ବ୍ରିଟିଶ୍‌ ମିଡିଆର ଆଶ୍ଚର୍ଯ୍ୟଜନକ ଦାବି: ନିଜର ଆହତ ସୈନିକଙ୍କୁ ଚିକିତ୍ସା ପରିବର୍ତ୍ତେ ଗୁଳି ମାରି ହତ୍ୟା କରୁଛନ୍ତି ରୁଷୀୟ କମାଣ୍ଡର!

ଅନେକ ମାସ ହେବ ଜାରି ରହିଛି ରୁଷ୍‌-ୟୁକ୍ରେନ ଯୁଦ୍ଧ। ତଥାପି କେହି କାହାକୁ କମ୍‌ ପଡ଼ୁ ନାହାନ୍ତି। ରୁଷ୍‌ ଆକ୍ରମଣର ଲଗାତାର ଜବାବ ଦେଇ ଚାଲିଛି ୟୁକ୍ରେନ। ତେବେ ଏହି ଯୁଦ୍ଧ ଭିତରେ ଏକ ଆଶ୍ଚର୍ଯ୍ୟଜନକ ଖବର ହୁଏତ ସମସ୍ତଙ୍କୁ ସ୍ତବ୍ଧ କରିଦେବ। ଖବର ରହିଛି ଯେ ୟୁକ୍ରେନ ଯୁଦ୍ଧରେ ଆହତ ନିଜର ସୈନିକମାନଙ୍କୁ ରୁଷ୍‌ କମାଣ୍ଡର ଗୁଳି ମାରି ହତ୍ୟା କରୁଛନ୍ତି। ଏଭଳି ଆଶ୍ଚର୍ଯ୍ୟଜନକ ଦାବି ବ୍ରିଟିଶ୍‌ର ଏକ ନ୍ୟୁଜ୍‌ େଓ୍ଵବ୍‌ସାଇଟ କରିଛି। େଓ୍ଵବ୍‌ସାଇଟର କହିବା ହେଲା, ରୁଷ୍‌ ନିଜର ଆହତ ସୈନିକମାନଙ୍କୁ ଚିକିତ୍ସା କରାଇବା ପରିବର୍ତ୍ତେ ଓଲଟା ଗୁଳି ମାରି ସେମାନଙ୍କ ଜୀବନ ନେଉଛି। ଏ ପର୍ଯ୍ୟନ୍ତ ଶହ ଶହ ସୈନିକ ଏମିତି କମାଣ୍ଡରଙ୍କ ହାତରେ ମରି ସାରିଲେଣି।

ବ୍ରିଟିଶ ନ୍ୟୁଜ୍‌ େଓ୍ଵବ୍‌ସାଇଟ କହିଛି ଯେ ରୁଷିଆର ସୈନିକମାନେ ନିଜର ଜଣେ ଲେଫ୍ଟିନାଣ୍ଟ କର୍ଣ୍ଣଲଙ୍କ ଉପରେ ଏଭଳି ହତ୍ୟା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ମୁତାବକ, ନିକଟରେ ରୁଷ୍‌ କମାଣ୍ଡର ଜଣେ ଆହତ ସୈନିକଙ୍କୁ ସେ ଚାଲି ପାରିବେ କି ନାହିଁ ବୋଲି ପ୍ରଶ୍ନ ପଚାରିଥିଲେ। ହେଲେ ଯେତେବେଳେ ସୈନିକ ଜଣକ ଉତ୍ତର ନା କହିଥିଲେ, ତ ସେହି ସମୟରେ ଅଧିକାରୀ ଜଣକ ତତ୍‌କ୍ଷଣାତ ତାଙ୍କୁ ଗୁଳି ମାରି ଦେଇଥିଲେ। େଓ୍ଵବ୍‌ସାଇଟର କହିବା ହେଲା, ଏହି ଭଳି ଗୋଟିଏ ନୁହେଁ, ବରଂ ଅନେକ ଘଟଣା ଘଟିଛି। ରୁଷୀୟ କମାଣ୍ଡର ନିଜର ହିଁ ସୈନିକମାନଙ୍କୁ ଗୁଳି ମାରି ହତ୍ୟା କରୁଛନ୍ତି।

ତେବେ ବ୍ରିଟିଶ୍‌ େଓ୍ଵବ୍‌ସାଇଟ ଏହି ଦାବି ଜଣେ ୟୁକ୍ରେନୀ ସାମ୍ବାଦିକଙ୍କ ଦ୍ୱାରା ପ୍ରସ୍ତୁତ ଏକ ଭିଡିଓ କ୍ଲିପ୍‌ ଆଧାରରେ କରିଛି। ଏହି ଭିଡିଓ କ୍ଲିପ୍‌ରେ ଦେଖା ଯାଉଛି ଯେ ୟୁକ୍ରେନ ସେନା କିଛି ରୁଷୀୟ ସୈନିକଙ୍କୁ ହାତ ବାନ୍ଧି ବନ୍ଦୀ କରି ରଖିଛନ୍ତି। ଆଉ ଏହି ସମୟରେ ରୁଷୀୟ ସୈନିକ ମାନଙ୍କର ଇଣ୍ଟରଭ୍ୟୁ ନିଆଯାଉଛି। ଏଥିରେ ସେମାନେ ନିଜ କମାଣ୍ଡରଙ୍କ ଉପରେ ହତ୍ୟା ଏବଂ ଦୁର୍ବ୍ୟବହାର ଅଭିଯୋଗ ଆଣୁଥିବା ଦେଖିବାକୁ ମିଳୁଛି। ତେବେ ଏହି ଖବରର କେତେ ସତ୍ୟାସତ୍ୟ ରହିଛି, ତାହା ଏ ପର୍ଯ୍ୟନ୍ତ ନିଶ୍ଚିତ ହୋଇପାରି ନାହିଁ।

ବାସ୍ତବରେ, ରୁଷ୍‌ ଓ ୟୁକ୍ରେନ ଯୁଦ୍ଧ ଭିତରେ ଦୁଇ ଦେଶ ମଧ୍ୟରେ ଇନ୍‌ଫର୍ମେସନ ଓ୍ଵାରଫେୟାର ମଧ୍ୟ ଚାଲିଛି, ଯେଉଁଥିରେ ଉଭୟ ଉଭୟଙ୍କ ବିରୋଧରେ ଭୁଲ୍‌ ଖବର ବିସ୍ତାର କରି ମନୋବଳ ଭାଙ୍ଗୁଛନ୍ତି। ଏହି ଇନ୍‌ଫର୍ମେସନ ଓ୍ଵାରଫେୟାରରେ ୟୁକ୍ରେନ ସହିତ ପଶ୍ଚାତ୍ୟ ମିଡିଆ ଖାସ୍‌ କରି ବ୍ରିଟେନ ଏବଂ ଆମେରିକା ମଧ୍ୟ ସହଯୋଗର ହାତ ବଢ଼ାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.