୫୪ ଦିନରେ ରୁଷ-ୟୁକ୍ରେନ୍‌ ଯୁଦ୍ଧ, ପୁଟିନ୍‌ ବାହିନୀର ଲକ୍ଷ ଲକ୍ଷ ଯବାନଙ୍କୁ ମାରିଲେଣି ଜେଲେନ୍‌ସ୍କି ସେନା

୫୪ ଦିନରେ ଯୁଦ୍ଧ। ଲଢ଼ୁଆ ଜବାବ ଦେଉଛି ୟୁକ୍ରେନ୍‌। ରୁଷ୍‌ର କ୍ଷତି ବଢ଼ୁଛି। ସେନା ବାହିନୀ ସହ ବିପୁଳ ଅସ୍ତ୍ରଶସ୍ତ୍ର ହରାଉଛି ରୁଷ୍‌। ରୁଷ୍‌ ସୈନ୍ୟଙ୍କ ରକ୍ତରେ ଭିଜୁଛି ୟୁକ୍ରେନ୍‌ ମାଟି। ଇତି ମଧ୍ୟରେ ପୁଟିନ୍‌ ବାହିନୀର ୨୦ ହଜାର ୬୦୦ ସୈନ୍ୟ ନିହତ ହେଲେଣି। କେତେ ଅସ୍ତ୍ରଶସ୍ତ୍ର ହରାଉଛି ତାର ହିସାବ ନାହିଁ। ରୁଷ୍‌ର ୭୯୦ ଟ୍ୟାଙ୍କ ଧ୍ୱଂସ ହୋଇଗଲାଣି। ଆଜି ଗୋଟିଏ ଦିନରେ ୭ଟି ଟ୍ୟାଙ୍କ୍‌ ଧ୍ୱଂସ କରିଥିବା ଦାବି କରିଛି ୟୁକ୍ରେନ୍‌। ଏଯାଏଁ ୧୬୭ ଫାଇଟର ଜେଟ୍‌ ଏବଂ ୧୪୭ ଲଢ଼ୁଆ ହେଲିକପ୍‌ଟର ହରାଇଲାଣି ରୁଷ୍‌ । ବିଶାଳ ଯୁଦ୍ଧ ଜାହାଜ ମସ୍କଭାକୁ ହରାଇଛି।


ଯୁଦ୍ଧ ଯେତିକି ଲମ୍ବୁଛି ରୁଷ୍‌ର କ୍ଷତ ସେତିକି ବଢ଼ୁଛି। ହେଲେ ସୁପର ପାଓ୍ଵାର ରୁଷ୍‌ର ମୁକାବିଲା ପାଇଁ ୟୁକ୍ରେନ୍‌କୁ ଆବଶ୍ୟକ ପ୍ରଚୁର ଅସ୍ତ୍ରଶସ୍ତ୍ର। ଆମେରିକା ଓ ୟୁରୋପରୁ ପ୍ରତିଦିନ ୟୁକ୍ରେନ୍‌ରେ ପହଞ୍ଚୁଛି ନୂଆନୂଆ ହତିଆର। କିନ୍ତୁ ଏତିକି ଯଥେଷ୍ଟ ନୁହେଁ। ଆହୁରି ଅସ୍ତ୍ର ମାଗିଛନ୍ତି ଜେଲେନ୍‌ସ୍କି। କହିଛନ୍ତି, ଯୁଦ୍ଧାସ୍ତ୍ର ମିଳିବାରେ ପ୍ରତିଟି ବିଳମ୍ବ ରୁଷ୍‌କୁ ଜୀବନ ନେବାକୁ ଅନୁମତି ଦେଉଛି। ଅସ୍ତ୍ର ଦେବାକୁ ଯେଉଁମାନେ କୁଣ୍ଠିତ ସେମାନେ ବି ଜାଣି ରଖନ୍ତୁ। ଏହି ଯୁଦ୍ଧର ଭାଗ୍ୟ ସେମାନଙ୍କ ଉପରେ ବି ନିର୍ଭର କରୁଛି। ଡନ୍‌ବାସ୍‌କୁ ପୂରା ଧ୍ୱଂସ କରିବାକୁ ଚାହୁଁଛି ରୁଷ୍‌। ମାରିଓପୁଲ ଭଳି ଅନ୍ୟ ସହରକୁ ପୋଛି ଦେବାକୁ ଲକ୍ଷ୍ୟ ରଖିଛି।

ୟୁକ୍ରେନ୍‌ ଆର୍ମିକୁ ଜୋସ୍‌ ଦେଉଛନ୍ତି ଜେଲେନ୍‌ସ୍କି। ବଢ଼ାଉଛନ୍ତି ଯୁଦ୍ଧ ଲଢ଼ିବାର ମନୋବଳ। ଆର୍ମି କମାଣ୍ଡରମାନଙ୍କୁ ଭେଟିଛନ୍ତି। ସେମାନଙ୍କ ସହ କର ମର୍ଦ୍ଦନ କରିଛନ୍ତି ଆଉ ସମ୍ମାନିତ ବି କରିଛନ୍ତି। କମ୍‌ ସଂଖ୍ୟାରେ ସୈନ୍ୟ ଓ ଅସ୍ତ୍ରଶସ୍ତ୍ରରେ ରୁଷ୍‌ର ନିଦ ହଜାଇ ଦେଲାଣି ୟୁକ୍ରେନ୍‌।

Also Read: ଅନାସ୍ଥା ପ୍ରସ୍ତାବ ପୂର୍ବରୁ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଗୋଟିଚାଳନା, ଗଠନ କଲେ ନୂଆ ମନ୍ତ୍ରିମଣ୍ଡଳ

Leave A Reply

Your email address will not be published.