ବିଶ୍ୱର କ୍ଷୁଧା ନିବାରଣ ପାଇଁ ବ୍ଲାକ୍‌ ସି’କୁ ବାଟ ଛାଡ଼ିଲା ରୁଷ୍‌, ଖାଦ୍ୟଶସ୍ୟ ନେଇ ୟୁକ୍ରେନ୍‌ରୁ ବାହାରିଲା ପ୍ରଥମ ଜାହାଜ

ବ୍ଲାକ୍‌ ସି’ରେ ବାଟ ଛାଡ଼ିଲା ରୁଷ୍‌ । ଖାଦ୍ୟଶସ୍ୟ ନେଇ ୟୁକ୍ରେନ୍‌ରୁ ବାହାରିଲା ପ୍ରଥମ ଜାହାଜ । ଓଡେସା ବନ୍ଦରରୁ ୨୬ ହଜାର ଟନ୍‌ ମକା ଧରି ଲେବାନନ୍‌ ଅଭିମୁଖେ ଯାତ୍ରା କରିଛି ଜାହାଜ ଏମ୍‌ ଭି ରାଜୋନୀ । ୟୁକ୍ରେନ୍‌ର ଖାଦ୍ୟଶସ୍ୟ ବିଶ୍ୱ ବଜାରରେ ପହଞ୍ଚାଇବାକୁ ଆଉ କିଛି ଜାହାଜ ମଧ୍ୟ ଧାଡ଼ିରେ ଅଛନ୍ତି । ଇସ୍ତାନବୁଲ ଚୁକ୍ତି ଅନୁସାରେ ୟୁକ୍ରେନ୍‌ରୁ ପ୍ରତିମାସରେ ୫୦ ଲକ୍ଷ ଟନ୍‌ ଖାଦ୍ୟଶସ୍ୟ ରପ୍ତାନୀ ହେବ। ୟୁକ୍ରେନ୍‌ର ୩ଟି ବନ୍ଦରରୁ ବ୍ଲାକ୍‌ ସି ଦେଇ ଖାଦ୍ୟଶସ୍ୟ ରପ୍ତାନୀ ପାଇଁ ଗତ ୨୨ ତାରିଖରେ ଇସ୍ତାନବୁଲରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଜାତିସଂଘ ସହ ପୃଥକ ପୃଥକ ଚୁକ୍ତି କରିଥିଲା ରୁଷ୍‌ ଓ ୟୁକ୍ରେନ୍‌ । ଯୁଦ୍ଧ ଆରମ୍ଭ ପରଠାରୁ ବିଶ୍ୱ ବଜାରରେ ଆଉ ପହଞ୍ଚି ପାରୁନଥିଲା ୟୁକ୍ରେନ୍‌ ଖାଦ୍ୟଶସ୍ୟ । ବ୍ଲାକ୍‌ ସି’କୁ ଅବରୋଧ କରି ରଖିଥିଲା ରୁଷ୍‌ । ଫଳରେ ଦରଦାମ ବୃଦ୍ଧି ଓ କ୍ଷୁଧା ଆରମ୍ଭ ହୋଇଥିଲା । ମକା ବୋଝେଇ ଜାହାଜ ବାହାରିବା ସହ ଆଜି ଦିନକୁ ବିଶ୍ୱ ପାଇଁ ଆଶ୍ୱସ୍ତିର ଦିନ ବୋଲି କହିଛନ୍ତି ୟୁକ୍ରେନ୍‌ ବୈଦେଶିକ ମନ୍ତ୍ରୀ ଡିମିଟ୍ରୋ କୁଲେବା। ବିଶେଷ କରି ମଧ୍ୟପ୍ରାଚ୍ୟ, ଏସିଆ ଏବଂ ଆଫ୍ରିକା ପାଇଁ ଆଶ୍ୱସ୍ତି ଆଣିବ । ଜାହାଜ ବୋଝେଇ ହେଉଥିବା ବେଳେ ନିଜେ ଜେଲେନ୍‌ସ୍କି ଏହାର ତଦାରଖ କରିଥିଲେ।

