ୟୁକ୍ରେନ ଉପରେ ରୁଷର ମିଶାଇଲ ଆକ୍ରମଣ, ୧୧ ମୃତ, ୩୫ ବିଲିଡିଂ ନଷ୍ଟ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଥମିବାରେ ନାଁ ନେଉନାହିଁ । ୟୁକ୍ରେନଙ୍କୁ ପଶ୍ଚିମ ଦେଶରୁ ମିଳୁଥିବା ସୈନ୍ୟ ସମର୍ଥନ ଯୋଗୁଁ ରୁଷରେ ହଡକମ୍ପ ସୃଷ୍ଟି ହୋଇଛି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସେନା ୟୁକ୍ରେନ ଉପରେ ମିସାଇଲ ମାଡ଼ କରିଛି। ଏହି ମିଶାଇଲ ଆକ୍ରମଣରେ ୧୧ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ରୁଷ ପକ୍ଷରୁ ମିଶାଇଲ ଆକ୍ରମଣକୁ ଆମେରିକା କଡ଼ା ନିନ୍ଦା କରିଛି । ରୁଷର ମିଶାଇଲ ଆକ୍ରମଣରେ ୟୁକ୍ରେନର ପାଖାପାଖି ୧୧ଟି ଅଞ୍ଚଳକୁ କ୍ଷତି ପହଞ୍ଚିଛି । ୩୫ରୁ ଅଧିକ ବିଲିଡିଂ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି ।

ରିପୋର୍ଟ ମୁତାବକ, ଗୁରୁବାର ଦିନ ୟୁକ୍ରେନ ଉପରେ ରୁଷର ମିଶାଇଲ ମାଡ ଯୋଗୁଁ ଅତିକମରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ତେବେ କିଭ୍‌ ଅଞ୍ଚଳରେ ଅଧିକ କ୍ଷତି ଘଟିଛି। ଏଥିପାଇଁ ଉଦ୍ଧାର କାର୍ଯ୍ୟରେ ପାଖାପାଖି ୧୦୦ ଜଣ ଲାଗିଛନ୍ତି । ଆମେରିକା ପକ୍ଷରୁ ୟୁକ୍ରେନରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ପ୍ରତି ସମ୍ବେଦନା ବ୍ୟକ୍ତ କରିବା ସହିତ ଆହତଙ୍କୁ ସହାନୁଭୂତି ଜଣାଇଥିଲେ ।

ରୁଷ ୟୁକ୍ରେନର ଶକ୍ତି ଗ୍ରୀଡକୁ ବାରମ୍ବାର ଟାର୍ଗେଟ କରୁଥିବା ଦେଖିବାକୁ ମିଳୁଛି। ଅକ୍ଟୋବର ଠାରୁ ବିଦ୍ୟୁତ୍ ଯୋଗାଣରେ ବାଧା ସୃଷ୍ଟି କରିବା ଅଭିଯାନରେ ୟୁକ୍ରେନର ଶକ୍ତି ସୁବିଧା ଉପରେ ଅନେକରୁ ଅଧିକ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଲଞ୍ଚ କରିଛି। ଏବେ ରୁଷ ମନ ଇଚ୍ଛା କାର୍ଯ୍ୟ କରୁଛି । ଶକ୍ତି ଗ୍ରୀଡ଼ ବ୍ୟତୀତ ଏହି କ୍ଷେପଣାସ୍ତ୍ର ଷ୍ଟ୍ରାଇକ୍ ପ୍ରାୟତଃ ଆବାସିକ ଅଞ୍ଚଳରେ ମଧ୍ୟ ଅବତରଣ କରିଥିବା ସୂଚନା ରହିଛି ।

ନିକଟ ଅତୀତରେ ରୁଷ ୟୁକ୍ରେନର ମଧ୍ୟଭାଗର ଡିନପ୍ରୋରେ ମଧ୍ୟ ମିଶାଇଲ ମାଡ଼ କରିଥିଲା । ଏଥିରେ ଥିବା ଏକ ଆପାର୍ଟମେଣ୍ଟ ବିଲ୍ଡିଂରେ ୪୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଯେଉଁ ଆପାର୍ଟମେଣ୍ଟରେ ମିସାଇଲ ମାଡ ହୋଇଛି ସେଥିରେ ଥିବା ୭୨ଟି ଆପାର୍ଟମେଣ୍ଟ ମାଟିରେ ମିଶି ଯାଇଥିଲା । ଶହ ଶହ ଲୋକ ବାସହରା ହୋଇଥିଲେ । ଧ୍ୱଂସାବଶେଷ ତଳୁ ଲୋକଙ୍କୁ ସୁରକ୍ଷାକର୍ମୀମାନେ ରାତିତମାମ ପ୍ରବଳ ଥଣ୍ଡାରେ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ। ମିସାଇଲ ମାଡ଼ରେ ବିଜୁଳି ଓ ପାଣି ଯୋଗାଣ ଉପରେ ବେଶ୍‌ ପ୍ରଭାବ ପଡିଛି। ତେଣୁ ଆଗାମୀ ଦିନରେ ବିଜୁଳି ଓ ପାଣି ଯୋଗାଣ ପ୍ରଭାବିତ ହୋଇପାରେ।