ରୁଷ୍ର ନିଖୋଜ ହେଲିକପ୍ଟରର ଭଗ୍ନାବଶେଷ ମିଳିଲା, ୨୨ ଜଣଙ୍କ ମଧ୍ୟରୁ ୧୭ ମୃତଦେହ ଉଦ୍ଧାର

ରୁଷ୍ର ସୁଦୂର ପୂର୍ବରେ ନିଖୋଜ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ରହିଛି । ଏଥିରେ ଥିବା ୨୨ ଜଣଙ୍କ ମଧ୍ୟରୁ ୧୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ରୁଷ୍ର ଅଧିକାରୀମାନେ ରବିବାର ଏହା ବିଷୟରେ ସୂଚନା ଦେଇ କହିଛନ୍ତି ଯେ ହେଲିକପ୍ଟରର ଭଗ୍ନାବଶେଷର ମଧ୍ୟ ସନ୍ଧାନ ମିଳିଛି ।
ରୁଷ୍ର ଏମରଜେନ୍ସି ମନ୍ତ୍ରଣାଳୟ କହିଛି, ୧୭ ଜଣଙ୍କ ମୃତଦେହ ମିଳିଛି । ବାକି ଅନ୍ୟମାନଙ୍କୁ ଉଦ୍ଧାର କର୍ମୀମାନେ ଖୋଜାଖୋଜି କରୁଛନ୍ତି । ହେଲିକପ୍ଟରରେ ଥିବା ସମସ୍ତ ଲୋକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି ।
କୁହାଯାଉଛି ଯେ ଖରାପ ପାଣିପାଗ ଏବଂ କମ୍ ଦୃଶ୍ୟମାନ ହେତୁ ହେଲିକପ୍ଟରଟି ଦୁର୍ଘଟଣାର ଶିକାର ହୋଇଥିଲା । ଏୟାର ସବେର୍କ୍ଷଣ କରାଯାଇ ନିଖୋଜ ହେଲିକପ୍ଟରର ଭଗ୍ନାବଶେଷକୁ ଖୋଜାଯାଇ ପାରିଛି । ରୁଷ୍ର ଫେଡେରାଲ୍ ଏୟାର ଟ୍ରାନ୍ସପୋର୍ଟ ଏଜେନ୍ସି ପୂର୍ବରୁ ଏକ ବିବୃତ୍ତିରେ କହିଥିଲା କି, ଶନିବାର ଏମ୍ଆଇ-୮ ହେଲିକପ୍ଟର କାମଚଟକା ଅଞ୍ଚଳରେ ଭାଚକାଜେଟ୍ସ ଆଗ୍ନେୟଗିରି ନିକଟରେ ଉଡ଼ାଣ ଭରିଥିଲା, କିନ୍ତୁ ଏହା ନିର୍ଦ୍ଧାରିତ ଗନ୍ତବ୍ୟସ୍ଥଳରେ ପହଞ୍ଚି ନାହିଁ ।
କୁହାଯାଇଥିଲା ଯେ ବିମାନରେ ୧୯ ଜଣ ଯାତ୍ରୀ ଏବଂ ଚାଳକ ଦଳର ୩ ଜଣ ସଦସ୍ୟ ଥିଲେ । ଏମ୍ଆଇ-୮ ଦୁଇ ଇଞ୍ଜିନ୍ ବିଶିଷ୍ଟ ହେଲିକପ୍ଟର । ଏହାକୁ ୧୯୬୦ରେ ନିର୍ମାଣ କରାଯାଇଥିଲା ।