ବିଶ୍ୱର କ୍ଷୁଧା ନିବାରଣ ପାଇଁ ବାଟ ବ୍ଲାକ୍‌ ସି’ରେ ବାଟ ଛାଡ଼ିଲା ରୁଷ୍‌ । ହେଲେ ୟୁକ୍ରେନ୍‌ରେ ଗଣହତ୍ୟାରୁ ନିବୃତ୍ତ ହେଉନି । ମାଇକୋଲେଭ୍‌ରେ ଗତକାଲି ରାତି ତମାମ ରକେଟ ବର୍ଷା କରିଛି ରୁଷ୍‌ ସେନା । ଏଥିରେ ବହୁ କ୍ଷୟକ୍ଷତି ଘଟିଛି। ଧ୍ୱଂସ ହୋଇଯାଇଛି ଅନେକ ବେସାମରିକ ଭିତ୍ତିଭୂମି। ତା ଭିତରେ ରହିଛି ଏକ ହସ୍ପିଟାଲ ବିଲ୍‌ଡିଂ। ଖାରକିଭ୍‌ରେ ମଧ୍ୟ ରାତି ତମାମ ରକେଟ୍‌ ବର୍ଷା। ପୂର୍ବ ଅପେକ୍ଷା ଆହୁରି ଉଗ୍ର ହୋଇଛି ରୁଷ୍‌ ସେନା। ତେବେ ଜେଲେନ୍‌ସ୍କି କହିଛନ୍ତି, ରୁଷ୍‌ ଯୁଦ୍ଧ ଜିତିପାରିବନି । ରଣନୀତିକ ଦୃଷ୍ଟିରୁ ଆତଙ୍କବାଦୀଙ୍କ ଏହି ଦେଶ ପରାଜୟ ଅନୁଭବ କଲାଣି। ଆମକୁ ଏକ ସମୟରେ ପ୍ରତିରକ୍ଷା, କୂଟନୀତି ଓ ରାଜନୀତିର ରାସ୍ତାରେ ଯିବାକୁ ହେବ । ବିଜୟ ପର୍ଯ୍ୟନ୍ତ ଏବଂ ବିଜୟ ପରେ ମଧ୍ୟ ଆମକୁ ଏକତା ଅତୁଟ ରଖିବାକୁ ହେବ ବୋଲି କହିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ।

ସେପଟେ ରୁଷ ନୌସେନାରେ ସାମିଲ ହେବାକୁ ଯାଉଛି ବିଧ୍ୱଂସୀ ହାଇପରସୋନିକ ଜିକ୍ରନ୍‌ କ୍ରୁଜ୍‌ ମିସାଇଲ । ଗତକାଲି ରୁଷ୍‌ର ନୌସେନା ଦିବସରେ ଘୋଷଣା କରିଥିଲେ ପୁଟିନ୍‌ । କହିଥିଲେ ବିଶ୍ୱରେ ଏହାର ତୁଳନା ନାହିଁ। ତେବେ ଏହି ହାଇପରସୋନିକ ଜିକ୍ରନ୍‌ ମିସାଇଲ କଣ? ଏହି ମିସାଇଲର ନାଁ 3M22 ଜିକ୍ରନ୍‌ । ଏହି ଆଣ୍ଟିସିପ୍‌ ମିସାଇଲ ଯୁଦ୍ଧ ଜାହାଜରୁ ଉତ୍‌କ୍ଷେପଣ ହୋଇଥାଏ। ଘଣ୍ଟାପ୍ରତି ୧୧ ହଜାର କିମିରୁ ଅଧିକ ବେଗରେ ଗତିକରିପାରରେ ଜିକ୍ରନ୍‌ । ଏତେ କ୍ଷିପ୍ରଗତିରେ ଯାଉଥିବାରୁ ଏହାକୁ ଧ୍ୱଂସ କରିବା ଅସମ୍ଭବ। ରାଡାର ମଧ୍ୟ ଠାବ କରିବା ସମ୍ଭବ ନୁହେଁ। ଉଭୟ ଜଳ ଏବଂ ସ୍ଥଳ ଭାଗକୁ ଟାର୍ଗେଟ୍‌ କରିପାରିବ ଜିକ୍ରନ୍‌ । ଏହାର ରେଞ୍ଜ ସଂପର୍କରେ ସ୍ପଷ୍ଟ କରିନି ରୁଷ୍‌ । ତେବେ ଦେଢ଼ ହଜାର କିମି ଦୂରକୁ ଲକ୍ଷ୍ୟଭେଦ କରିପାରିବ। ରୁଷ୍‌ ନୌସେନାରେ ଏହି ମିସାଇଲ ସାମିଲ ହେଲେ ଶତ୍ରୁ ପାଇଁ ନଆ ଆତଙ୍କ ସୃଷ୍ଟି କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.