ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ନେଇ ଚିନ୍ତା! ଫୋନରେ କଇଁ କଇଁ ହୋଇ କାନ୍ଦିଲେ ପତ୍ନୀ, ଏମିତି କହି ବୁଝାଇଲେ ରୁଷୀୟ ସୈନ୍ୟ

ବିଶ୍ୱର ବଡ଼ ବଡ଼ ଭବିଷ୍ୟବକ୍ତାଙ୍କ ମଧ୍ୟରୁ ଅନ୍ୟତମ ବୁଲଗେରିଆର ବାବା ଭେଙ୍ଗା। ସେ ତାଙ୍କ ଜୀବନ କାଳ ମଧ୍ୟରେ ଅନେକ ଭବିଷ୍ୟବାଣୀ କରିଛନ୍ତି। ଏ ପର୍ଯ୍ୟନ୍ତ ତାଙ୍କର କେତେକ ଭବିଷ୍ୟବାଣୀ ସତ ମଧ୍ୟ ପ୍ରମାଣିତ ହୋଇ ସାରିଛି। ବାବା ଭେଙ୍ଗା ସୋଭିଏତ୍ ସଂଘର ବିଘଟନ, ଆମେରିକାର ଆତଙ୍କବାଦୀ ସଙ୍ଗଠନ ଅଲ କାଏଦାର ୯/୧୧ ଆକ୍ରମଣ ଭଳି କେତେଗୁଡ଼ିଏ ଭବିଷ୍ୟବାଣୀ କରିଥିଲେ। ବାବାଙ୍କର ଏହି ଭବିଷ୍ୟବାଣୀଗୁଡ଼ିକ ବିଶ୍ୱକୁ ଏକ ପ୍ରକାର ଭୟଭୀତ କରି ରଖିଛି। କେବଳ ଏତିକି ନୁହେଁ, ବାବା ଭେଙ୍ଗା ୨୦୨୨ ବର୍ଷ ପାଇଁ ମଧ୍ୟ ଭୟଙ୍କର ଭବିଷ୍ୟବାଣୀ କରିଥିଲେ, ଯାହାକି ସତ ପ୍ରମାଣିତ ହୋଇଛି। କୁହାଯାଉଛି, ବାବା ଭେଙ୍ଗା ରୁଷ୍‌-ୟୁକ୍ରେନ ଯୁଦ୍ଧକୁ ନେଇ ସଠିକ୍ ଭବିଷ୍ୟବାଣୀ କରିଥିଲେ। ଏହାକୁ ଆଧାର କରି ବର୍ତ୍ତମାନ ଦାବି କରାଯାଉଛି ଯେ ଦୁଇ ଦେଶ ମଧ୍ୟରେ ଏହି ଯୁଦ୍ଧ ଆହୁରି ୨ ବର୍ଷ ପର୍ଯ୍ୟନ୍ତ ଚାଲିପାରେ।

ମିଡିଆ ରିପୋର୍ଟ ମୁତାବକ, ବର୍ତ୍ତମାନ ଦୁଇ ଦେଶର ସୈନ୍ୟମାନେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ନେଇ ଚିନ୍ତିତ ଥିବାର ଦେଖାଯାଉଛନ୍ତି। ଏହା ଏଥିପାଇଁ କୁହାଯାଉଛି କି, ଯୁଦ୍ଧରେ ନିୟୋଜିତ ଜଣେ ରୁଷୀୟ ସୈନିକ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଫୋନରେ ହୋଇଥିବା ବାର୍ତ୍ତାଳାପକୁ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ସୋସିଆଲ ମିଡିଆରେ ଅପଲୋଡ୍ କରିଛି। ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ବିଷୟରେ କଥା ହୋଇ ରୁଷୀୟ ସୈନିକଙ୍କ ପତ୍ନୀ କଇଁ କଇଁ ହୋଇ କାନ୍ଦୁଛନ୍ତି, ଆଉ କହୁଛନ୍ତି ଯେ ‘ଆଉ କେତେ ଦିନ ପରେ ଆମେ ମିଶି ପାରିବା। ଆମେ ପରସ୍ପରକୁ ନ ଦେଖିବାରେ ବହୁତ ଦିନ ହୋଇଗଲାଣି’। ପତ୍ନୀଙ୍କ କଥା ଶୁଣି ରୁଷୀୟ ସୈନିକ ପତ୍ନୀଙ୍କୁ ବୁଝାଇ କହୁଛନ୍ତି, ‘ବର୍ତ୍ତମାନ ଧୌର୍ଯ୍ୟ ରଖିବାର ବେଳ। ଏବେ କୁହାଯାଇ ପାରିବନି ଘରକୁ ଫେରିବାରେ ଆଉ କେତେ ଦିନ ସମୟ ଲାଗିବ। ବର୍ତ୍ତମାନ ଘରକୁ ଫେରିବା ସମ୍ଭବ ନୁହେଁ, ବରଂ ଅସମ୍ଭବ’।

ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ଜାରି ଅଡିଓରେ ଜଣେ ରୁଷୀୟ ମହିଳା ତାଙ୍କ ସ୍ୱାମୀଙ୍କୁ କରିଥିବା ଫୋନ୍ କଲରେ ଜୋର୍‌ରେ କାନ୍ଦୁଥିବାର ଶୁଣିବାକୁ ମିଳୁଛି। ଅଡିଓରେ ରୁଷୀୟ ସୈନିକ ନିଜ ପତ୍ନୀଙ୍କୁ କହୁଛନ୍ତି ଯେ ‘ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ ଆମର ଯୁଦ୍ଧ ୨୦୨୪ ପର୍ଯ୍ୟନ୍ତ ଚାଲିବ’। ସେପଟେ ତାଙ୍କ ପତ୍ନୀ କହୁଛନ୍ତି, ‘ମୁଁ ତୁମ ବିନା ରହି ପାରିବି ନାହିଁ’ ଏବଂ ଏହାପରେ ସେ କଇଁ କଇଁ ହୋଇ କାନ୍ଦିବାକୁ ଲାଗୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.