ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧକୁ ଆଜି ୧୦୦ ଦିନ: ନା’ ଅଟକୁଛି ପୁଟିନ୍‌ ସେନା ନା’ ହାର ମାନୁଛନ୍ତି ୟୁକ୍ରେନ୍‌ବାସୀ

ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ଥିବା ଯୁଦ୍ଧକୁ ଆଜି ଜୁନ୍‌ ୩ରେ ୧୦୦ ଦିନ ହୋଇଛି। କିନ୍ତୁ ଏବେ ଯାଏଁ ଯୁଦ୍ଧ ବନ୍ଦ ହେବାର ନାଁ ଧରୁନି। ରୁଷ୍‌କୁ ପ୍ରଥମେ ଲାଗିଥିଲା ଯେ ସେମାନେ ମାତ୍ର କିଛି ଦିନରେ ହିଁ ଯୁଦ୍ଧ ସାରି ଦେବେ। କିନ୍ତୁ ୟୁକ୍ରେନ୍‌ ତାଙ୍କୁ କଡ଼ା ଟକ୍କର ଦେଇଛି। ଏହି ଯୁଦ୍ଧ କାରଣରୁ ପୂରା ଦୁନିଆ ପ୍ରଭାବିତ ହୋଇଛି। ସାରା ବିଶ୍ୱରେ ଗହମ ଓ ତୈଳର ମୂଲ୍ୟ ପ୍ରବଳ ମାତ୍ରାରେ ବୃଦ୍ଧି ପାଇଛି। କିନ୍ତୁ ଏବେ ୧୦୦ ଦିନ ପରେ ବି ଯୁଦ୍ଧର କୌଣସି ନିଷ୍କର୍ଷ ବାହାରି ପାରିନାହିଁ।

ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଯଦିଓ ବର୍ଷେ ଯାଏଁ ଚାଲିବ ନାହିଁ, କିନ୍ତୁ ଏହି ଯୁଦ୍ଧ ଆହୁରି କିଛି ମାସ ଚାଲିପାରେ। ରୁଷ୍‌ ନିଜେ ଏକ ବୃହତ୍‌ ତଥା ଶକ୍ତିଶାଳୀ ଦେଶ ହୋଇଥିବା ବେଳେ ୟୁକ୍ରେନ୍‌କୁ ସମସ୍ତ ପଶ୍ଚିମ ଦେଶ ସମର୍ଥନ କରୁଛନ୍ତି। ଏଣୁ ଏହି ଯୁଦ୍ଧ ଆଗକୁ ଆହୁରି ଭୟଙ୍କର ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେବେ ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ଥିବା ରକ୍ତ ସଂଘର୍ଷରେ ଉଭୟ ପକ୍ଷର ଲକ୍ଷ ଲକ୍ଷ ସେନା ଜୀବନ ହରାଇଛନ୍ତି। ସେହିପରି ଅନେକ ୟୁକ୍ରେନ୍‌ବାସୀ ମଧ୍ୟ ଘର ଛାଡ଼ି ଅନ୍ୟତ୍ର ପଳାୟନ କରିଛନ୍ତି। ଫଳରେ ଦେଶର ସ୍ଥିତି ଏକ ପ୍ରକାରର ବିପର୍ଯ୍ୟସ୍ତ ହୋଇପଡ଼ିଛି କହିଲେ ଚଳେ।

ukraine
Photo credit: Free Press journal

ଅନ୍ୟପଟେ ରୁଷ୍‌ ରାଷ୍ଟ୍ରପତି ପୁଟିନ୍‌ ଭାବୁଛନ୍ତି ଯେ ଯୁଦ୍ଧ ଯେତେ ଲମ୍ବା ହେବ, ପଶ୍ଚିମ ଦେଶର ସେତେ ଆର୍ଥିକ କ୍ଷତି ଘଟିବ। ଆଉ ଗୋଟିଏ ସମୟରେ ୟୁକ୍ରେନ୍‌ ସମ୍ପୂର୍ଣ୍ଣ କାଙ୍ଗାଳ ହୋଇଯିବ। କିନ୍ତୁ ପଶ୍ଚିମ ଦେଶ ଲଗାତାର ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ଯୋଗାଉଛନ୍ତି।

ବିଶେଷଜ୍ଞଙ୍କ ମତ ଅନୁସାରେ, ଯୁଦ୍ଧକୁ ପୁଟିନ୍‌ ଆରମ୍ଭ କରିଛନ୍ତି ଓ ସେ ହିଁ ଶେଷ କରିବେ। ପୁଟିନ୍‌ ଏକ ତରଫା ଯୁଦ୍ଧ ବିରାମ ଘୋଷଣା କରି ପୂରା ଦୁନିଆକୁ ଚମକାଇ ଦେଇ ଯୁଦ୍ଧ ବନ୍ଦ କରିପାରନ୍ତି। କବ୍‌ଜା କରିଥିବା ଅଞ୍ଚଳକୁ ୟୁକ୍ରେନ୍‌ ଠାରୁ ଛଡ଼ାଇ ନେଇ ମଧ୍ୟ ସେ ନିଜ ବିଜୟ ଘୋଷଣା କରିପାରନ୍ତି। ପୁଟିନ୍‌ ପ୍ରଥମରୁ ହିଁ ଏହାକୁ ଯୁଦ୍ଧ ଜାଗାରେ ଏକ ମିଲିଟାରୀ ଅପରେସନ୍‌ ବୋଲି କହୁଛନ୍ତି। ୟୁକ୍ରେନ୍‌ର ଡୋନବାସ ଅଞ୍ଚଳକୁ ଅଲଗା କରି ସେ କ୍ରିମିଆ ସହ ଯୋଡ଼ିପାରନ୍ତି ବୋଲି ମଧ୍ୟ ଆଶଙ୍କା କରାଯାଉଛି।

କିନ୍ତୁ ଯଦି ପଶ୍ଚିମ ଦେଶର ସାହାଯ୍ୟ ନେଇ ୟୁକ୍ରେନ୍‌ ଏହି ଯୁଦ୍ଧରେ ବିଜୟୀ ହୁଏ, ଯାହା କି ଅସମ୍ଭବ ମନେ ହେଉଛି; ତେବେ ଏହା ୟୁକ୍ରେନ୍‌ ପାଇଁ ଏକ ଇତିହାସ ହେବ। ତେବେ ଏହି ଯୁଦ୍ଧରେ କିଏ ଜିତିବ ସେ ତ ସମୟ କହିବ। କିନ୍ତୁ ଏହି ରକ୍ତ ସଂଘର୍ଷରେ ତୁରନ୍ତ ବିରାମ ଲାଗିବା ଆବଶ୍ୟକ। ନଚେତ୍‌ ଆହୁରି ଅନେକ ଧନ ଜୀବନ ଅଯଥାରେ ଚାଲିଯିବ।

Also Read: ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟର୍ଣ୍ଣସିପ୍‌ର ସୁଯୋଗ, ମାସିକ ମିଳିବ ୧୦ ହଜାର ଟଙ୍କା