ଛାତ୍ରୀମାନଙ୍କ ପାଇଁ ଋଷ ସରକାରଙ୍କର ବଡ଼ ଅଫର, ପିଲା ଜନ୍ମ କରନ୍ତୁ ଏବଂ ୧ ଲକ୍ଷ ଟଙ୍କା ପାଆନ୍ତୁ!

ଛୁଆ ଜନ୍ମ କରିବା ପାଇଁ ସ୍କୁଲ ଛାତ୍ରୀଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ କରୁଛି ରୁଷ ସରକାର । ଋଷର କାରେଲିଆରେ, ୨୫ ବର୍ଷରୁ କମ୍ ବୟସର ଛାତ୍ରୀମାନଙ୍କୁ ଏକ ସୁସ୍ଥ ସନ୍ତାନ ଜନ୍ମ ଦେବା ପାଇଁ ୧୦୦,୦୦୦ ରୁବେଲ୍ (ପ୍ରାୟ ୮୧,୦୦୦ ଟଙ୍କା) ପ୍ରଦାନ କରାଯାଉଛି । ଏକ ରିପୋର୍ଟ ଅନୁଯାୟୀ, ଋଷର ହ୍ରାସ ପାଉଥିବା ଜନ୍ମହାରକୁ ଉନ୍ନତ କରିବା ପାଇଁ ଏହି ନିୟମ ଲାଗୁ କରାଯାଇଛି । ଏହି ଯୋଜନା ଜାନୁଆରୀ ୧ ରୁ କାର୍ଯ୍ୟକାରୀ ହେଉଛି ।
ଏଥିପାଇଁ କେବଳ ସେହି ମହିଳାମାନେ ଯୋଗ୍ୟ ହେବେ ଯେଉଁମାନେ ସ୍ଥାନୀୟ ବିଶ୍ବବିଦ୍ୟାଳୟ କିମ୍ଵା କଲେଜରେ ନିୟମିତ ଛାତ୍ରୀ, ୨୫ ବର୍ଷରୁ କମ୍ ବୟସର ଏବଂ କାରେଲିଆର ବାସିନ୍ଦା । ଆଞ୍ଚଳିକ ଆଇନ ଅନୁଯାୟୀ, ଏହି ଯୋଜନା ମୃତ ଶିଶୁ ଜନ୍ମ ଦେଉଥିବା ମାଆମାନଙ୍କ ପାଇଁ ପ୍ରଯୁଜ୍ୟ ହେବ ନାହିଁ । ତଥାପି, ଜନ୍ମ ପରେ ହଠାତ୍ ଶିଶୁର ମୃତ୍ୟୁ ହେଲେ ଦେୟର ସ୍ଥିତି କ’ଣ ହେବ ତାହା ଏଥିରେ ଉଲ୍ଲେଖ ନାହିଁ ।
ସେହିପରି ଯଦି ପିଲାଟି ବିକଳାଙ୍ଗ ହୋଇ ଜନ୍ମ ହୁଏ, ତେବେ ମା’ ଏହି ଦେୟ ପାଇଁ ଯୋଗ୍ୟ ହେବେ କି ନାହିଁ ତାହା ମଧ୍ୟ ସ୍ପଷ୍ଟ କରାଯାଇନାହିଁ । ଏହା ବ୍ୟତୀତ, ପଲିସିରେ ଶିଶୁ ଯତ୍ନ ଏବଂ ପ୍ରସବ ପରେ ସ୍ବାସ୍ଥ୍ୟ ଖର୍ଚ୍ଚ ପାଇଁ ଅତିରିକ୍ତ ଆର୍ଥିକ ସହାୟତା ବିଷୟରେ ମଧ୍ୟ କୌଣସି ଉଲ୍ଲେଖ ନାହିଁ । ତେବେ ଋଷ ପାଇଁ ଏହା କୌଣସି ନୂଆ କାମ ନୁହେଁ । ରୁଷର ଅନ୍ୟ ୧୧ଟି ଆଞ୍ଚଳିକ ସରକାର ମଧ୍ଯ ପିଲା ଜନ୍ମ କରିବା ପାଇଁ ମହିଳା ଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରନ୍ତି ।
ତଥାପି, ବିଶେଷଜ୍ଞମାନେ ଏହି ପଦକ୍ଷେପକୁ ଦୂରଦୃଷ୍ଟିର ଅଭାବ ବୋଲି ବର୍ଣ୍ଣନା କରିଛନ୍ତି । ୨୦୨୪ ମସିହାର ପ୍ରଥମ ଛଅ ମାସରେ ରୁଷରେ କେବଳ ୫,୯୯,୬୦୦ ଶିଶୁ ଜନ୍ମ ହୋଇଛନ୍ତି । ଯାହା ଗତ ୨୫ ବର୍ଷ ମଧ୍ୟରେ ସବୁଠାରୁ କମ୍ । ଏହି ସଂଖ୍ୟା ୨୦୨୩ର ସମାନ ସମୟ ତୁଳନାରେ ୧୬,୦୦୦ କମ୍ । ଜୁନ୍ ମାସରେ, ଜନ୍ମହାର ୧୦୦୦,୦୦୦ ତଳକୁ ଖସିଯାଇଥିଲା । ଯାହା ରୁଷର ଭବିଷ୍ୟତ ପାଇଁ ବିପର୍ଯ୍ୟୟକାରୀ ।
୧୯୯୦ ଦଶକର ପ୍ରାରମ୍ଭରେ ରୁଷର ଜନସଂଖ୍ୟା ୧୪୮ ମିଲିୟନ ଥିଲା, ଯାହା ଏବେ ପ୍ରାୟ ୧୪୬ ମିଲିୟନକୁ ହ୍ରାସ ପାଇଛି । ଆକଳନ କରାଯାଉଛି ୨୧୦୦ ମସିହା ସୁଦ୍ଧା ଏହି ସଂଖ୍ୟା ୭୪ ରୁ ୧୧୨ ମିଲିୟନ ପାଇପାରେ । ତେଣୁ ଜନ୍ମହାର ବୃଦ୍ଧି ପାଇଁ ଏପରି କ୍ଷଣସ୍ଥାୟୀ ପଦକ୍ଷେପ ଯଥେଷ୍ଟ ନୁହେଁ କିନ୍ତୁ ରୁଷିଆର ଗମ୍ଭୀର ଜନସଂଖ୍ୟା ସଙ୍କଟ ପ୍ରତି ଦୃଷ୍ଟି ଆକର୍ଷଣ କରିବା ନିହାତି ଆବଶ୍ୟକ ।
Also read: ଔଷଧ ଆମଦାନୀ ଉପରେ ବଡ଼ ଟିକସ ନେଇ ଟ୍ରମ୍ପଙ୍କ ଘୋଷଣା, ପ୍ରଭାବିତ ହେବେ ଭାରତୀୟ ଔଷଧ ନିର୍ମାତା