ରୁଷରେ ଲାଗିଲା ନୂଆ ଯୁଦ୍ଧ ଆଇନ, ଶତ୍ରୁ ଆଗରେ ଆତ୍ମସମର୍ପଣ କଲେ ୧୦ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ : ମହାଯୁଦ୍ଧ ଆଡ଼କୁ ମୁହାଁଇଛି ରୁଷ-ୟୁକ୍ରେନ୍ ଯୁଦ୍ଧ । ଆଂଶିକ ସୈନ୍ୟ ସ୍ଥାନାନ୍ତର ନିର୍ଦ୍ଦେଶ ପରେ ନୂଆ ଯୁଦ୍ଧ ଆଇନ୍ ଆଣିଛି କ୍ରେମଲିନ୍ । ଯୁଦ୍ଧ କ୍ଷେତ୍ରରେ ଆତ୍ମସମର୍ପଣ କଲେ ୧୦ ବର୍ଷ ଜେଲ ଦଣ୍ଡ । ଆତ୍ମସମର୍ପଣ କରି ଦେଶକୁ ଫେରିଲେ ଘରକୁ ନୁହେଁ, ଜେଲ୍ ଯିବାକୁ ହେବ । ନୂଆ ଆଇନ୍ରେ ସର୍ବନିମ୍ନ ୩ ବର୍ଷ ଏବଂ ସର୍ବାଧିକ ୧୦ ବର୍ଷ ଜେଲଦଣ୍ଡ ବ୍ୟବସ୍ଥା ରହିଛି। ତେବେ ପ୍ରଥମ ଥର ଆଇନ୍ ଅବମାନନା କଲେ ସର୍ତ୍ତମୂଳକ ମାଫ୍ କରିବ ମସ୍କୋ। ସର୍ତ୍ତ ରହିଛି, ଶତ୍ରୁ ଶିବିରରୁ ଖସିଆସି ପୁଣି ନିଜ ସେନାରେ ସାମିଲ ହେବାକୁ ପଡ଼ିବ ।

ପୂର୍ବରୁ ଏ ସଂକ୍ରାନ୍ତ ବିଲ୍ ରୁଷର ସଂସଦରେ ପାରିତ ହୋଇଥିଲା । ଆଜି ପୁଟିନ୍ଙ୍କ ସ୍ୱାକ୍ଷର ପରେ ଆଇନ୍ରେ ପରିଣତ ହୋଇଛି । ରୁଷର ଏପରି ଆଇନ ପରେ ଏହାର ଫାଇଦା ନେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି । ସେପଟେ ଆତ୍ମସମର୍ପଣ ପାଇଁ ସୁଯୋଗ ଦେଇଛନ୍ତି ଜେଲେନ୍ସ୍କି । କହିଛନ୍ତି ଆତ୍ମସମର୍ପଣ କଲେ ରୁଷ୍ ସୈନ୍ୟଙ୍କ ସହ ସଭ୍ୟ ବ୍ୟବହାର ହେବ । ଏପରି ପ୍ରତିଶ୍ରୁତି ଦେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ।

ବେଳକୁ ବେଳ ଅର୍ଥହୀନ ହୋଇ ପଡ଼ୁଛି ଯୁଦ୍ଧ । କିନ୍ତୁ ବଢ଼ୁଛି ଯୁଦ୍ଧର ବିଭୀଷିକା । ପ୍ରତିଦିନ ୟୁକ୍ରେନ୍ ଆକ୍ରମଣର ଶିକାର ହେଉଛନ୍ତି ଶହଶହ ରୁଷ୍ ସୈନ୍ୟ। ତେଣୁ ଯୁଦ୍ଧ କ୍ଷେତ୍ରରେ ଜୀବନ ଦେବାକୁ ଆଉ ପ୍ରସ୍ତୁତ ନୁହନ୍ତି । ଏଭଳି ସମୟରେ ଆଇନ୍ ଆଣି ସୈନ୍ୟଙ୍କ ଉପରେ ଯୁଦ୍ଧ ଲଦିଦେଉଛି କ୍ରେମଲିନ୍ । ସେପଟେ ଆତ୍ମସମର୍ପଣ ପାଇଁ ରୁଷ୍ ସେନାକୁ ସୁଯୋଗ ଦେଇଛନ୍ତି ଜେଲେନସ୍କି ।

ଯୁଦ୍ଧ ପରେ ଯୁଦ୍ଧ ଅପରାଧୀ ଭାବେ ରୁଷ୍ ସୈନ୍ୟଙ୍କ ବିଚାର ହେବ । ଏହା ଠାରୁ ୟୁକ୍ରେନ୍ ପାଖରେ ଆତ୍ମସମର୍ପଣ ଆହୁରି ଭଲ । ରୁଷ୍କୁ ଫେରି ଦଣ୍ଡିତ ହେବାର ଭୟ ଥିଲେ ସାରା ଜୀବନ ୟୁକ୍ରେନ୍ରେ ରହିବାକୁ ସୁଯୋଗ ମିଳିବ। ଆମ ଅସ୍ତ୍ରରେ ଜୀବନ ଦେବା ଅପେକ୍ଷା ଆମ ପାଖରେ ଆତ୍ମସମର୍ପଣ କରିବା ଭଲ ବୋଲି ଜେଲେନ୍ସ୍କି କହିଛନ୍ତି ।

ସେପଟେ ଅଧିକୃତ ୟୁକ୍ରେନ୍ରେ ଜନମତ ସଂଗ୍ରହକୁ ତୀବ୍ର ବିରୋଧ ହେଉଛି । ଘେରିଛନ୍ତି ପାଶ୍ଚାତ୍ୟ ରାଷ୍ଟ୍ର । ଏହାକୁ ନେଇ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ଡାକିଛି ୟୁକ୍ରେନ୍ । ଅନ୍ୟପଟେ ଜାତିସଂଘରେ ୟୁରୋପ ଉପରେ ବର୍ଷିଛନ୍ତି ରୁଷ୍ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ । କିଭ୍କୁ ଅସ୍ତ୍ର କରି ସମସ୍ତଙ୍କ ଉପରେ ପ୍ରଭାବ ବିସ୍ତାର କରିବା ପାଶ୍ଚାତ୍ୟ ଜଗତର ଲକ୍ଷ୍ୟ ବୋଲି କହିଛନ୍ତି ଲାଭରୋଭ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.