ଅକ୍ଟୋବର ୧୭ରେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ପୁଅ ନିର୍ବନ୍ଧ, ସାମ୍ନାକୁ ଆସିଲା ବୋହୂର ଫଟୋ

କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବଡ଼ ପୁଅ କାର୍ତ୍ତିକେୟ ସିଂ ଚୌହାନଙ୍କ ନିର୍ବନ୍ଧ ରାଜସ୍ଥାନ ଉଦୟପୁରର ଅମାନତ ବଂସଲଙ୍କ ସହ ହେବାକୁ ଯାଉଛି । ଅକ୍ଟୋବର ୧୭ରେ କାର୍ତ୍ତିକେୟ ଓ ଅମାନତଙ୍କ ନିର୍ବନ୍ଧ ସମାରୋହ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଅମାନତଙ୍କ ମା’ ଅର୍ଥାତ୍‌ କେନ୍ଦ୍ର ମନ୍ତ୍ରୀଙ୍କ ସମୁଦୁଣୀ ରୁଚିତା ବଂସଲ ବାହାଘର ସ୍ଥିର ହେବା ବେଳର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଅମାନତଙ୍କ ବାପା ଅନୁପମ ବଂସଲ ହେଉଛନ୍ତି ଲିବର୍ଟି ଶୁଜ୍‌ କମ୍ପାନୀର ମାଲିକ । ମା’ ରୁଚିତା ଇଜହାର୍‌ କୋରଡିଜାଇନ୍ସ ଏବଂ କନ୍‌ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଏଣ୍ଟରପ୍ରାଇଜର୍ସ ଅଫ୍‌ ହରିୟାଣା ଚାପ୍ଟରର ପ୍ରତିଷ୍ଠାତା ।

ଦିନକ ପୂର୍ବରୁ ‘ଏକ୍ସ’ରେ ଏକ ପୋଷ୍ଟ ସେୟାର କରି କୃଷି ମନ୍ତ୍ରୀ ଚୌହାନ ପୁଅର ବାହାଘର ସ୍ଥିର ହୋଇଥିବା କଥା ଜଣାଇଥିଲେ । ସେ କହିଥିଲେ ଯେ ‘ମୋ ବଡ଼ ପୁଅ କାର୍ତ୍ତିକେୟଙ୍କ ବାହାଘର ଅମାନତ ବଂସଲଙ୍କ ସହ ସ୍ଥିର ହୋଇଛି । ଅକ୍ଟୋବର ୧୭ରେ ଉଭୟଙ୍କର ନିର୍ବନ୍ଧ ହେବ । ପିଲାମାନଙ୍କୁ ଭବିଷ୍ୟତ ଜୀବନ ପାଇଁ ସମସ୍ତ ଶୁଭକାମନା ଏବଂ ଆଶୀର୍ବାଦ ପ୍ରଦାନ କରନ୍ତୁ’ ।

କହି ରଖୁଛୁ, ଶିବରାଜ ସିଂ ଚୌହାନଙ୍କ ଭାବୀ ବୋହୂ ଅମାନତ ବଂସଲ ନିକଟରେ ଲଣ୍ଡନର ଅକ୍ସଫୋର୍ଡ ୟୁନିଭର୍ସିଟିରୁ ସାଇକୋଲୋଜିରୁ ଏମ୍‌ଏସ୍‌ସି ଶେଷ କରିଛନ୍ତି । ବର୍ତ୍ତମାନ ତାଙ୍କ ପରିବାର ଦିଲ୍ଲୀ-ଏନ୍‌ସିଆର୍‌ରେ ରହୁଛନ୍ତି ।