ହାସମୀ । ସାଫିୟାଙ୍କ ସହ ଯାତ୍ରା କରୁଥିଲା ତାଙ୍କର ଏକ ୩ ମାସର ଛୋଟ ଶିଶୁ । ଯାତ୍ରା ସମୟରେ କୌଣସି ପ୍ରକାର ସୁବିଧା ମିଳି ପାରିନଥିବାରୁ ଶିଶୁଟି ଦୁଇ ଦିନ ହେବ ଭୋକିଲା ଥିଲା । ଅନ୍ୟ କୌଣସି ଉପାୟ ନପାଇ ଭୋପାଳ ଷ୍ଟେସନରେ ସାଫିୟା, ରେଳ ପୋଲିସ କର୍ମଚାରୀ ବା ଆରପିଏଫ ଜଣଙ୍କ ଠାରୁ ସାହାଯ୍ୟ ମାଗିଥିଲେ । ଏହା ଶୁଣିବା ପରେ ଇନ୍ଦର ତୁରନ୍ତ ଟ୍ରେନରୁ ଓଲ୍ହାଇ ଶିଶୁଟି ପାଇଁ କ୍ଷୀର ଆଣିବାକୁ ଯାଇଥିଲେ ।

ପ୍ଲାଟ୍ଫର୍ମକୁ କ୍ଷୀର ଆଣିବାକୁ ଯାଆନ୍ତେ ଟ୍ରେନ ଛାଡ଼ି ଦେଇଥିଲା । ଫଳରେ ଆଉ କୌଣସି ଉପାୟ ନପାଇ ଇନ୍ଦର ଗୋଟେ ହାତରେ କ୍ଷୀର ପ୍ୟାକେଟ ଓ ଅନ୍ୟ ହାତରେ ରାଇଫଲ ଧରି ଟ୍ରେନ ସହ ଦୌଡି ଦୌଡ଼ି ଶିଶୁଟି ନିକଟରେ କ୍ଷୀର ପ୍ୟାକେଟ ଟିକୁ ପହଞ୍ଚାଇ ଥିଲେ । ଏହି ପୂରା ଘଟଣା ଷ୍ଟେସନର ସିସି ଟିଭି କ୍ୟାମେରାରେ ରେକର୍ଡ ହୋଇଥିଲା । ଘଟଣା ଟିର କିଛି ସମୟ ଭିତରେ ଭିଡିଓଟି ଭାଇରାଲ ହେବା ସହ ଦେଶର ବିଭିନ୍ନ ପ୍ରାନ୍ତରୁ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.