ଦକ୍ଷିଣ ତୁର୍କୀର ଅଣ୍ଟାଲ୍ୟା ବିମାନବନ୍ଦରରେ ଅବତରଣ ପରେ ଏକ ରୁଷୀୟ ବିମାନରେ ନିଆଁ ଲାଗିଯାଇଛି । ବିମାନରେ ୯୫ ଜଣ ଯାତ୍ରୀ ଥିଲେ । ତୁର୍କୀର ପରିବହନ ମନ୍ତ୍ରଣାଳୟ କହିଛି ଯେ ସମସ୍ତ ଯାତ୍ରୀ ଏବଂ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି ।
ରୁଷୀୟ ବିମାନ କମ୍ପାନୀ ଅଜିମୁଥ୍ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ‘ସୁଖୋଇ ସୁପରଜେଟ୍ ୧୦୦’ ବିମାନ ରବିବାର ରୁଷର ସୋଚିରୁ ଉଡ଼ାଣ ଭରିଥିଲା । ଏଥିରେ ୮୯ ଜଣ ଯାତ୍ରୀଙ୍କ ସହ ୬ କ୍ରୁ ସଦସ୍ୟ ଥିଲେ ।
ବିମାନଟି ସ୍ଥାନୀୟ ସମୟ ରାତି ୯ଟା ୩୪ରେ ଅଣ୍ଟାଲ୍ୟା ବିମାନବନ୍ଦରରେ ଅବତରଣ କରିବା ପରେ ଏହାର ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ପାଇଲଟଙ୍କଠାରୁ ସୂଚନା ପାଇ ଏୟାରପୋର୍ଟର ଉଦ୍ଧାର ଓ ଅଗ୍ନିଶମ ବାହିନୀ ତୁରନ୍ତ ନିଆଁ ଲିଭାରେ ନିୟୋଜିତ ହୋଇଥିଲେ । ଏହି ଘଟଣାରେ କେହି ଆହତ ହୋଇ ନ ଥିବା ବେଳେ ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।
ଘଟଣାର ଏକ ଭିଡିଓ ଭାଇରାଲ ହେଉଛି । ଏଥିରେ ବିମାନର ବାମ ପାର୍ଶ୍ୱରୁ ନିଆଁ ବାହାରୁଥିବା ଏବଂ ଜରୁରୀକାଳୀନ କର୍ମଚାରୀମାନେ ନିଆଁ ଲିଭାଉଥିବାର ଦେଖାଯାଉଛନ୍ତି । ଯାତ୍ରୀମାନେ ଏମରଜେନ୍ସି ଗେଟ୍ ଦେଇ ବିମାନରୁ ବାହାରୁଛନ୍ତି । କିଛି ଯାତ୍ରୀ ସେମାନଙ୍କ ଲଗେଜ୍ ଧରି ବାହାରୁଥିବା ଦେଖାଯାଉଛନ୍ତି ।
ପରିବହନ ମନ୍ତ୍ରଣାଳୟର ସୂଚନା ମୁତାବକ, ବିମାନକୁ ରନୱେରୁ ହଟାଇବା ପାଇଁ ଉଦ୍ୟମ ଚାଲିଛି । ଏୟାରପୋର୍ଟରେ ବିମାନର ଅବତରଣକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ସେନା ଦ୍ୱାରା ସଞ୍ଚାଳିତ ରନୱେରୁ ପ୍ରସ୍ଥାନ ହେଉଛି ।