ବଜେଟ୍ ୨୦୨୩: ରାଷ୍ଟ୍ରପତି ଭବନର ଖର୍ଚ୍ଚରେ ୧୦ କୋଟି ଟଙ୍କା କାଟ୍
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ‘୨୦୨୩-୨୪’ର କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ କରିଛନ୍ତି। ଏଥର ବଜେଟ୍ରେ ସରକାର ରାଷ୍ଟ୍ରପତି ଭବନର ଖର୍ଚ୍ଚ କାଟ୍ କରିଛନ୍ତି। ବଜେଟ୍ରେ ରାଷ୍ଟ୍ରପତି ଭବନର ଖର୍ଚ୍ଚ ପାଇଁ ୩୬.୨୨ କୋଟି ଟଙ୍କା ଆବଣ୍ଟିତ କରାଯାଇଛି, ଯେଉଁଥିରେ କର୍ମଚାରୀମାନଙ୍କର ବେତନ ବି ସାମିଲ ରହିଛି। କିନ୍ତୁ ଏହି ରାଶି ଗତ ବଜେଟ୍ର ସଂଶୋଧିତ ଆକଳନଠାରୁ ୧୦ କୋଟି ଟଙ୍କା କମ୍।
ଅର୍ଥମନ୍ତ୍ରୀ ସୀତାରମଣଙ୍କ ଦ୍ୱାରା ବୁଧବାର ଉପସ୍ଥାପିତ ବଜେଟ୍ ଦସ୍ତାବିଜ୍ ମୁତାବକ, ରାଷ୍ଟ୍ରପତି କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୯୦.୧୪ କୋଟି ଟଙ୍କା ଆବଣ୍ଟିତ କରାଯାଇଛି, ଯାହା ଗତ ବଜେଟ୍ରେ ଘୋଷିତ ୮୪.୮ କୋଟି ଟଙ୍କାଠାରୁ ୫.୩୪ କୋଟି ଟଙ୍କା ଅଧିକ ରହିଛି।
ଦସ୍ତାବିଜ୍ରୁ ଜଣାପଡ଼ିଛି ଯେ ମୋଟ ଆବଣ୍ଟନ ମଧ୍ୟରୁ ୬୦ ଲକ୍ଷ ଟଙ୍କା ରାଷ୍ଟ୍ରପତିଙ୍କ ବେତନ ଏବଂ ଭତ୍ତା ପାଇଁ ନିର୍ଦ୍ଧାରିତ କରାଯାଇଛି। ସେପଟେ ୫୩.୩୨ କୋଟି ଟଙ୍କା ରାଷ୍ଟ୍ରପତି ସଚିବାଳୟ ପାଇଁ ଏବଂ ୩୬.୨୨ କୋଟି ଟଙ୍କା କର୍ମଚାରୀଙ୍କ ବେତନ ସହ ରାଷ୍ଟ୍ରପତି ଭବନର ଅନ୍ୟ ବ୍ୟୟ ପାଇଁ ରହିଛି। ବଜେଟ୍ ଦସ୍ତାବିଜ୍ ମୁତାବକ, ରାଷ୍ଟ୍ରପତି ସଚିବାଳୟ ପାଇଁ ଆବଣ୍ଟନରେ ୧୫.୩୯ କୋଟି ଟଙ୍କା ବୃଦ୍ଧି କରାଯାଇଛି।
ଏମିତିରେ ଯଦି ଦେଖାଯିବ, ତ ବଜେଟ୍ରେ ରାଷ୍ଟ୍ରପତି କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଗତବର୍ଷ ତୁଳନାରେ ୫.୩୪ କୋଟି ଟଙ୍କା ଅଧିକ ବଜେଟ୍ର ବ୍ୟବସ୍ଥା କରାଯାଇଛି।